
କୋରାପୁଟ/25/01/26 : ବିଦ୍ୟୁତ ସମସ୍ୟାରୁ ମୁକ୍ତି ପାଇବେ ଅଞ୍ଚଳବାସୀ l ଲମତାପୁଟ ଅଞ୍ଚଳରେ ଶକ୍ତି ଭିତ୍ତିଭୂମିର ସୁଦୃଢ଼ୀକରଣ ଦିଗରେ ଏକ ନୂଆ ଅଧ୍ୟାୟ ଯୋଡ଼ି ହୋଇଛି । ରାଜ୍ୟର ଉପ-ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ଲୁଗୁମ ଗ୍ରାମରେ ନବନିର୍ମିତ 133/33 କେଭି ଗ୍ରୀଡ ସବଷ୍ଟେସନର ଶୁଭ ଉଦଘାଟନ କରିଛନ୍ତି। ଏହି ପ୍ରକଳ୍ପ ଦ୍ୱାରା ସ୍ଥାନୀୟ ଅଞ୍ଚଳରେ ଦୀର୍ଘ ଦିନରୁ ଲାଗି ରହିଥିବା ବିଦ୍ୟୁତ ସମସ୍ୟାର ସ୍ଥାୟୀ ସମାଧାନ ହେବା ସହ ହଜାର ହଜାର ଉପଭୋକ୍ତା ଉପକୃତ ହେବେ ବୋଲି

ଉଦଘାଟନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉପ-ମୁଖ୍ୟମନ୍ତ୍ରୀ କହିଛନ୍ତି l ଦୀର୍ଘ ବର୍ଷ ପରେ ବ୍ଲକ ବାସୀଙ୍କ ସ୍ବପ୍ନ ପୂରଣ ହୋଇଛି l ଲୁଗୁମ ଗ୍ରୀଡ୍ ସବଷ୍ଟେସନ କାର୍ଯ୍ୟକ୍ଷମ ହେବା ଫଳରେ ଏଣିକି ଅଞ୍ଚଳବାସୀଙ୍କୁ ଲୋ-ଭୋଲଟେଜ୍ ଏବଂ ବାରମ୍ବାର ବିଦ୍ୟୁତ କାଟ ସମସ୍ୟାରୁ ମୁକ୍ତି ମିଳିବ। ଏହା ସହିତ ସ୍ଥାନୀୟ ଚାଷୀମାନେ ଜଳସେଚନ ପାଇଁ ପର୍ଯ୍ୟାପ୍ତ ବିଦ୍ୟୁତ ଶକ୍ତି ପାଇପାରିବେ ଏବଂ କ୍ଷୁଦ୍ର ଶିଳ୍ପର ବିକାଶରେ ଏହା ସହାୟକ ହେବ। ପ୍ରକଳ୍ପ ସମ୍ପର୍କରେ ସୂଚନା ଦେଇ ବିଭାଗୀୟ ଅଧିକାରୀମାନେ ଜଣାଇଛନ୍ତି ଯେ, ଏହି ସବଷ୍ଟେସନଟି ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ହୋଇଛି ଓ ପ୍ରାୟ 28 କୋଟି ଟଙ୍କା ବ୍ୟୟ କରାଯାଇଛି l ଯାହା ଦ୍ୱାରା ଦୁଇଟି ବ୍ଲକର ଅନେକ ଗ୍ରାମ ପଞ୍ଚାୟତର ବିଦ୍ୟୁତ ଚାହିଦା ପୂରଣ କରାଯାଇପାରିବ। ଅକାରଣ ବିଦ୍ୟୁତ ବିଭ୍ରାଟରେ ରୋକ୍ ଲାଗିବ,ଗ୍ରାମାଞ୍ଚଳରେ ସାଧାରଣତଃ ଦେଖାଯାଉଥିବା ଲୋ-ଭୋଲଟେଜ୍ ସମସ୍ୟା ଦୂର ହେବ, ଚାଷ ଏବଂ ବ୍ୟବସାୟ କ୍ଷେତ୍ରରେ ଉନ୍ନତି ଆସିବ ଏବଂ ଲମତାପୁଟ ଓ ନନ୍ଦପୁର ବ୍ଲକବାସୀ ବିଦ୍ୟୁତ ସେବା ପାଇପାରିବେ ବୋଲି ବିଭାଗୀୟ ଅଧିକାରୀ ସୂଚନା ଦେଉଛନ୍ତି l କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ରଘୁରାମ ମାଛ, ସିଏମଡି ଓପିଟି ସିଏଲ ଭାସ୍କର ଜ୍ୟୋତି ଶର୍ମା, ,ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ବେଣୁଧର ଶବର, ଲମତାପୁଟ ଗୋଷ୍ଠି ଉନ୍ନୟନ ଅଧିକାରୀ ଜୟନ୍ତ କୁମାର ମେହେର, ମାଛକୁଣ୍ଡ ତହସିଲଦାର ଦିବାକର ବାଗ,ଜିଏମ ସୌନ୍ଦର୍ଯ୍ୟ କୁମାର ପଟନାୟକ,ଡେପୁଟି ଜିଏମ ମନୋଜ କୁମାର ଲାମାୟ,ଏଜିଏମ ସୌମ୍ୟ ସେନାପତି, ସାଂସଦ ପ୍ରତିନିଧି ରାମଚନ୍ଦ୍ର ପାଙ୍ଗି I ଏହି କାର୍ଯ୍ୟକ୍ରମରେ ଜନପ୍ରତିନିଧି, ବିଦ୍ୟୁତ ବିଭାଗର ବରିଷ୍ଠ ପଦାଧିକାରୀ ଏବଂ ଶତାଧିକ ସ୍ଥାନୀୟ ବାସିନ୍ଦା ଉପସ୍ଥିତ ଥିଲେ। ଏହି ନୂତନ ଗ୍ରୀଡ୍ ଉଦଘାଟନ ହେବା ପରେ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି। ଆୟୋଜିତ କାର୍ଯ୍ୟକ୍ରମକୁ କୋରାପୁଟ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୁଶ୍ରୀ ରାଧା ରାଣୀ ସରକାର ମଞ୍ଚ ପରିଚାଳନା କରିଥିଲେ l