
ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ଜନଗଣନା କରାଯିବ
କୋରାପୁଟ : ସ୍ଥାନୀୟ ସଦଭାବନା ସଭାଗୃହ ଠାରେ ଜନଗଣନା – 2027 ପାଇଁ ସମୀକ୍ଷା ଓ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ରାଜ୍ୟ ଜନଗଣନା ନିର୍ଦ୍ଦେଶାଳୟର ଉପ ନିର୍ଦ୍ଦେଶକ ଜୟକୃଷ୍ଣ ଭୋଇ ଯୋଗଦେଇ ଉପସ୍ଥିତ ଅଧିକାରୀମାନଙ୍କୁ ଜନଗଣନାର ପ୍ରକ୍ରିୟା, ଡିଜିଟାଲ ଉପକରଣ, ଗୃହ ତାଲିକା ଏବଂ ଦାୟିତ୍ବ ସଂପର୍କରେ ତାଲିମ ପ୍ରଦାନ କରିଥିଲେ।ସମସ୍ତ ଗଣନାକାରୀ ଏବଂ ସୁପରଭାଇଜର ମାନଙ୍କୁ ପରବର୍ତ୍ତୀ ସମୟରେ ମାଷ୍ଟର ଟ୍ରେନର ମାନେ ତାଲିମ ପ୍ରଦାନ କରିବେ।ପ୍ରଥମ ଥର ପାଇଁ ଡିଜିଟାଲ ମାଧ୍ୟମରେ ଜନଗଣନା କରାଯିବ ବୋଲି ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ କହିଛନ୍ତି।
ଏହା ଏପ୍ରିଲ ମାସ ଏକ ତାରିଖରୁ ପନ୍ଦର ତାରିଖ ମଧ୍ୟରେ ସ୍ଵ-ଗଣନା ସୁବିଧା ଉପଲବ୍ଧ ରହିଛି। ସେନ୍ସସ ୱେବସାଇଟ ଜରିଆରେ ଲୋକମାନେ ନିଜ ତଥ୍ୟ ଇଂରାଜୀ କିମ୍ବା ଓଡିଆ ଭାଷାରେ ପ୍ରଦାନ କରିପାରିବେ। ଦୁଇଟି ପର୍ଯ୍ୟାୟରେ ଜନଗଣନା କରାଯିବ। ଚଳିତ ବର୍ଷ ଏପ୍ରିଲ ମାସ 16 ତାରିଖରୁ ମେ ମାସ 15 ତାରିଖ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟରେ ଗୃହ ତାଲିକା ଏବଂ ଗୃହ ଗଣନା କରାଯିବ । 2027 ମସିହା ଫେବୃଆରୀ ମାସରେ ଜନସଂଖ୍ୟା ଗଣନା କରାଯିବ। ମୋବାଇଲ ଆପ ମାଧ୍ୟମରେ ଗଣନାକାରୀ ମାନେ ଘରକୁ ଘର ଯାଇ ଲୋକଙ୍କ ଠାରୁ ତଥ୍ୟ ସଂଗ୍ରହ କରିବେ।ଗଣନାକରୀ ଏବଂ ସୁପରଭାଇଜର ମାନଙ୍କୁ ଜିଲ୍ଲାବାସୀ ସଠିକ ତଥ୍ୟ ପ୍ରଦାନ କରିବାକୁ ଜିଲ୍ଲାପାଳ ମନୋଜ ସତ୍ୟବାନ ମହାଜନ ନିବେଦନ କରିଛନ୍ତି। କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ, ଜୟପୁର ଉପ ଜିଲ୍ଲାପାଳ ଏ. ଶସ୍ୟା ରେଡ୍ଡୀ,କୋରାପୁଟ ଜିଲ୍ଲା ପାଇଁ ଭାରପ୍ରାପ୍ତ ଅଧିକାରୀ କେ. ଗୁଣବର୍ଦ୍ଧନଙ୍କ ସହ ଜିଲ୍ଲାର ସମସ୍ତ ତହସିଲଦାର ଏବଂ ସହରାଞ୍ଚଳ ଅଧିକାରୀ ମାନେ ଉପସ୍ଥିତ ଥିଲେ।ଏଚଆରଏମଏସ ଅଧିକାରୀ ସଚ୍ଚିଦାନନ୍ଦ ସାମନ୍ତରାୟଙ୍କ ଦ୍ୱାରା କାର୍ଯ୍ୟକ୍ରମର ପରିଚାଳନା କରାଯାଇଥିଲା ।