ବଣାଇଁରେ ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ମହାସମାରୋହରେ ପାଳିତ

newyr25

ବଣାଇଁ: ସୁନ୍ଦରଗଡ଼ ଜିଲ୍ଲା ବଣାଇଁ ଉପଖଣ୍ଡ ସ୍ତରୀୟ ୭୭ତମ ସାଧାରଣତନ୍ତ୍ର ଦିବସ ସ୍ଥାନୀୟ ରାଜା ଧରଣୀଧର ବହୁମୁଖୀ ପଡ଼ିଆଠାରେ ଅତ୍ୟନ୍ତ ଆଡମ୍ବର ସହକାରେ ପାଳିତ ହୋଇଯାଇଛି। ଏହି ଅବସରରେ ବଣାଇଁ ଉପ-ଜିଲ୍ଲାପାଳ ଶ୍ରୀଯୁକ୍ତ ଅକ୍ଷୟ ପିଲ୍ଲେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ସମ୍ମିଳିତ ପ୍ୟାରେଡରେ ଅଭିବାଦନ ଗ୍ରହଣ କରିଥିଲେ।

ମୁଖ୍ୟ ଅତିଥି ନିଜ ଅଭିଭାଷଣରେ କହିଥିଲେ ଯେ, ୧୯୫୦ ମସିହା ଜାନୁଆରୀ ୨୬ ତାରିଖରେ ଭାରତୀୟ ସମ୍ବିଧାନ କାର୍ଯ୍ୟକାରୀ ହୋଇ ଜନସାଧାରଣଙ୍କ ପାଇଁ ଏକ ଶୃଙ୍ଖଳିତ ଶାସନ ପ୍ରଣୟନ ହୋଇଥିଲା। ଜାତି, ଧର୍ମ, ବର୍ଣ୍ଣ ଓ ଭାଷା ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଇନ ପ୍ରଯୁଜ୍ୟ ବୋଲି ସେ ସ୍ମରଣ କରାଇ ଦେଇଥିଲେ।

ଏହି ମହୋତ୍ସବରେ ବିଭିନ୍ନ ସ୍କୁଲ ଓ କଲେଜରୁ ଆସିଥିବା ମୋଟ ୧୯ଟି ପ୍ୟାରେଡ ଟ୍ରୁପ୍ ମଧ୍ୟରେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। ଏଥିସହିତ ଦର୍ଶକଙ୍କ ମନୋରଞ୍ଜନ ପାଇଁ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା। ଦିବସର ପ୍ରାରମ୍ଭରେ ଭୋର ୪.୩୦ ମିନିଟରେ ରାମଧୂନ ଗାନ କରାଯାଇ ସହର ପରିକ୍ରମା କରାଯିବା ସହ ମୁଖ୍ୟ ଅତିଥି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ମଧୁସୂଦନ ଦାସଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ ବିଭିନ୍ନ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କାର ବିତରଣ କରାଯାଇଥିଲା।

ଉକ୍ତ ସମାରୋହରେ ବଣାଇଁ ବିଡ଼ିଓ ଦିବ୍ୟଶଙ୍କର ଜୟପୁରିଆ, ଏସିଏଫ୍ ରବିକାନ୍ତ ମୀନା, ଡେପୁଟି କଲେକ୍ଟର ସ୍ୱାଗତିକା ଦଳପତି ଓ ଶିବାଙ୍ଗୀ ଆନନ୍ଦ, ସହକାରୀ ଜିଲ୍ଲାପାଳ କୁଳମଣି ଧଳ, ବଣାଇଁ ମହାବିଦ୍ୟାଳୟର ଅଧ୍ୟକ୍ଷ ଜେନାମଣି ସାହୁ, ଗୋଷ୍ଠୀ ଶିକ୍ଷା ଅଧିକାରୀ ସୁନୀଲ ମୁଣ୍ଡୁ, ଥାନା ଅଧିକାରୀ ପିଙ୍କି ମୁର୍ମୁ, ଏନସିସି ଅଧିକାରୀ ମୃତ୍ୟୁଞ୍ଜୟ ବ୍ରହ୍ମ, ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପୁଷ୍ପାଞ୍ଜଳି ସାହୁଙ୍କ ସମେତ ଯୁଧିଷ୍ଠିର ତ୍ରିପାଠୀ, ଅକ୍ଷୟ କୁମାର ବେହେରା ଓ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ଛାତ୍ରଛାତ୍ରୀ, ସାମ୍ବାଦିକ ଏବଂ ବହୁ ଜନସାଧାରଣ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମର ଅନ୍ତିମ ଚରଣରେ ପ୍ରଶାସନ ଓ ପ୍ରେସ୍ ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ‘ପ୍ରଶାସନ ଏକାଦଶ’ ବିଜୟୀ ହୋଇଥିଲେ। ସେହିପରି ଦୌଡ଼ି ଟଣା ଖେଳରେ ‘ବନଖଣ୍ଡ ଏକାଦଶ’ ବିଜେତା ହୋଇଥିଲେ। ପରିଶେଷରେ ପ୍ରଧାନ ଶିକ୍ଷକ ଅନ୍ତର୍ଯ୍ୟାମୀ ରଣା ମଞ୍ଚ ପରିଚାଳନା କରିବା ସହ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.