
୫ଜନଙ୍କ ଜାମିନ ଆବେଦନ ଆସନ୍ତା ମାସ ୫ ତାରିଖକୁ ଘୁଞ୍ଚିଲା
ବ୍ରହ୍ମପୁର : ପୀତବାସ ପଣ୍ଡା ହତ୍ୟା ମାମଲାରେ ବିକ୍ରମ ପଣ୍ଡା, ମଦନ ଦଳେଇ ଓ ମଳୟ ବିଷୋୟୀଙ୍କୁ ଛାଡ଼ିଦେଲେ ଅନ୍ୟ ୧୨ ଜଣ ଅଭିଯୁକ୍ତ ଭିସି ଯୋଗ ହାଜର ହୋଇଥିଲେ । ପୂର୍ବରୁ ପୋଲିସ ପକ୍ଷରୁ ଦିଆଯାଇଥିବା ଏହି ମାମଲାର ତଥ୍ୟ ଓ ପ୍ରମାଣର କପିରେ ଅନେକ ତଥ୍ୟ ଠିକ୍ ଭାବେ ଦେଖାଯାଉନଥିବା ନେଇ ପୁଣି ଥରେ ଅଭିଯୁକ୍ତଙ୍କ ଓକିଲ କୋର୍ଟରେ ଜଣାଇଥିଲେ । ଯାହାଫଳରେ ଆଜି ମଧ୍ୟ ଏକ ଟ୍ରଙ୍କ ପେଢ଼ିରେ ପୋଲିସ ପକ୍ଷରୁ ସମସ୍ତ ତଥ୍ୟ ପ୍ରମାଣର କପିକୁ ଅଣାଯାଇଥିଲା । କିନ୍ତୁ ଏହି କପି ମଧ୍ୟ ପୂର୍ବ ଭଳି ଅକ୍ଷର ଗୁଡ଼ିକ ଦେଖାଯାଉନଥିବା ଯୋଗୁଁ ମୁଦାଲାଙ୍କ ଓକିଲ ପୋଲିସକୁ ପୁଣି ଥରେ ଭଲ ଭାବେ ଦେଖାଯାଉଥିବା କପି ପ୍ରଦାନ କରିବାକୁ କୋର୍ଟକୁ ଅନୁରୋଧ କରିଥିଲେ । ଅନୁରୋଧ ପ୍ରକାରେ କୋର୍ଟ ପୋଲିସକୁ ଆସନ୍ତା ୫ ତାରିଖରେ କପି ଦେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ଜବତ ହୋଇଥିବା ଫୋଟ, ପେନ୍ଡ଼୍ରାଇଭ, ସିସିଟିଭି କ୍ୟାମେରାରର କପି ଅଭିଯୁକ୍ତଙ୍କ ଓକିଲଙ୍କୁ ପ୍ରଦାନ କରାଯାଇନାହିଁ । ତେଣୁ ମାମଲାର କିଭଳି ଶୁଣାଣୀ ଆରମ୍ଭ ହେବ ବୋଲି ପ୍ରଶ୍ନ କରିଛନ୍ତି ମୁଦାଲାଙ୍କ ଓକିଲ ଦୀପକ ପଟ୍ଟନାୟକ । ସେପଟେ ଆଜି କୁଣ୍ଡନ କୁମାର ,ଶିଶୁପାଲ ପାଶୱାନ ,ବିପିନ୍ ସ୍ୱାଇଁ , ସିମାଞ୍ଚାଲ ନାୟକ, ସୁନିଲ୍ ହୋତା ଜଣଙ୍କ ଜାମିନ ଆବେଦନ ନେଇ ଶୁଣାଣୀ ରହିଥିବା ବେଳେ ଆସନ୍ତା ୫ ତାରିଖକୁ ଘୁଞ୍ଚିଛି ଶୁଣାଣି। ତେବେ ସୁନୀଲ ହୋତାଙ୍କ ଓକିଲ ଆଜି ପୂର୍ବରୁ ଜାମିନ ଆବେଦନ ପତ୍ରକୁ ଫେରାଇ ନେବା ସହିତ ନୂତନ ଭାବେ ଆଜି ଜାମିନ ଆବେଦନ କରିଛନ୍ତି । ମାନ୍ୟବର କୋର୍ଟ ଆସନ୍ତା ମାର୍ଚ୍ଚ ୫ତାରିଖକୁ ପରବର୍ତ୍ତୀ ଶୁଣାଣି ପାଇଁ ତାରିଖ ଧାର୍ଯ୍ୟ କରିଛନ୍ତି।