ମା’ ଅସୁରକୁମାରୀ ପୀଠରେ ବିଶ୍ୱଶାନ୍ତି ଗୀତ ମହାଯଜ୍ଞର ପୂର୍ଣ୍ଣାହୁତି

add-all

ନୟାଗଡ଼, ୨୭/୦୧ (ନିସର୍ତ୍ତ): ନୟାଗଡ଼ ଜିଲ୍ଲା ରଣପୁର ବ୍ଲକ ଅନ୍ତର୍ଗତ ବଜ୍ରକୋଟସ୍ଥିତ ପ୍ରସିଦ୍ଧ ମା’ ଅସୁରକୁମାରୀ ଦେବୀଙ୍କ ପବିତ୍ର ପୀଠରେ ଚାଲିଥିବା ପାଞ୍ଚଦିନ ବ୍ୟାପୀ ବିଶ୍ୱଶାନ୍ତି ଗୀତ ମହାଯଜ୍ଞ ଆଜି ଭକ୍ତିମୟ ପରିବେଶ ମଧ୍ୟରେ ପୂର୍ଣ୍ଣାହୁତି ସହ ସମାପ୍ତ ହୋଇଛି। ପ୍ରାଚୀନ ସଂସ୍କୃତିର ପୁନରୁଦ୍ଧାର ଓ ସତ୍ୟଧର୍ମ–ନୀତିର ପ୍ରଚାର ଉଦ୍ଦେଶ୍ୟରେ ଆୟୋଜିତ ଏହି ମହାଯଜ୍ଞରେ ଶତାଧିକ ଭକ୍ତ ସାମିଲ ହୋଇଥିଲେ।

ମାଘ ଶୁକ୍ଳପକ୍ଷ ପଞ୍ଚମୀ ଠାରୁ ଆରମ୍ଭ ହୋଇଥିବା ଏହି ମହାଯଜ୍ଞରେ ଅଙ୍କୁରରୋପଣ, ଦେବଦେବୀ ବରଣ, କଳସଯାତ୍ରା, ସୂର୍ଯ୍ୟପୂଜା, ଅଖଣ୍ଡ ଯଜ୍ଞ, ସଂକୀର୍ତ୍ତନ, ପ୍ରସାଦ ସେବନ ଓ ବିଭିନ୍ନ ଧାର୍ମିକ–ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୂର୍ଣ୍ଣାହୁତି ଦିନ ଯଜ୍ଞାଗ୍ନିରେ ଆହୁତି ଦେଇ ଭକ୍ତମାନେ ବିଶ୍ୱଶାନ୍ତି, ସମୃଦ୍ଧି ଓ ସୁଖସମୃଦ୍ଧ ଜୀବନ ପାଇଁ ପ୍ରାର୍ଥନା କରିଥିଲେ।

ମହାଯଜ୍ଞ ଅବସରରେ ପ୍ରତ୍ୟେକ ଦିନ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ମା’ ଅସୁରକୁମାରୀ ଚାରିଟେବଲ୍ ଟ୍ରଷ୍ଟ ଓ ସ୍ଥାନୀୟ ଗ୍ରାମବାସୀଙ୍କ ସହଯୋଗରେ ସମଗ୍ର କାର୍ଯ୍ୟକ୍ରମ ସୁଚାରୁରୂପେ ସମ୍ପନ୍ନ ହୋଇଥିଲା।

ପୂର୍ଣ୍ଣାହୁତି ଅବସରରେ ଟ୍ରଷ୍ଟ ପକ୍ଷରୁ କୋଣ ଅନୁକୋଣରୁ ଆସିଥିବା ସମସ୍ତ ଭକ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଆଗାମୀ ଦିନରେ ମଧ୍ୟ ଏପରି ଧାର୍ମିକ କାର୍ଯ୍ୟକ୍ରମ ଆୟୋଜନ ହେବ ବୋଲି ସୂଚନା ଦିଆଯାଇଛି।

ad-week
Leave A Reply

Your email address will not be published.