
ଉମରକୋଟ /ଝରିଗାଁ (୦୧/୦୨/୨୦୨୬): ରାଜ୍ୟ ସରକାର ଗରିବ, ଅସହାୟ ଓ ବଞ୍ଚିତଙ୍କ କଲ୍ୟାଣ ପାଇଁ ଅନେକ ଯୋଜନା ପ୍ରଣୟନ କରୁଥିବା ଦାବି କରୁଛନ୍ତି। ମଧୁବାବୁ ପେନସନ ଯୋଜନା ଠାରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପର୍ଯ୍ୟନ୍ତ ସବୁ କିଛି କାଗଜକଲମରେ ଚମକୁଛି। କିନ୍ତୁ ବାସ୍ତବ ଚିତ୍ର ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଏକାମ୍ବା ପଞ୍ଚାୟତରୁ ଆସିଥିବା ଏକ ଖବର ସରକାରଙ୍କ ସବୁ ଦାବିକୁ ଆଜି ମିଛ ପ୍ରମାଣିତ କରୁଛି।
ଗୋରାମ୍ବା ଗ୍ରାମର ଦୁଇଜଣ ଅସହାୟ ମହିଳା— ରଇବାରୀ ଭତ୍ରା (୪୪) ଏବଂ ବୈଶାଖୀ ଭତ୍ରା (୩୫)। ରଇବାରୀ ପ୍ରାୟ ଏକ ବର୍ଷ ହେବ ସ୍ୱାମୀଙ୍କୁ ହରାଇଥିବା ବେଳେ ବୈଶାଖୀ ତିନି ବର୍ଷ ଧରି ବିଧବା ଜୀବନ ବିତାଉଛନ୍ତି। ଦୁଃଖର କଥା ହେଉଛି, ଆଜି ପର୍ଯ୍ୟନ୍ତ ଏହି ଦୁଇ ଜଣଙ୍କ ପାଖକୁ ସରକାରୀ ବିଧବା ଭତ୍ତା ଟିଏ ପହଞ୍ଚି ନାହିଁ। ଯେଉଁ ବୟସରେ ସେମାନଙ୍କୁ ସାମାଜିକ ସୁରକ୍ଷାର ଆବଶ୍ୟକତା ଥିଲା, ସେଠାରେ ପ୍ରଶାସନିକ ଅବହେଳା ସେମାନଙ୍କୁ ପରିହାସ କରୁଛି।
ଏହି ଦୁଇ ମହିଳା କାହା ଆଗରେ ହାତ ପାତି ନାହାନ୍ତି। ସେମାନେ ଦିନମଜୁରୀ ଓ କୁଲି କାମ କରି ନିଜର ଓ ନିଜ ପିଲାଙ୍କ ପେଟ ପୋଷୁଛନ୍ତି। ଶାରୀରିକ ଶ୍ରମ କରି ଜୀବନ ସଂଗ୍ରାମ ଜାରି ରଖିଥିବା ବେଳେ ସରକାରୀ ଅଧିକାରୀଙ୍କ ଅଣଦେଖା ତାଙ୍କ ଦୁଃଖକୁ ଦ୍ୱିଗୁଣିତ କରିଦେଇଛି। ପିଲାଙ୍କ ଖାଦ୍ୟ, ପାଠପଢ଼ା ଏବଂ ଚିକିତ୍ସା ପାଇଁ ସେମାନେ ଆଜି ବି ଅନିଶ୍ଚିତତାରେ।
ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନର କାର୍ଯ୍ୟଦକ୍ଷତା ଉପରେ ଗୁରୁତର ପ୍ରଶ୍ନବାଚୀ ସୃଷ୍ଟି ହୋଇଛି : ବ୍ଲକ ଉନ୍ନୟନ ଅଧିକାରୀ (BDO) ଓ ବ୍ଲକ କାର୍ଯ୍ୟାଳୟ ଏହି ଅସହାୟଙ୍କ ଦୁଃଖ କାହିଁକି ଦେଖିପାରୁନାହାନ୍ତି? ନିର୍ବାଚନ ସମୟରେ ବଡ଼ ବଡ଼ ପ୍ରତିଶ୍ରୁତି ଦେଉଥିବା ଜନପ୍ରତିନିଧିମାନେ ଏବେ କୁଆଡ଼େ ଗଲେ? ଆବାସ ଯୋଜନାର ତାଲିକାରେ କେଉଁମାନଙ୍କ ନାମ ରହୁଛି, ଯେଉଁଠି ଏହି ଯୋଗ୍ୟ ହିତାଧିକାରୀମାନେ ବର୍ଷ ବର୍ଷ ଧରି ବଞ୍ଚିତ ହେଉଛନ୍ତି?
ଗୋରାମ୍ବା ଗ୍ରାମବାସୀ ଏହି ଘଟଣାରେ ତୀବ୍ର ଅସନ୍ତୋଷ ପ୍ରକାଶ କରିବା ସହ ପ୍ରଶାସନ ନିକଟରେ ତିନୋଟି ମୁଖ୍ୟ ଦାବି ରଖିଛନ୍ତି: ଦୁଇ ବିଧବା ମହିଳାଙ୍କୁ ଅବିଳମ୍ବେ ପେନସନ ପ୍ରଦାନ କରାଯାଉ, ସେମାନଙ୍କୁ ସରକାରୀ ଆବାସ ଯୋଜନାରେ ସାମିଲ କରାଯାଉ, କାମରେ ଅବହେଳା କରୁଥିବା ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ।
ଯଦି ଏହି ଦୁଇ ଅସହାୟ ମହିଳାଙ୍କୁ ନ୍ୟାୟ ନମିଳେ, ତେବେ ସରକାରଙ୍କ “ସଭିଏଁ ସାଥିରେ, ସଭିଏଁ ବିକାଶ”ର ସ୍ଲୋଗାନ କେବଳ ଏକ ପ୍ରହସନ ହୋଇ ରହିଯିବ।