ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା: କୋରାପୁଟରେ ୩୩ ଯୋଡ଼ା ବରବଧୂଙ୍କ ସାମୂହିକ ବିବାହ ସମ୍ପନ୍ନ

add-all

କୋରାପୁଟ : ଓଡ଼ିଶା ସରକାରଙ୍କ ପକ୍ଷରୁ ବାଲ୍ୟବିବାହ ଏବଂ ଯୌତୁକ ପ୍ରଥା ବିରୋଧରେ ସାମାଜିକ ସଚେତନତା ସୃଷ୍ଟି କରିବା ସହ କନ୍ୟାମାନଙ୍କ ସମ୍ମାନକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ମାଧ୍ୟମରେ ଏକ ବିରାଟ ସାମୂହିକ ବିବାହ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କ୍ରମରେ ଆଜି କୋରାପୁଟ ଜିଲ୍ଲା ସ୍ତରୀୟ ଦକ୍ଷତା ବିକାଶ କେନ୍ଦ୍ରଠାରେ ୩୩ ଯୋଡ଼ା ବରବଧୂଙ୍କ ବିବାହ ସମ୍ପନ୍ନ ହୋଇଛି। ରାଜ୍ୟର ୨୭ଟି ଜିଲ୍ଲାରେ ଆଜି ୧,୦୦୦ରୁ ଅଧିକ କନ୍ୟାଙ୍କ ବିବାହ ଏହି ଯୋଜନା ମାଧ୍ୟମରେ କରାଯାଇଛି।
ଏହି କାର୍ଯ୍ୟକ୍ରମରେ କୋରାପୁଟ ବିଧାୟକ ଶ୍ରୀ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ୟାଦାନ କରିବା ସହ ନବଦମ୍ପତିଙ୍କୁ ସୁଖମୟ ଦାମ୍ପତ୍ୟ ଜୀବନ ପାଇଁ ଆଶୀର୍ବାଦ ପ୍ରଦାନ କରିଥିଲେ। ନିଜ ଅଭିଭାଷଣରେ ସେ କହିଥିଲେ ଯେ, “ଏହି ଯୋଜନା କେବଳ ଏକ ଉତ୍ସବ ନୁହେଁ, ବରଂ ସାମାଜିକ ସୁରକ୍ଷା ଏବଂ ଲିଙ୍ଗଗତ ସମାନତା ଦିଗରେ ଓଡ଼ିଶା ସରକାରଙ୍କ ଏକ ଦୃଢ଼ ସଂକଳ୍ପ। ବିଧବା ବିବାହକୁ ପ୍ରୋତ୍ସାହନ ଦେବା ଏହି ଯୋଜନାର ଏକ ସ୍ୱତନ୍ତ୍ର ବିଶେଷତା।”

ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ କାର୍ଯ୍ୟକ୍ରମରେ ଉପସ୍ଥିତ ରହି କହିଥିଲେ ଯେ, “ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ବାଲ୍ୟବିବାହ ବିରୋଧରେ ଏକ ଶକ୍ତ ପଦକ୍ଷେପ। ଏହା ସମାଜରୁ ଯୌତୁକ ପ୍ରଥା ନିର୍ମୂଳ କରିବା ସହ କନ୍ୟାମାନଙ୍କ ସମ୍ମାନ ରକ୍ଷା କରିବାରେ ସହାୟକ ହେବ।”
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପରିଷଦ ସଭାପତି ସସ୍ମିତା ମେଲେକା, ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭଗବାନ ମୁଦୁଲି, କୋରାପୁଟ ପୌର ପରିଷଦ ଅଧ୍ୟକ୍ଷ ଲଲାଟ ରଞ୍ଜନ ସେଠୀ, ସୁନାବେଡ଼ା ପୌର ପରିଷଦ ଅଧ୍ୟକ୍ଷ ରାଜେନ୍ଦ୍ର ପାତ୍ରଙ୍କ ସମେତ ବହୁ ନିର୍ବାଚିତ ଜନ ପ୍ରତିନିଧି ଓ ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ଥିଲେ।
ବିବାହ ବନ୍ଧନରେ ଆବଦ୍ଧ ହୋଇଥିବା ପ୍ରତ୍ୟେକ କନ୍ୟାଙ୍କୁ ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ସେଥିମଧ୍ୟରୁ ୪୫ ହଜାର ଟଙ୍କା ସିଧାସଳଖ କନ୍ୟାଙ୍କ ବ୍ୟାଙ୍କ ଖାତାକୁ ପଠାଯାଇଥିବା ବେଳେ ଅବଶିଷ୍ଟ ୧୫ ହଜାର ଟଙ୍କା ବିବାହ ଆୟୋଜନ ଓ ପରିଚାଳନା ପାଇଁ ଖର୍ଚ୍ଚ କରାଯାଇଛି। ସମ୍ପୂର୍ଣ୍ଣ ପ୍ରକ୍ରିୟା ଶୋଭା ଫାଉଣ୍ଡେସନ, ଜିଲ୍ଲା ପ୍ରଶାସନ ଏବଂ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସୂଚାରୁରୂପେ ସମ୍ପାଦିତ ହୋଇଛି।

ବିବାହ ପରେ ସମସ୍ତ ନବଦମ୍ପତି ଯୌତୁକ ପ୍ରଥା ବିରୋଧରେ ଶପଥ ପାଠ କରିବା ସହ ଏଭଳି ଏକ ଜନହିତକର ଯୋଜନା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ମେଲେକା ଏହି ଯୋଜନା ବିଷୟରେ ଜନସାଧାରଣଙ୍କ ମଧ୍ୟରେ ଅଧିକ ସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେଇଛନ୍ତି।

nis-ad
Leave A Reply

Your email address will not be published.