କୋରାପୁଟ ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା-୨୦୨୬ ଅନୁଷ୍ଠିତ: ୫୭୮ ଜଣ ପ୍ରାର୍ଥୀ ‘ସର୍ଟଲିଷ୍ଟେଡ୍’, ନିଯୁକ୍ତି ପତ୍ର ବାଣ୍ଟିଲେ ଅତିଥି

କୋରାପୁଟ : ଓଡ଼ିଶା ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ଏବଂ କୋରାପୁଟ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ‘ଜିଲ୍ଲା ସ୍ତରୀୟ ନିଯୁକ୍ତି ମେଳା – ୨୦୨୬’ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଯୁବପିଢ଼ିଙ୍କୁ ସ୍ୱାବଲମ୍ବୀ କରିବା ଉଦ୍ଦେଶ୍ୟରେ ଆୟୋଜିତ ଏହି ମେଳାରେ ଜିଲ୍ଲାର ମୋଟ ୧୩୩୭ ଜଣ ଆଶାୟୀ ପ୍ରାର୍ଥୀ ନିଜର ନାମ ପଞ୍ଜିକରଣ କରିଥିଲେ। ସେମାନଙ୍କୁ କର୍ମସଂସ୍ଥାନର ସୁଯୋଗ ଦେବା ପାଇଁ ୩୬ ଜଣ ନିଯୁକ୍ତିଦାତା (ଏମ୍ପ୍ଲୟର୍ସ) ଏବଂ ୧୦ଟି ନିଯୁକ୍ତି ଭିତ୍ତିକ ପ୍ରଶିକ୍ଷଣ ସଂସ୍ଥା (ପି.ଏଲ୍.ଟି.ପି. ପାର୍ଟନର୍ସ) ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।
କାର୍ଯ୍ୟକ୍ରମର ଶୁଭାରମ୍ଭ ସକାଳ ୧୧ଟାରେ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ କରାଯାଇଥିଲା। ଏହି ଅବସରରେ କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ଏବଂ ଭାରତୀୟ ସେନା ନିଯୁକ୍ତି କାର୍ଯ୍ୟାଳୟ (ଗୋପାଳପୁର)ର ନିର୍ଦ୍ଦେଶକ କର୍ଣ୍ଣେଲ ଗଗନଦୀପ ସିଂହ ଯୋଗଦେଇ ଯୁବପିଢ଼ିଙ୍କୁ ଉତ୍ସାହିତ କରିଥିଲେ। ମୁଖ୍ୟ ଅତିଥି ଭାବେ ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା ଏବଂ କୋରାପୁଟ ବିଧାୟକ ରଘୁରାମ ମାଛ ଯୋଗଦେଇ ମନୋନୀତ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର (ଅଫର୍ ଲେଟର୍) ପ୍ରଦାନ କରିଥିଲେ। ସେମାନେ ସରକାରଙ୍କ ଦକ୍ଷତା ବିକାଶ ଯୋଜନାର ସୁଫଳ ଏବଂ ନିଯୁକ୍ତିଦାତାଙ୍କ ଦ୍ୱାରା ପ୍ରଦତ୍ତ ସୁଯୋଗର ସଦୁପଯୋଗ କରିବାକୁ ଯୁବକଯୁବତୀଙ୍କୁ ପ୍ରୋତ୍ସାହିତ କରିଥିଲେ।

ଏହି ଅବସରରେ ‘ନାନୋ ୟୁନିକର୍ଣ୍ଣ’ ଯୋଜନାର ସଫଳ ଯୁବ ଉଦ୍ୟୋଗୀ ବିଜୟଲକ୍ଷ୍ମୀ ଜେନା ଏବଂ ବାବୁଲା ଖିଲୋଙ୍କୁ ସେମାନଙ୍କ ଉଲ୍ଲେଖନୀୟ ସଫଳତା ପାଇଁ ପ୍ରଶଂସା ପତ୍ର ପ୍ରଦାନ କରାଯାଇଥିଲା। ସେହିପରି ପି.ଏଲ୍.ଟି.ପି. ଯୋଜନା ମାଧ୍ୟମରେ ବୈପାରୀଗୁଡ଼ା ବ୍ଲକର ସୁମିତ୍ରା ହରିଜନ ‘ଟେକ୍ସଟାଇଲ୍’ ଶିଳ୍ପରେ ନିଯୁକ୍ତି ପାଇ ନିଜର ସଫଳତା କାହାଣୀ ବର୍ଣ୍ଣନା କରିଥିଲେ।
ନିଯୁକ୍ତି ପାଇଥିବା ପ୍ରାର୍ଥୀଙ୍କ ମଧ୍ୟରେ:
- ନାରାୟଣପାଟଣାର ରାଗିଣୀ ଭାଣ୍ଡି ଏବଂ ନନ୍ଦିନୀ ଲୁହାଙ୍କୁ ‘ଜୁନିୟର ସଫ୍ଟୱେୟାର ଡେଭଲପର’ ଭାବେ ମାସିକ ୧୭,୧୧୭ ଟଙ୍କା (ସି.ଟି.ସି.) ଦରମାରେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
- ‘ଟାଟା ଇଲେକ୍ଟ୍ରୋନିକ୍ସ ଲିମିଟେଡ୍’, ହୋସୁର ପକ୍ଷରୁ ପୂଜା ଚୌଧୁରୀ, ବର୍ଷା ରାନୀ ପ୍ରଧାନ ଏବଂ କ୍ରିଷ୍ଣା ଗୌଡ଼ଙ୍କୁ ମାସିକ ୧୯,୦୦୦ ଟଙ୍କା (ସି.ଟି.ସି.) ଦରମାରେ ନିଯୁକ୍ତି ମିଳିଛି।
- ତାମିଲନାଡୁର ‘କେ.ପି.ଆର. ମିଲ୍ସ’ ପକ୍ଷରୁ ୫ ଜଣ ପ୍ରାର୍ଥୀଙ୍କୁ ‘ସୁଇଙ୍ଗ୍ ମେସିନ୍ ଅପରେଟର’ ଭାବେ ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି।
ଉଦ୍ଯାପନୀ:
ଜିଲ୍ଲା ଦକ୍ଷତା ବିକାଶ ତଥା ନିୟୋଜନ ଅଧିକାରୀ ଶୁଭେନ୍ଦୁ ମିଶ୍ର ଅତିଥିମାନଙ୍କୁ ସ୍ୱାଗତ କରିଥିବା ବେଳେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ବେଣୁଧର ଶବର ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ। ଅବିନାଶ ମହାପାତ୍ର ମଞ୍ଚ ପରିଚାଳନା କରିଥିଲେ। ସମଗ୍ର କାର୍ଯ୍ୟକ୍ରମଟି ସତ୍ୟ ନାରାୟଣ ମିଶ୍ର, ଯୁଗଳ କିଶୋର, ନନ୍ଦିନୀ ପ୍ରଭା ଭୋଇ, ପ୍ରଣତି କର ଏବଂ ‘ପିରାମଲ୍ ଫାଉଣ୍ଡେସନ’ର କର୍ମଚାରୀଙ୍କ ପ୍ରତ୍ୟକ୍ଷ ସହଯୋଗରେ ସୁପରିଚାଳିତ ହୋଇ ଅପରାହ୍ନରେ ଉଦ୍ଯାପିତ ହୋଇଥିଲା।