ଅବହେଳିତ କୋଟପାଡ଼ ଶିଶୁ ଉଦ୍ୟାନ : ବର୍ଷେ ହେଲା ଶୌଚାଳୟରେ ତାଲା, ପାଣି ପାଇଁ ହନ୍ତସନ୍ତ ମହିଳା

newyr25

କୋଟପାଡ଼/କୋରାପୁଟ : କୋରାପୁଟ ଜିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦ (NAC) ଅନ୍ତର୍ଗତ ଏକମାତ୍ର ଶିଶୁ ଉଦ୍ୟାନଟି ଏବେ ଚରମ ଅବହେଳାର ଶିକାର ହୋଇଛି। ପ୍ରଶାସନିକ ଉଦାସୀନତା ଯୋଗୁଁ ସହରବାସୀଙ୍କ ମନୋରଞ୍ଜନ ଓ ଶାରୀରିକ ବ୍ୟାୟାମର ଏହି ପ୍ରମୁଖ ସ୍ଥାନଟି ଏବେ ମଦ୍ୟପଙ୍କ ଆଡ୍ଡାସ୍ଥଳୀ ପାଲଟିଥିବା ବେଳେ ବୁନ୍ଦାଏ ପାଣି ପାଇଁ ଯାତ୍ରୀ ଓ ପର୍ଯ୍ୟଟକ ହଇରାଣ ହେଉଛନ୍ତି।

ନାମକୁ ମାତ୍ର ଶିଶୁ ଉଦ୍ୟାନ:
୨୦୧୪ ମସିହାରେ ନିର୍ମିତ ଏବଂ ୨୦୧୯ରେ ପୁନଃଉଦ୍ଧାର ହୋଇଥିବା ଏହି ଉଦ୍ୟାନଟି କେବଳ ପିଲାଙ୍କ ପାଇଁ ନୁହେଁ, ବରଂ ବୟଜ୍ୟେଷ୍ଠ, ଯୁବପିଢ଼ି ଓ ଛାତ୍ରଛାତ୍ରୀଙ୍କ ପାଇଁ ପ୍ରାତଃ ଓ ସାନ୍ଧ୍ୟ ଭ୍ରମଣ ସହ ବ୍ୟାୟାମର ଏକ ପ୍ରସନ୍ଦର ସ୍ଥାନ। ମାତ୍ର ବିଜ୍ଞାପିତ ପରିଷଦ କର୍ତ୍ତୃପକ୍ଷଙ୍କ ରକ୍ଷଣାବେକ୍ଷଣ ଅଭାବରୁ ଏଠାରେ ଥିବା ଖେଳ ଉପକରଣ ଓ ଅନ୍ୟାନ୍ୟ ସାମଗ୍ରୀ ଭାଙ୍ଗିରୁଜି ବିପଦଜନକ ଅବସ୍ଥାରେ ରହିଛି। ଶିଶୁମାନେ ବାଧ୍ୟ ହୋଇ ଏହି ଭଙ୍ଗା ଦୋଳି ଓ ଖେଳନା ବ୍ୟବହାର କରୁଛନ୍ତି, ଯାହା ଯେକୌଣସି ସମୟରେ ଦୁର୍ଘଟଣା ଘଟାଇବାର ଆଶଙ୍କା ରହିଛି।

ଶୌଚାଳୟ ଅଛି ପାଣି ନାହିଁ, ବର୍ଷେ ହେଲା ତାଲା:
ଉଦ୍ୟାନ ପରିସରରେ ପ୍ରାୟ ଏକ ବର୍ଷ ପୂର୍ବରୁ ନିର୍ମିତ ଶୌଚାଳୟଟି ବ୍ୟବହାର ନହୋଇ ବର୍ତ୍ତମାନ ପର୍ଯ୍ୟନ୍ତ ତାଲା ପଡ଼ି ରହିଛି। ସେହିପରି ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ ପରିସ୍ରାଗାର ଖୋଲା ଥିଲେ ମଧ୍ୟ ସେଠାରେ ବୁନ୍ଦାଏ ପାଣି ନାହିଁ। ଫଳରେ ଉଦ୍ୟାନକୁ ଆସୁଥିବା ମହିଳାମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଜନସାଧାରଣରେ ପ୍ରଶ୍ନ ଉଠୁଛି, “ଶୌଚାଳୟରେ କେବେ ପାଣି ମିଳିବ?”

ଆଲୋକ ଅଭାବରୁ ମଦ୍ୟପଙ୍କ ଆସର:
ଉଦ୍ୟାନ ମଧ୍ୟରେ ଉପଯୁକ୍ତ ଆଲୋକିକରଣ ବ୍ୟବସ୍ଥା ନଥିବାରୁ ସନ୍ଧ୍ୟା ହେଲେ ଏଠାରେ ଅସାମାଜିକ ବ୍ୟକ୍ତି ଓ ମଦ୍ୟପଙ୍କ ଆସର ଜମୁଛି। ଉଦ୍ୟାନ ଭିତରେ ମଦ ବୋତଲ, ବିଡ଼ି ଓ ସିଗାରେଟ୍ ଖୋଳ ପଡ଼ି ପରିବେଶକୁ ଅପରିଷ୍କାର କରୁଛି। ଶାନ୍ତିରେ ସମୟ ଅତିବାହିତ କରିବାକୁ ଆସୁଥିବା ଲୋକେ ଏହାକୁ ଦେଖି ତୀବ୍ର ଅସନ୍ତୋଷ ପ୍ରକାଶ କରୁଛନ୍ତି।

ପରିଷଦ କର୍ତ୍ତୃପକ୍ଷଙ୍କ ଏହି ଦାୟିତ୍ୱହୀନତାକୁ ନେଇ ସ୍ଥାନୀୟ ବୁଦ୍ଧିଜୀବୀ ଓ ଜନସାଧାରଣଙ୍କ ମଧ୍ୟରେ କ୍ଷୋଭ ପ୍ରକାଶ ପାଇଛି। ପ୍ରଶାସନ ତୁରନ୍ତ ଏହି ସମସ୍ୟାର ସମୀକ୍ଷା କରି ଶୌଚାଳୟରେ ଜଳ ଯୋଗାଣ କରିବା ସହ ଉଦ୍ୟାନର ରକ୍ଷଣାବେକ୍ଷଣ ଓ ସୁରକ୍ଷା ପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।

Leave A Reply

Your email address will not be published.