ଜିଲ୍ଲାସ୍ତରୀୟ ଅକ୍ଷୟ ତୃତୀୟା କୃଷକ ଦିବସ ୨୦୨୬-୨୭

add-all

ଭଞ୍ଜନଗର, ୨୦/୦୪: ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ବେଣାକୁନ୍ଦସ୍ଥିତ କୃଷି ବିଜ୍ଞାନ କେନ୍ଦ୍ର ପରିସରରେ ଜିଲ୍ଲା ସ୍ତରୀୟ ‘କୃଷକ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମାନ୍ୟବର ବାଣିଜ୍ୟ ଓ ପରିବହନ, ଇସ୍ପାତ ଏବଂ ଖଣି ମନ୍ତ୍ରୀ ଶ୍ରୀଯୁକ୍ତ ବିଭୂତି ଭୂଷଣ ଜେନା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ସର୍ବପ୍ରଥମେ ପାରମ୍ପରିକ ରୀତିନୀତି ଅନୁସାରେ ମାଟିମା’ଙ୍କ ପୂଜାର୍ଚ୍ଚନା କରିବା ସହ ହଳ କରି ଚଳିତ ବର୍ଷର ‘ଅଖିମୁଠି ଅନୁକୂଳ’ ଶୁଭାରମ୍ଭ କରିଥିଲେ।

ଚାଷୀଙ୍କ ସାମାଜିକ ଓ ଆର୍ଥିକ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ଅବସରରେ ‘ସିଏମ୍ କିଷାନ ସହାୟତା’ ଯୋଜନା (ଖରିଫ-୨୦୨୬) ଅନ୍ତର୍ଗତ ସହାୟତା ରାଶି ଡି.ବି.ଟି (DBT) ମାଧ୍ୟମରେ ପ୍ରଦାନ କରାଯାଇଛି। ଗଞ୍ଜାମ ଜିଲ୍ଲାର ୨୨ଟି ବ୍ଲକର ସର୍ବମୋଟ ୨,୪୧,୫୩୧ ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସିଧାସଳଖ ୪୮ କୋଟି ୩୦ ଲକ୍ଷ ୬୨ ହଜାର ଟଙ୍କା ହସ୍ତାନ୍ତର କରାଯାଇଛି। ଏଥିମଧ୍ୟରେ ୨,୩୫,୯୩୨ ଜଣ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ୫,୫୯୯ ଜଣ ଭୂମିହୀନ କୃଷି ପରିବାର ଅନ୍ତର୍ଭୁକ୍ତ ଅଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କୁ ୨୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ କରାଯାଇଛି।

ଏହି ସମାରୋହରେ ଭଞ୍ଜନଗର ବିଧାୟକ ଶ୍ରୀଯୁକ୍ତ ପ୍ରଦ୍ୟୁମ୍ନ କୁମାର ନାୟକ, ଆସ୍କା ବିଧାୟକ ଶ୍ରୀଯୁକ୍ତ ନୀଳମଣି ବିଷୋୟୀ, ଗଞ୍ଜାମ ଜିଲ୍ଲାପାଳ ଶ୍ରୀ କୀର୍ତ୍ତି ଭାସନ ଭି., ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଉମାଶଙ୍କର ବେହେରା, ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଅଧ୍ୟକ୍ଷ ନୀଳମାଧବ ପାତ୍ର ଏବଂ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ଅଜୟ କୁମାର କର ପ୍ରମୁଖ ସମ୍ମାନିତ ଅତିଥି ଭାବେ ଉପସ୍ଥିତ ଥିଲେ। ଅତିଥିମାନେ କୃଷକମାନଙ୍କୁ ଦେଶର ଅର୍ଥନୀତିର ମେରୁଦଣ୍ଡ ଭାବେ ଅଭିହିତ କରିବା ସହ ସେମାନଙ୍କୁ ଚାଷ କାର୍ଯ୍ୟରେ ନୂତନ ପ୍ରଯୁକ୍ତିବିଦ୍ୟାର ବ୍ୟବହାର କରିବାକୁ ଆହ୍ୱାନ ଦେଇଥିଲେ।

ମନ୍ତ୍ରୀ ଶ୍ରୀ ଜେନା ନିଜ ଅଭିଭାଷଣରେ କହିଥିଲେ ଯେ, “ଓଡ଼ିଶାର କୃଷକମାନେ ରାଜ୍ୟର ଅର୍ଥନୀତିର ମୁଖ୍ୟ ସ୍ତମ୍ଭ। ସେମାନଙ୍କ ଉନ୍ନତି ପାଇଁ ସରକାର ସମସ୍ତ ପ୍ରକାରର ସହଯୋଗ ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ।” ଏହି ଅବସରରେ ମନ୍ତ୍ରୀଙ୍କ ଦ୍ୱାରା ଏକ ‘ସଚେତନତା ରଥ’ର ଶୁଭାରମ୍ଭ କରାଯାଇଥିଲା, ଯାହା ବିଭିନ୍ନ ଗ୍ରାମାଞ୍ଚଳ ଭ୍ରମଣ କରି ଜମିରେ ସନ୍ତୁଳିତ ସାର ପ୍ରୟୋଗ ଓ କୃଷକ ପଞ୍ଜିକରଣ ସମ୍ପର୍କରେ ଚାଷୀଙ୍କୁ ସଚେତନ କରିବ।

କାର୍ଯ୍ୟକ୍ରମକୁ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ଡ. ଅଜୟ କୁମାର କର ଓ ସହାୟକ କୃଷି ଅଧିକାରୀ ଦିବ୍ୟା ହେନ୍ତା ସୁଚାରୁରୂପେ ପରିଚାଳନା କରିଥିଲେ। ଶେଷରେ ଜିଲ୍ଲା କୃଷି ଅଧିକାରୀ ବ୍ୟମୋକେଶ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ। ଭଞ୍ଜନଗର ବ୍ଲକ କୃଷି ଅଧିକାରୀ ସଂଗ୍ରାମ କୁମାର ସେନାପତି ଓ ଅନ୍ୟାନ୍ୟ ବିଭାଗୀୟ କର୍ମଚାରୀମାନେ ଏହି କାର୍ଯ୍ୟକ୍ରମକୁ ସଫଳ କରିବାରେ ସହଯୋଗ କରିଥିଲେ।

nis-ad
Leave A Reply

Your email address will not be published.