କୋମଣ୍ଡ ଉଦୟପୁର ମାଙ୍କଡ଼ା ପଥର ଖଣିରେ ଖଣି ବିଭାଗର ଚଢ଼ାଉ…

add-all


ନୟାଗଡ଼:ନୟାଗଡ଼ ଜିଲ୍ଲା ଓଡ଼ଗାଁ ବ୍ଲକ କୋମଣ୍ଡ ରାଜସ୍ବ ଅଞ୍ଚଳର ଭଗବତୀ ପ୍ରସାଦ ମାଙ୍କଡ଼ା ପଥର ଖଣିରେ ନୟାଗଡ଼ ଜିଲ୍ଲା ଖଣି ବିଭାଗ ଚଢ଼ାଉ କରିବା ବେଳେ ଗୋଟିଏ ମାଙ୍କଡ଼ା ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରି ଓଡ଼ଗାଁ ଥାନା ଜିମାରେ ଦେଇଥିବା ଜଣାପଡିଛି ।ସୂଚନା ଅନୁଯାୟୀ ଗତ ୨ମାସ ଧରି ବେଆଇନ ଭାବେ ମାଙ୍କଡ଼ା ପଥର ନୟାଗଡ଼ ଜିଲ୍ଲାର ବିଭିନ୍ନ ଅଞ୍ଚଳ ସହିତ ଗଞ୍ଜାମ ଜିଲ୍ଲାକୁ ଚୋରା ଚାଲାଣ ହେଉଥିବା ବେଳେ ଏହି ଘଟଣା ଗଣମାଧ୍ୟମରେ ପ୍ରକାଶ ପାଇଥିଲା ।ପ୍ରତିଦିନ ଏହି ଖଣି ଗୁଡିକରୁ ୨-୩ ହଜାର ପଥର କଟା ଯାଉଥିବା ବେଳେ ପଥର କରିବା ପାଇଁ ୨ରୁ ଅଧିକ କଟର ମେସିନ ବ୍ୟବହୃତ ହେଉଛି ।ମାଙ୍କଡ଼ା ପଥର ଚୋରା ଚାଲାଣ ପାଇଁ ଟ୍ରକ୍, ମିନିଟ୍ରକ, ଟ୍ରାକ୍ଟର ସହିତ ଜେସିବି ବ୍ୟବହୃତ ହେଉଛି।ମାତ୍ର ଗତ ରାତିରେ ଖଣି ବିଭାଗ ଚଢ଼ାଉ ବେଳେ କେବଳ ଟ୍ରାକ୍ଟରଟିଏ ଜବତ ହୋଇଥିବା ବେଳେ ଅନ୍ୟ ବ୍ୟବହୃତ ଯନ୍ତ୍ରାଂଶ ସେଠାରୁ ଉଭାନ ହୋଇ ଯାଇଥିଲା ।ଏହି ଘଟଣାକୁ ନେଇ ସାଧାରଣରେ ସନ୍ଦେହ ପ୍ରକାଶ ପାଇଛି । କିଛି ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ରାତିରେ ପଥର ଚାଲାଣ ବେଳେ ବ୍ୟବହୃତ ଗାଡ଼ି ଗୁଡ଼ିକ ଏତେ ସ୍ପିଡରେ ଯାଉଛି ଯେ ଆଖି ବୁଜି ହୋଇଯାଉଛି ।ସାମ୍ନାରେ ଯିଏ ପଡ଼ିଲା ମାଟିରେ ମିଶିଯିବେ ।ଖଣି ମାଫିଆ ମାନଙ୍କ ଦ୍ଵାରା ନିଯୁକ୍ତ ହୋଇଥିବା ଲୋକମାନଙ୍କ ଦ୍ଵାରା ଏହି ମାଙ୍କଡ଼ା ଚୋରା ଚାଲାଣ ନିୟନ୍ତ୍ରଣ ହେଉଛି ।ବୈଷୟିକ ଜ୍ଞାନ କୌଶଳ ପ୍ରୟୋଗ କରି ଖଣି ବିଭାଗ ଚାହିଁଲେ ମାଫିଆ ମାନଙ୍କ ସହିତ ଏଥିରେ ବ୍ୟବହୃତ ସମସ୍ତ ତଥ୍ୟ ଓ ପ୍ରମାଣ ମିଳି ପାରିବ ।ମାତ୍ର ଖଣି ବିଭାଗର ଉଦାସୀନତା ଖଣି ମାଫିଆ ମାନଙ୍କୁ ସୁହାଇବା ଭଳି ହେଉଥିବାରୁ ନିୟମିତ ପଥର କଟା ହୋଇ ଚୋରା ଚାଲାଣ ହେଉଛି ।ବିଧିବଦ୍ଧ ଯୋଜନା ମାଧ୍ୟମରେ ଏହି ଖଣି ଅଞ୍ଚଳରେ ଚଢ଼ାଉ କରାଗଲେ ଏହି ଚୋରା କାରବାରରେ ରୋକ ଲାଗି ପାରନ୍ତା ।

Leave A Reply

Your email address will not be published.