
ଉମରକୋଟ, ୨୩/୦୧ (ରସିକ ସରକାର): ଭାରତୀୟ ସ୍ୱାଧୀନତା ସଂଗ୍ରାମର ଅଦ୍ୱିତୀୟ ନାୟକ, ଅଦମ୍ୟ ସାହସ ଓ ଦେଶପ୍ରେମର ପ୍ରତୀକ ନେତାଜୀ ସୁବାଷ ଚନ୍ଦ୍ର ବୋଷଙ୍କ ୧୨୯ତମ ଜନ୍ମ ଜୟନ୍ତୀ ନବରଙ୍ଗପୁର ଜିଲ୍ଲା ଉମରକୋଟଠାରେ ଅତ୍ୟନ୍ତ ଉତ୍ସାହ ଓ ଶ୍ରଦ୍ଧାର ସହିତ ପାଳିତ ହୋଇଯାଇଛି। ଉମରକୋଟ ୩ ନମ୍ବର ଡିଏନକେ ଡଙ୍ଗରିଗୁଡା ସ୍ଥିତ ‘ନିଖିଳ ଭାରତ ବାଙ୍ଗାଳି ସମନ୍ୟାୟ ସମିତି’ କକ୍ଷରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଭୀର ଦେଶପ୍ରେମର ଝଲକ ଦେଖିବାକୁ ମିଳିଥିଲା।
ମାତୃଭୂମିର ମୁକ୍ତି ପାଇଁ ନେତାଜୀଙ୍କ ତ୍ୟାଗ ଓ ବଳିଦାନ ଆଜି ବି କୋଟି କୋଟି ଭାରତୀୟଙ୍କ ପାଇଁ ପ୍ରେରଣାର ଉତ୍ସ। ଏହି ପବିତ୍ର ଅବସରରେ କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ରାଜ୍ୟ ଗଣଶିକ୍ଷା ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇଥିଲେ। ନେତାଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ସେ କହିଥିଲେ ଯେ, ନେତାଜୀଙ୍କ ଜୀବନ ଆଦର୍ଶ ଓ ସଂଗ୍ରାମୀ ଜୀବନ ଭାରତର ଇତିହାସରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହୋଇ ରହିଛି। ତାଙ୍କର ଦୃଢ଼ ସଙ୍କଳ୍ପ ଓ ଦୁର୍ଜେୟ ସାହସକୁ ଆତ୍ମସାତ କଲେ ଦେଶ ଏକ ଶକ୍ତିଶାଳୀ ରାଷ୍ଟ୍ର ଭାବେ ବିଶ୍ୱ ଦରବାରରେ ମୁଣ୍ଡ ଟେକିବ।
ନେତାଜୀଙ୍କ ଐତିହାସିକ ଆହ୍ୱାନ “ତୁମେ ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି”କୁ ସାର୍ଥକ କରିବା ଲକ୍ଷ୍ୟରେ ଏହି ଦିନ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜିତ ହୋଇଥିଲା। ଶତାଧିକ ଯୁବକ ଓ ସ୍ୱେଚ୍ଛାସେବୀ ରକ୍ତଦାନ କରି ଏହି ଦିନକୁ ଏକ ଜୀବନଦାନର ମହାଯଜ୍ଞରେ ପରିଣତ କରିଥିଲେ। ସହରର ବିଭିନ୍ନ ସମାଜସେବୀ ସଂଗଠନ, ବୁଦ୍ଧିଜୀବୀ ଓ ଗଣ୍ୟମାନ୍ୟ ବ୍ୟକ୍ତିବିଶେଷଙ୍କ ଉପସ୍ଥିତି ଏହି ଉତ୍ସବକୁ ଏକ ସାମୁଦାୟିକ ଭାଇଚାରା ଓ ଏକତାର ସନ୍ଦେଶରେ ରୂପାନ୍ତରିତ କରିଥିଲା।
ଏହି ଅବସରରେ ଉମରକୋଟର ପୂର୍ବତନ ଆଇନଜୀବୀ ଶ୍ରୀ ଜୟଦେବ ପରିଡା, ବରିଷ୍ଠ ଆଇନଜୀବୀ ଶ୍ରୀ ତପନ ଦେବନାଥ, ଶ୍ରୀ କମଳ ଗାଇନ, ପି.ପି. ଶ୍ରୀ କୃଷ୍ଣ ରାୟ ଏବଂ ଶ୍ରୀ ତପନ ପାଳଙ୍କ ସମେତ ନିଖିଳ ଭାରତ ବାଙ୍ଗାଳି ସମନ୍ୟାୟ ସମିତିର ଅନେକ କର୍ମକର୍ତ୍ତା ନେତାଜୀଙ୍କ ଜୀବନଦର୍ଶନ ଉପରେ ସାରଗର୍ଭକ ଭାଷଣ ପ୍ରଦାନ କରିଥିଲେ। ବକ୍ତାମାନେ ମତ ଦେଇଥିଲେ ଯେ, ଆଜିର ଯୁବପୀଢ଼ି ସତତା, କର୍ତ୍ତବ୍ୟନିଷ୍ଠା ଓ ସାମାଜିକ ସେବାକୁ ଜୀବନର ମନ୍ତ୍ର କରିଲେ ହିଁ ନେତାଜୀଙ୍କ ପ୍ରତି ପ୍ରକୃତ ଶ୍ରଦ୍ଧାଞ୍ଜଳି ହେବ।
ନିଖିଳ ଭାରତ ବାଙ୍ଗାଳି ସମନ୍ୟାୟ ସମିତି ଏବଂ ସ୍ଥାନୀୟ ପ୍ରଶାସନର ମିଳିତ ସହଯୋଗରେ ଅନୁଷ୍ଠିତ ଏହି ୧୨୯ତମ ଜନ୍ମ ଜୟନ୍ତୀ କାର୍ଯ୍ୟକ୍ରମ ସଫଳତାର ସହ ସମାପ୍ତ ହୋଇଛି, ଯାହା ସମଗ୍ର ଉମରକୋଟ ଅଞ୍ଚଳରେ ଏକ ଦେଶପ୍ରେମର ବାତାବରଣ ସୃଷ୍ଟି କରିଛି।