‘ନାରୀ ଶକ୍ତି ବନ୍ଦନ’ ପ୍ରସଙ୍ଗରେ ବିରୋଧୀଙ୍କୁ ଘେରିଲା ବିଜେପି: ସଂସଦରେ ମହିଳାଙ୍କ ପ୍ରତି ବିଶ୍ୱାସଘାତକତା କରିଛି ଇଣ୍ଡି ମେଣ୍ଟ – ସାଂସଦ ଅନିତା ଶୁଭଦର୍ଶିନୀ

ବ୍ରହ୍ମପୁର : ସଂସଦରେ ଗୁରୁତ୍ୱପୂର୍ଣ୍ଣ ବିଲ୍ଗୁଡ଼ିକୁ ବିରୋଧ କରି କଂଗ୍ରେସ, ସମାଜବାଦୀ ପାର୍ଟି, ଟିଏମସି ଏବଂ ଡିଏମକେ ଭଳି ଦଳଗୁଡ଼ିକ ଦେଶର ଅଧା ଜନସଂଖ୍ୟା ଅର୍ଥାତ୍ ମହିଳାମାନଙ୍କ ପ୍ରତି ବିଶ୍ୱାସଘାତକତା କରିଛନ୍ତି। ସେମାନଙ୍କର ଏହି ଆଚରଣ ସେମାନଙ୍କ ମହିଳା-ବିରୋଧୀ ମାନସିକତାକୁ ପଦାରେ ପକାଇଛି। “ନାରୀ ଶକ୍ତି ବନ୍ଦନ” ପ୍ରସଙ୍ଗକୁ ନେଇ ଭାରତୀୟ ଜନତା ପାର୍ଟି ପକ୍ଷରୁ ବ୍ରହ୍ମପୁର ହିଲପାଟଣା ସ୍ଥିତ ନନ୍ଦନ ହୋଟେଲ୍ ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଆସ୍କା ସାଂସଦ ଶ୍ରୀମତୀ ଅନିତା ଶୁଭଦର୍ଶିନୀ ଏହା କହି ବିରୋଧୀଙ୍କ ଉପରେ ବର୍ଷିଛନ୍ତି। ସାଂସଦ ଶ୍ରୀମତୀ ଶୁଭଦର୍ଶିନୀ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସ୍ପଷ୍ଟ କରିଛନ୍ତି ଯେ ନୀତି ନିର୍ଦ୍ଧାରଣରେ ମହିଳାମାନଙ୍କୁ ଭାଗିଦାରୀ ଦେବା କୌଣସି ଅନୁଗ୍ରହ ନୁହେଁ, ବରଂ ଏହା ସେମାନଙ୍କର ସ୍ୱାଭାବିକ ଅଧିକାର। ଦଶନ୍ଧି ଦଶନ୍ଧି ଧରି କଂଗ୍ରେସ ଏହି ଅଧିକାରକୁ ବନ୍ଧକ ରଖିଥିଲା। ଗତ ଏପ୍ରିଲ ୧୬ ଏବଂ ୧୭ ତାରିଖରେ ସଂସଦରେ ସମ୍ବିଧାନ ସଂଶୋଧନ ବିଲ୍ ଏବଂ ସୀମା ନିର୍ଦ୍ଧାରଣ ବିଲ୍ ଉପରେ ଆଲୋଚନା ବେଳେ ବିରୋଧୀ ଯେଭଳି ଆଚରଣ ଦେଖାଇଲେ, ତାହା କୋଟି କୋଟି ମାଆ ଓ ଭଉଣୀଙ୍କ ପଛରେ ଛୁରି ମାରିବା ସଦୃଶ। କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ ବକ୍ତବ୍ୟକୁ ଉଦ୍ଧାର କରି ସାଂସଦ କହିଛନ୍ତି ଯେ, ସୀମା ନିର୍ଦ୍ଧାରଣ ଦ୍ୱାରା କୌଣସି ରାଜ୍ୟର କ୍ଷତି ହେବ ନାହିଁ। ବିଶେଷ କରି ଦକ୍ଷିଣ ଭାରତର ଆନୁପାତିକ ପ୍ରତିନିଧିତ୍ୱ ଏଥିରେ ସୁରକ୍ଷିତ ରହିବ ଓ ବୃଦ୍ଧି ପାଇବ। ମାତ୍ର ଡିଏମକେ ଓ ଏହାର ସହଯୋଗୀ ଦଳଗୁଡ଼ିକ ନିଜର ରାଜନୈତିକ ସ୍ୱାର୍ଥ ପାଇଁ ଉତ୍ତର-ଦକ୍ଷିଣ ବିଭାଜନର ମିଥ୍ୟା ପ୍ରଚାର କରୁଛନ୍ତି। ସେହିପରି ସମାଜବାଦୀ ପାର୍ଟି କୋଟା ଭିତରେ ଧର୍ମଭିତ୍ତିକ ସଂରକ୍ଷଣ ଭଳି ଅସାମ୍ବିଧାନିକ ଦାବି କରି ପ୍ରସଙ୍ଗକୁ ବିଭ୍ରାନ୍ତ କରୁଥିବା ସେ ଅଭିଯୋଗ କରିଛନ୍ତି। ସାଂସଦ ଚେତାବନୀ ଦେଇ କହିଛନ୍ତି ଯେ, ଦେଶର ମହିଳାମାନେ ଏବେ ସଚେତନ। ପଞ୍ଚାୟତରୁ ସଂସଦ ପର୍ଯ୍ୟନ୍ତ ସେମାନେ ନେତୃତ୍ୱ ନେବାକୁ ପ୍ରସ୍ତୁତ। ଯେଉଁମାନେ ଏହି ଐତିହାସିକ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’କୁ ବାଧାପ୍ରାପ୍ତ କରିବାକୁ ଚେଷ୍ଟା କରୁଛନ୍ତି, ଆଗାମୀ ନିର୍ବାଚନରେ ସେମାନେ ମହିଳାମାନଙ୍କ ପ୍ରବଳ କ୍ରୋଧର ସମ୍ମୁଖୀନ ହେବେ ଏବଂ ଭୋଟ ମାଧ୍ୟମରେ ମହିଳାମାନେ ଏହାର କଡ଼ା ଜବାବ ଦେବେ। ଏହି ସାମ୍ବାଦିକ ସମ୍ମିଳନୀରେ ବିଜେପି ଗଞ୍ଜାମ ଜିଲ୍ଲା ସଭାପତି ସରୋଜ ସାବତ, ଘୁମୁସର ସାଙ୍ଗଠନିକ ଜିଲ୍ଲା ସଭାପତି ବିଜୟ ସ୍ୱାଇଁ, ବ୍ରହ୍ମପୁର ବିଧାୟକ କେ. ଅନିଲ କୁମାର, ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଉପସ୍ଥିତ ଥିଲେ। ଏଥିସହ ବରିଷ୍ଠ ନେତା ସୁନିଲ କୁମାର ସାହୁ, ସବିତା ସୁଆର, କର୍ପୋରେଟର ସବିତା ସାହୁ, ବନିତା ସାହୁ, ରତ୍ନଗର୍ଭା ସରସ୍ୱତୀ ଦେବୀ, ମନିତା ଦାଶ ଏବଂ ସ୍ମିତାଲି ସ୍ମୃତି ସ୍ନିଗ୍ଧା ପାତ୍ର ପ୍ରମୁଖ ମଞ୍ଚାସୀନ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ପ୍ରବୀର ପାତ୍ର, ପ୍ରଭାତ କିରଣ ଷଡ଼ଙ୍ଗୀ, ଆଲୋକ ସାହୁ, ବରୁଣ ପାଢ଼ୀ, ଲିଟୁ ପାତ୍ର ଓ ସାଗର ସାହୁ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
