
ନୟାଗଡ଼ : ନୟାଗଡ଼ ଜିଲ୍ଲା ଓଡ଼ଗାଁ ଏନଏସିର ସହରାଞ୍ଚଳରେ ବସବାସ କରୁଥିବା ଆର୍ଥିକ ଅନଗ୍ରସର ହିତାଧିକାରୀଙ୍କୁ ସରକାରୀ ଯୋଜନା ସହିତ ଯୋଡିବା ନିମନ୍ତେ ଏନଏସି ତରଫରୁ ସହଯୋଗ କାର୍ଯ୍ୟକ୍ରମ ମାଧ୍ୟମରେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ଶୁଭାରମ୍ଭ ଅନୁଷ୍ଠିତ ହୋଇଯାଇଛି।ଏନଏସିର ପ୍ରତି ୱାର୍ଡରେ ନିଯୁକ୍ତ ଫ୍ରଣ୍ଟ ଲାଇନ୍ ଫସିଲେଟର ମାନଙ୍କ ଦ୍ଵାରା ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ବନ୍ଦାପନା କରିବା ସହିତ ଓଡ଼ଗାଁ ତହସିଲଦାର ଡ. ମାନସ ରଂଜନ ଭୋଇ ପତାକା ହଲାଇ ସଂକେତ ଦେବାପରେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରର ରଥ ୧୦ ନମ୍ବର ୱାର୍ଡକୁ ଗଡିଥିଲା।ସରକାରଙ୍କ ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ସହରୀ), ଗରିମା, ପାନୀୟଜଳ ଯୋଗାଣ, ରାସନ କାର୍ଡ, ଆୟୁଷ୍ମାନ ଭାରତ, ଦିବ୍ୟାଙ୍ଗ ପ୍ରମାଣପତ୍ର, ମଧୁବାବୁ ପେନସନ ଯୋଜନା, ଶ୍ରମିକ କାର୍ଡ, ଇ-ଶ୍ରମ କାର୍ଡ, ପ୍ରଧାନମନ୍ତ୍ରୀ ବିଶ୍ଵକର୍ମା ଯୋଜନା, ସୁଭଦ୍ରା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଏବଂ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ପରି ୧୩ ଟି ଯୋଜନାରେ ସରକାରୀ ନିର୍ଦ୍ଦେଶାବଳୀ ଅନୁଯାୟୀ ଯୋଗ୍ୟ ହିତାଧିକାରୀ ମାନଙ୍କୁ ସାମିଲ କରିବା ପାଇଁ ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଫ୍ରଣ୍ଟ ଲାଇନ୍ ଫାସିଲେଟର ସହିତ ଯୋଗ୍ୟ ହିତାଧିକାରୀ ମାନେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ରରେ ପହଞ୍ଚି ବିଭିନ୍ନ ସହାୟତା ପାଇଁ ଅନଲାଇନ୍ ମାଧ୍ୟମରେ ଆବେଦନ କରିଥିଲେ ।ଆସନ୍ତା ୧୫ ଦିନ ମଧ୍ୟରେ ଓଡ଼ଗାଁ ଏନଏସି ଅନ୍ତର୍ଗତ ସମସ୍ତ ୧୫ ୱାର୍ଡରେ ଭ୍ରାମ୍ୟମାଣ ସହାୟତା କେନ୍ଦ୍ର ପହଞ୍ଚି ହିତାଧିକାରୀ ମାନଙ୍କୁ ସେମାନଙ୍କୁ ସରକାରୀ ଯୋଜନାର ସୁଫଳ ପ୍ରଦାନ କରିବ ।
ସୂଚନା ଅନୁଯାୟୀ ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ନିହାର ରଞ୍ଜନ ବେହେରାଙ୍କ ଉଦ୍ୟମରେ ଓଡ଼ଗାଁ ସହରୀକରଣ ବ୍ୟବସ୍ଥା ମଧ୍ୟରେ ବିକାଶ ଦିଗରେ ଅଗ୍ରସର ହେଉଥିବା ବେଳେ ସ୍ୱଚ୍ଛ ଓଡ଼ଗାଁ, ସୁସ୍ଥ ଓଡ଼ଗାଁ, ସୁନ୍ଦର ଓଡ଼ଗାଁ ଗଠନ ସହିତ ସରକାରଙ୍କ ସମସ୍ତ ସୁବିଧା ଓଡ଼ଗାଁ ସହରବାସୀଙ୍କୁ ଯୋଗାଇଦେବା ନିମନ୍ତେ ତାଙ୍କର ନିରନ୍ତର ପ୍ରୟାସ ଖୁବଶିଘ୍ର ଓଡ଼ଗାଁ ର ରୂପରେଖ ବଦଳାଇବାରେ ସହାୟକ ହେବ।ଏହି କାର୍ଯ୍ୟକ୍ରମକୁ ଜିଲ୍ଲା ମିଶନ ପରିଚାଳକ ଏମ ଶୁଭମ ପରିଚାଳନା କରିଥିବା ବେଳେ ଅନ୍ୟ ସମସ୍ତ କର୍ମଚାରୀ ସହଯୋଗ କରିଥିଲେ।