କୋରାପୁଟରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ପାଳିତ: ଶ୍ରଦ୍ଧାଞ୍ଜଳି ଜ୍ଞାପନ ସହ ସ୍ମୃତି ଚାରଣ

କୋରାପୁଟ : ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ଡ. ସଦାଶିବ ତ୍ରୀପାଠୀଙ୍କ ଜନ୍ମ ଜୟନ୍ତୀ ଆଜି କୋରାପୁଟ ସ୍ଥିତ ଆର୍ଟ ଗ୍ୟାଲେରୀ ପରିସରରେ ଶ୍ରଦ୍ଧାର ସହ ପାଳିତ ହୋଇଯାଇଛି। ସକାଳ ୯ ଘଣ୍ଟା ସମୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବର୍ଗର ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦେଇ ସ୍ୱର୍ଗତ ତ୍ରୀପାଠୀଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିବା ସହ ତାଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।
ଏହି ପୂଜ୍ୟପୂଜା କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ନାୟକ ଏବଂ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରାଧା ରାଣୀ ସରକାର ପ୍ରମୁଖ ଉପସ୍ଥିତ ରହି ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ। ଏଥିସହ ସହରର ବହୁ ବୁଦ୍ଧିଜୀବୀ, ସାହିତ୍ୟିକ, କବି ଏବଂ ଗଣମାଧ୍ୟମ ପ୍ରତିନିଧିମାନେ ଯୋଗଦେଇ ସ୍ମୃତି ଚାରଣ କରିଥିଲେ।
ବିଶିଷ୍ଟ କବି ରବି ଶତପଥୀ ନିଜ ବକ୍ତବ୍ୟରେ ଡ. ସଦାଶିବ ତ୍ରୀପାଠୀଙ୍କ ଜୀବନୀ ଓ ସମାଜ ପ୍ରତି ତାଙ୍କର ଅବଦାନ ଉପରେ ଆଲୋକପାତ କରିଥିଲେ। ସେ ଡ. ତ୍ରୀପାଠୀଙ୍କୁ ଜଣେ ମହାନ୍ ସ୍ୱାଧୀନତା ସଂଗ୍ରାମୀ, ଜନପ୍ରିୟ ନେତା ତଥା ଆଦର୍ଶବାଦୀ ବ୍ୟକ୍ତିତ୍ୱ ଭାବେ ଅଭିହିତ କରିଥିଲେ। ବିଶେଷ କରି ଓଡ଼ିଶାରେ ‘ଭୂ-ସଂସ୍କାର ଆଇନ’ର ସଫଳ ରୂପାୟନ କ୍ଷେତ୍ରରେ ତାଙ୍କର ପ୍ରମୁଖ ଭୂମିକା ଏବଂ ପ୍ରଶାସନିକ ସାଧୁତା ସର୍ବଦା ସ୍ମରଣୀୟ ହୋଇ ରହିବ ବୋଲି ସେ କହିଥିଲେ। ତାଙ୍କର ମହାନ ଆଦର୍ଶ ଓ ଜୀବନ ଦର୍ଶନକୁ ନିଜ ଜୀବନରେ ପ୍ରତିଫଳିତ କରିବାକୁ ସେ ସମସ୍ତଙ୍କୁ ଆହ୍ୱାନ ଦେଇଥିଲେ।
ଏହି ଅବସରରେ ଉପସ୍ଥିତ ଅତିଥିମାନେ ସ୍ୱର୍ଗତ ତ୍ରୀପାଠୀଙ୍କ ଓଡ଼ିଶା ଗଠନରେ ଥିବା ଅତୁଳନୀୟ ଅବଦାନକୁ ମନେ ପକାଇଥିଲେ। କାର୍ଯ୍ୟକ୍ରମଟି ଶାନ୍ତିଶୃଙ୍ଖଳାର ସହ ସମ୍ପନ୍ନ ହୋଇଥିଲା।
