
କୋରାପୁଟ, ୧୧/୦୨/୨୦୨୬: ଓଡ଼ିଶାର ସଂଯୋଗୀକରଣ ଓ ଆଞ୍ଚଳିକ ଅଭିବୃଦ୍ଧି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ିବାକୁ ଯାଉଛି ‘ରାୟପୁର–ବିଶାଖାପାଟଣା ଆର୍ଥିକ କରିଡୋର’। ଭାରତ ସରକାରଙ୍କ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ (NHAI) ଦ୍ୱାରା ‘ଭାରତମାଳା ପରିଯୋଜନା’ ଅନ୍ତର୍ଗତ ଏହି ଛଅ-ଲେନ ବିଶିଷ୍ଟ ଗ୍ରିନଫିଲ୍ଡ ଆକ୍ସେସ୍-କଣ୍ଟ୍ରୋଲ୍ଡ ହାଇୱେର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି।

ପ୍ରକଳ୍ପର ରୂପରେଖ ଓ ବିଶେଷତ୍ୱ:
ପ୍ରାୟ ୧୬,୦୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ୪୬୫ କିଲୋମିଟର ଲମ୍ବା କରିଡୋର ଛତିଶଗଡ଼ର ଅଭନପୁରରୁ ବାହାରି ଓଡ଼ିଶା ଦେଇ ଆନ୍ଧ୍ରପ୍ରଦେଶର ସବ୍ବାବରମ ପର୍ଯ୍ୟନ୍ତ ସଂଯୋଗ ସ୍ଥାପନ କରିବ। ପୂର୍ବଘାଟ ପର୍ବତମାଳାର ଜଟିଳ ଭୌଗୋଳିକ ସ୍ଥିତିକୁ ଦୃଷ୍ଟିରେ ରଖି ଏହାର ଡିଜାଇନ୍ କରାଯାଇଛି। ସମତଳ ଅଞ୍ଚଳରେ ଘଣ୍ଟା ପ୍ରତି ୧୦୦ କି.ମି. ଏବଂ ପାହାଡ଼ିଆ ଅଞ୍ଚଳରେ ୮୦ କି.ମି. ବେଗରେ ଗାଡ଼ି ଚଳାଚଳ କରିବା ପାଇଁ ଏହାକୁ ପ୍ରସ୍ତୁତ କରାଯାଉଛି। ଏହା ଦ୍ୱାରା ରାୟପୁର ଓ ବିଶାଖାପାଟଣା ମଧ୍ୟରେ ଦୂରତା ୭୦ କି.ମି. କମିବା ସହ ଯାତ୍ରା ସମୟ ୧୪ ଘଣ୍ଟାରୁ ହ୍ରାସ ପାଇ ମାତ୍ର ୫ ରୁ ୬ ଘଣ୍ଟା ହୋଇଯିବ।
କୋରାପୁଟ ଜିଲ୍ଲାରେ ୭ଟି ପ୍ରମୁଖ ଇଣ୍ଟରଚେଞ୍ଜ:
ସ୍ଥାନୀୟ ଯାତାୟାତକୁ ସୁଗମ କରିବା ପାଇଁ କୋରାପୁଟ ଜିଲ୍ଲାରେ ୭ଟି ସ୍ଥାନରେ ପ୍ରବେଶ ଓ ପ୍ରସ୍ଥାନ ପାଇଁ ‘ଇଣ୍ଟରଚେଞ୍ଜ’ ବ୍ୟବସ୍ଥା କରାଯାଇଛି:
୧. ବୋରିଗୁମ୍ମା ତହସିଲର କାଳିଆଗୁଡା (NH-26 ସହ ସଂଯୋଗ)
୨. ବୋରିଗୁମ୍ମା ତହସିଲର ବେଣାସୁର (ଜିଲ୍ଲା ମୁଖ୍ୟ ରାସ୍ତା ସହ ସଂଯୋଗ)
୩. କୋରାପୁଟ ତହସିଲର ତାଳା ଗ୍ରାମ (NH-326 ସହ ସଂଯୋଗ)
୪. ସେମିଳିଗୁଡ଼ା ତହସିଲର ଲୁଙ୍ଗୁରୀ (ନାଲକୋ ଛକ ନିକଟସ୍ଥ NH-26 ସହ ସଂଯୋଗ)
୫. ସେମିଳିଗୁଡ଼ା ତହସିଲର କୁନ୍ଦୁଲି (NH-26 ସହ ସଂଯୋଗ)
୬. ପଟ୍ଟାଙ୍ଗୀ ତହସିଲର ବରାଜା (ଜିଲ୍ଲା ମୁଖ୍ୟ ରାସ୍ତା ସହ ସଂଯୋଗ)
୭. ପଟ୍ଟାଙ୍ଗୀ ତହସିଲର ତଳଗୋଲାର (ଆମ୍ପାବାଲି ନିକଟସ୍ଥ ଜିଲ୍ଲା ମୁଖ୍ୟ ରାସ୍ତା ସହ ସଂଯୋଗ)
ଇଞ୍ଜିନିୟରିଂର ଅତ୍ୟାଧୁନିକ ନମୁନା:
ଏହି ପ୍ରକଳ୍ପର ଓଡ଼ିଶା ଅଂଶରେ ଅନେକ ଆଧୁନିକ ବୈଷୟିକ କୌଶଳର ପ୍ରୟୋଗ କରାଯାଇଛି।
- ଓଡି-୦୭ ପ୍ୟାକେଜ୍: ଏଠାରେ ଓଡ଼ିଶାର ପ୍ରଥମ ଛଅ-ଲେନ୍ ବିଶିଷ୍ଟ ୩.୪୨ କି.ମି. ଲମ୍ବା ‘ଟ୍ୱିନ୍-ସେଲ୍’ ହାଇୱେ ଟନେଲ୍ ନିର୍ମାଣ କରାଯାଇଛି, ଯେଉଁଥିରେ ଅତ୍ୟାଧୁନିକ ଅଗ୍ନିନିର୍ବାପଣ ଓ ସୁରକ୍ଷା ବ୍ୟବସ୍ଥା ରହିଛି।
- ଓଡି-୦୮ ପ୍ୟାକେଜ୍: କାଣ୍ଡିଲିରୁ ଟୁମ୍ବିଗୁରା ପର୍ଯ୍ୟନ୍ତ ୨୨.୫ କି.ମି. ଅଞ୍ଚଳରେ ବନ୍ୟପ୍ରାଣୀଙ୍କ ସୁରକ୍ଷା ପାଇଁ ଏନିମଲ୍ କ୍ରସିଂ, ମଙ୍କି କ୍ୟାନୋପି ଏବଂ ଶବ୍ଦ ପ୍ରଦୂଷଣ ରୋକିବା ପାଇଁ ‘ନୋଇଜ୍ ବ୍ୟାରିଅର୍’ ବ୍ୟବସ୍ଥା କରାଯାଇଛି।
ସାମାଜିକ ଓ ଆର୍ଥିକ ପ୍ରଭାବ:
ଏହି କରିଡୋର ନିର୍ମାଣ ଦ୍ୱାରା ନବରଙ୍ଗପୁର ଓ କୋରାପୁଟ ଭଳି ଆଦିବାସୀ ବହୁଳ ଜିଲ୍ଲାଗୁଡ଼ିକର ବିକାଶ ତ୍ୱରାନ୍ୱିତ ହେବ। ବିଶାଖାପାଟଣା ବନ୍ଦର ସହ ସିଧାସଳଖ ସଂଯୋଗ ହେବା ଫଳରେ ମାଲ ପରିବହନ ସହଜ ହେବ। କୃଷକମାନେ ନିଜର ଉତ୍ପାଦିତ ସାମଗ୍ରୀକୁ ଅତି ଶୀଘ୍ର ବଡ଼ ବଜାରରେ ପହଞ୍ଚାଇ ପାରିବେ। ଏହାବ୍ୟତୀତ ଶିକ୍ଷା, ସ୍ୱାସ୍ଥ୍ୟ ଓ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ଏହା ବ୍ୟାପକ ସୁଯୋଗ ସୃଷ୍ଟି କରିବ।
ସୂଚନାଯୋଗ୍ୟ ଯେ, ଏହି ପ୍ରକଳ୍ପର ଓଡ଼ିଶା ଅଂଶ ଆସନ୍ତା ଜୁନ ୨୦୨୬ ସୁଦ୍ଧା ସମ୍ପୂର୍ଣ୍ଣ ହେବାର ଲକ୍ଷ୍ୟ ରଖାଯାଇଛି। ଏହି ବିଶ୍ୱସ୍ତରୀୟ ଭିତ୍ତିଭୂମି ଦେଶର ଦୀର୍ଘକାଳୀନ ଆର୍ଥିକ ସମୃଦ୍ଧି ପାଇଁ ଏକ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।