
କୋଟପାଡ଼ (ବସନ୍ତ ପେଗଡ଼): ପବିତ୍ର ଅକ୍ଷୟ ତୃତୀୟା ଅବସରରେ କୋରାପୁଟ ଜିଲ୍ଲା କୋଟପାଡ଼ସ୍ଥିତ ସରକାରୀ କୃଷି ଫାର୍ମ ପରିସରରେ ଜିଲ୍ଲା ସ୍ତରୀୟ ‘କୃଷକ ଦିବସ’ ଅତ୍ୟନ୍ତ ଆଡ଼ମ୍ବର ସହକାରେ ପାଳିତ ହୋଇଯାଇଛି। ଓଡ଼ିଶା ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ତଥା କୋରାପୁଟ ଜିଲ୍ଲା କୃଷି ବିଭାଗର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ କୃଷି ଓ କୃଷକର ଉନ୍ନତି ପାଇଁ ବିଭିନ୍ନ ଯୋଜନାର ଶୁଭାରମ୍ଭ କରାଯାଇଛି।
ଏହି ଉତ୍ସବରେ କୋଟପାଡ଼ ବିଧାୟକ ରୂପୁ ଭାତ୍ରା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ କୋରାପୁଟ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, କୋଟପାଡ଼ ବ୍ଲକ ଅଧ୍ୟକ୍ଷା କମଳା ଭତ୍ରା, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ନରେଶ ଚନ୍ଦ୍ର ଶବର ଏବଂ ନବରଙ୍ଗପୁର ସାଂସଦଙ୍କ ପ୍ରତିନିଧି ରାମେଶ୍ବର ଜେନା ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଜୟପୁର ବ୍ଲକ ଅଧ୍ୟକ୍ଷା ତିଳତମ୍ମା ମୁଦୁଲି, କୋଟପାଡ଼ ବ୍ଲକ ଉପାଧ୍ୟକ୍ଷ ତପନ କୁମାର ପାଣିଗ୍ରାହୀ, ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ଭବାନୀ ଶଙ୍କର ମହାପାତ୍ର, ADR (RRTTS) ଡ. ପର୍ଶୁରାମ ସିଆଲ, ଜଳଛାୟା ପ୍ରକଳ୍ପ ନିର୍ଦ୍ଦେଶକ ଶିବ ଚରଣ ଜେଠି, କଫି ବୋର୍ଡ ଉପ-ନିର୍ଦ୍ଦେଶକ ପ୍ରମୋଦ ବେହେରା, କୃଷି ନିର୍ବାହୀ ଯନ୍ତ୍ରୀ ସତ୍ୟ ନାରାୟଣ ଦାଶ, ବରିଷ୍ଠ ବୈଜ୍ଞାନିକ ବିନୋଦ ବେହେରା, କୃଷି ପ୍ରତିନିଧି ସୁଶାନ୍ତ ପାଣିଗ୍ରାହୀ ଏବଂ ଜିଲ୍ଲା କୃଷି ଅଧିକାରୀ ହେମନ୍ତ କୁମାର ପଢ଼ିହାରି, ଲଲାଟେନ୍ଦୁ ମହାପାତ୍ର ଓ ସୁଜାତା ନିଶଙ୍କ ପ୍ରମୁଖ ଯୋଗ ଦେଇ ଚାଷୀମାନଙ୍କୁ ଉତ୍ସାହିତ କରିଥିଲେ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଭାସି (Virtual) ମାଧ୍ୟମରେ ‘CM-KISAN’ ଯୋଜନାର ଖରିଫ କିସ୍ତି ପ୍ରଦାନର ଶୁଭାରମ୍ଭ କରିଥିଲେ। ଏହି ଯୋଜନାରେ କୋରାପୁଟ ଜିଲ୍ଲାର ୮୯,୯୦୭ ଜଣ ହିତାଧିକାରୀ ଚାଷୀଙ୍କୁ ସର୍ବମୋଟ ୧୭ କୋଟି ୯୮ ଲକ୍ଷ ୧୪ ହଜାର ଟଙ୍କା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ଏକ ‘ସ୍ୱତନ୍ତ୍ର କୃଷି ରଥ’ ଓ ‘ଆମ ବିହନ ରଥ’ର ଲୋକାର୍ପଣ କରାଯାଇଥିଲା।
ସୂଚନାଯୋଗ୍ୟ ଯେ, ଏହି ‘ଆମ ବିହନ ରଥ’ ଆଗାମୀ ୬୦ ଦିନ ପର୍ଯ୍ୟନ୍ତ ଜୟପୁର ଉପଖଣ୍ଡର ବିଭିନ୍ନ ଗ୍ରାମ ପରିକ୍ରମା କରିବ। କୋରାପୁଟ କୃଷି ଫାର୍ମରୁ ଉତ୍ପାଦିତ ଉନ୍ନତ କିସମର ବିହନ ଯଥା- କଳା ଚମ୍ପା, CR-DHAN 803, MTU-1156, କଳିଙ୍ଗ ଧାନ-୧୨୦୩ ଏବଂ କଳିଙ୍ଗ ଧାନ-୧୨୦୫ ଭଳି ଅଧିକ ଅମଳକ୍ଷମ ବିହନ ଚାଷୀଙ୍କୁ ବିକ୍ରୟ କରିବା ପାଇଁ ଲକ୍ଷ୍ୟ ରଖାଯାଇଛି। ସେହିପରି କୃଷି ରଥ ମାଧ୍ୟମରେ ଚାଷୀଙ୍କୁ କୃଷକ ପଞ୍ଜିକରଣ ଓ ସନ୍ତୁଳିତ ସାର ପ୍ରୟୋଗ ସମ୍ପର୍କରେ ସଚେତନ କରାଯିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କାର୍ଯ୍ୟକ୍ରମ ଜିଲ୍ଲାର ଚାଷୀମାନଙ୍କ ମଧ୍ୟରେ ନୂତନ ଉତ୍ସାହ ଭରିଦେଇଛି।
