ଚଚରା ଘାଟିରେ ମୁମୂର୍ଷୁ ଅବସ୍ଥାରେ ପଡ଼ିଥିବା ମହିଳାଙ୍କୁ ଉଦ୍ଧାର ସ୍ୱାସ୍ଥ୍ୟକର୍ମୀଙ୍କ ମାନବିକତାକୁ ସାଧାରଣରେ ପ୍ରଶଂସା

ଉମରକୋଟ : ନବରଙ୍ଗପୁର ଜିଲ୍ଲାର ଚନ୍ଦାହାଣ୍ଡି ନିକଟସ୍ଥ ଚଚରା ଘାଟିରେ ଜଣେ ମହିଳା ମୁମୂର୍ଷୁ ଅବସ୍ଥାରେ କିଛି ସମୟ ପର୍ଯ୍ୟନ୍ତ ପଡ଼ିରହିଥିବା ଘଟଣା ରବିବାର ଦିନ ଦେଖିବାକୁ ମିଳିଥିଲା। ସମୟୋପଯୋଗୀ ଭାବେ ସ୍ୱାସ୍ଥ୍ୟକର୍ମୀମାନଙ୍କ ମାନବିକ ପଦକ୍ଷେପ ଓ ସଚେତନତା ଫଳରେ ମହିଳାଙ୍କ ଜୀବନ ରକ୍ଷା ପାଇଥିବା ବୋଲି ସୂଚନା ମିଳିଛି।
ମିଳିଥିବା ସୂଚନା ଅନୁଯାୟୀ, ଛାୟାରାଣୀ ମଣ୍ଡଳ ନାମକ ଜଣେ ମହିଳା ଚନ୍ଦାହାଣ୍ଡି ଠାରୁ ରାଇଘର ଦିଗକୁ ବାଇକ ଯୋଗେ ନିଜ ସମ୍ପର୍କୀୟଙ୍କ ଘରକୁ ଯାଉଥିବା ସମୟରେ ଚନ୍ଦାହାଣ୍ଡି ନିକଟସ୍ଥ ଚଚରା ଘାଟିରେ ଅଚେତ ଅବସ୍ଥାରେ ପଡ଼ିରହିଥିଲେ। ଘାଟି ରାସ୍ତା ହେତୁ କିଛି ସମୟ ପର୍ଯ୍ୟନ୍ତ ସେଠାରେ ତାଙ୍କୁ କେହି ଧ୍ୟାନ ଦେଇନଥିଲେ। ପରେ ସେହି ରାସ୍ତା ଦେଇ ଯାଉଥିବା କିଛି ଯାତ୍ରୀ ଓ ସ୍ଥାନୀୟ ଲୋକ ମହିଳାଟିଙ୍କୁ ମୁମୂର୍ଷୁ ଅବସ୍ଥାରେ ଦେଖି ଚିନ୍ତିତ ହୋଇଥିଲେ।
ଏହି ସମୟରେ ଭାଗ୍ୟବଶତଃ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର କିଛି ସ୍ୱାସ୍ଥ୍ୟକର୍ମୀ ଜରୁରୀ କାର୍ଯ୍ୟ ସହ ତାଲିମ ପାଇଁ ନବରଙ୍ଗପୁରକୁ ଯାଉଥିଲେ। ସେମାନଙ୍କ ମଧ୍ୟରେ ସିଏଚ ନାରାୟଣ ବାଗ, ପୁରୁଷୋତ୍ତମ ସୁନା, ଅନ୍ତର୍ଯ୍ୟାମୀ ବାଗ ଓ ବିଡିଏମ ରୁଦ୍ର କୋଳଥିଆ ଥିବା ସୂଚନା ମିଳିଛି। ସେମାନେ ଘାଟିରେ ମହିଳାଟିଙ୍କୁ ଅଚେତ ଅବସ୍ଥାରେ ପଡ଼ିଥିବା ଦେଖି କିଛି ବିଲମ୍ବ ନକରି ତୁରନ୍ତ ଉଦ୍ଧାର କାର୍ଯ୍ୟରେ ଲାଗିପଡ଼ିଥିଲେ।
ସ୍ୱାସ୍ଥ୍ୟକର୍ମୀମାନେ ପ୍ରଥମେ ମହିଳାଙ୍କୁ ସୁରକ୍ଷିତ ଭାବେ ଉଠାଇ ସେଠାରେ ପ୍ରାଥମିକ ସହାୟତା ଦେଇଥିଲେ। ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ସେବାକୁ ଯୋଗାଯୋଗ କରି ମହିଳାଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇବା ବ୍ୟବସ୍ଥା କରିଥିଲେ। ସମୟରେ ଚିକିତ୍ସା ସୁବିଧା ମିଳିବା ଫଳରେ ମହିଳାଙ୍କ ଜୀବନ ରକ୍ଷା ପାଇଥିବା ବୋଲି ଜଣାପଡ଼ିଛି।
ସ୍ୱାସ୍ଥ୍ୟକର୍ମୀମାନଙ୍କ ଏହି ମାନବିକ ପଦକ୍ଷେପ ଓ ସଚେତନତାକୁ ସ୍ଥାନୀୟ ଲୋକମାନେ ବହୁ ପ୍ରଶଂସା କରୁଛନ୍ତି। ଜଣେ ଅସହାୟ ମହିଳାଙ୍କୁ ଜୀବନ ଦାନ ଦେଇଥିବା ଏହି ଘଟଣା ମାନବିକତାର ଏକ ଉଦାହରଣ ଭାବେ ସାମ୍ନାକୁ ଆସିଛି। ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀମାନେ ନିଜ କର୍ତ୍ତବ୍ୟ ସହ ମାନବିକତାକୁ ମଧ୍ୟ ଗୁରୁତ୍ୱ ଦେଇଥିବାରୁ ସାଧାରଣରେ ତାଙ୍କ କାର୍ଯ୍ୟକୁ ଉଚ୍ଚ ସ୍ୱରରେ ପ୍ରଶଂସା କରାଯାଉଛି।
(ଉମରକୋଟରୁ ରସିକ ସରକାରଙ୍କ ରିପୋର୍ଟ)