ବିମାନ ଭଡା ବୃଦ୍ଧି ନେଇ ବିଜ୍ଞପ୍ତି ଜାରି କଲା ଏୟାର ଇଣ୍ଡିଆ

newyr25

ନୂଆଦିଲ୍ଲୀ: ମଧ୍ୟପ୍ରାଚ୍ୟ ଯୁଦ୍ଧ ପ୍ରଭାବରେ ମହଙ୍ଗା ହେବାରେ ଲାଗିଛି ବିମାନ ଇନ୍ଧନ । ପ୍ରଭାବରେ ବିଶ୍ବର ବିଭିନ୍ନ ପ୍ରାନ୍ତର ଏୟାରଲାଇନ୍ସ ଟିକଟ ମୂଲ୍ୟ ବଢ଼ାଇବା ଆରମ୍ଭ କରିଛନ୍ତି । ଭଡା ବୃଦ୍ଧି ନେଇ ଏୟାର ଇଣ୍ଡିଆ ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି । ଘରୋଇ ବିମାନ ପାଇଁ ୩୯୯ ଟଙ୍କା ବୃଦ୍ଧି ପାଇଥିବା ବେଳେ ଅନ୍ତର୍ଜାତୀୟ ଭଡାରେ ୨୫ରୁ ୫୦ ଡଲାର ବଢ଼ିଛି । ଆସନ୍ତାକାଲିଠୁ ନୂଆ ଦର ଲାଗୁ ହେବ ।

ଆଭିଏସନ ଟର୍ବାଇନ୍ ଫୁଏଲ୍ – ଏଟିଏଫ୍ ମୂଲ୍ୟ ହଠାତ୍ ବଢ଼ିଯିବା କାରଣରୁ କମ୍ପାନିଗୁଡ଼ିକର ପରିଚାଳନା ଖର୍ଚ୍ଚ ବଢ଼ିଯାଇଛି । ତାହାକୁ ଦୃଷ୍ଟିରେ ରଖି ସେମାନେ ଟିକଟ୍ ମୂଲ୍ୟ ବଢ଼ାଉଛନ୍ତି । ଅଷ୍ଟ୍ରେଲିଆର କ୍ବାଣ୍ଟାସ୍ ଏୟାରୱେଜ୍ , ସ୍କାଣ୍ଡିନାଭିଆର ଏସ୍ ଏଏସ୍ ଓ ନ୍ୟୁଜିଲ୍ୟାଣ୍ଡର ଏୟାର ନ୍ୟୁଜିଲ୍ୟାଣ୍ଡ୍ ଟିକଟ ଦର ବଢ଼ାଇଛନ୍ତି । ଯୁଦ୍ଧ ପୂର୍ବରୁ ବିମାନ ଇନ୍ଧନର ବ୍ୟାରେଲ୍ ପିଛା ଦର ୮୫-୯୦ ଡଲାର ଥିଲା । ଏବେ ତାହା ୧୫୦-୨୦୦ ଡଲାରରେ ପହଞ୍ଚିଛି ।

ହର୍ମୁଜ ପ୍ରଣାଳୀ ଦେଇ ତେଲ ଜାହାଜ ସ୍ବାଭାବିକ ଭାବେ ଚଳାଚଳ କରିପାରୁନଥିବାରୁ ତେଲ ଦର ବଢ଼ୁଛି । ଯଦି ଏହି ସ୍ଥିତି ଲମ୍ବା ସମୟ ଲାଗିରହିବ ତେବେ ବିମାନ ଟିକଟ ଆହୁରି ମହଙ୍ଗା ହେବ ଓ ବିମାନ ଯାତ୍ରା ଚାହିଦା ହ୍ରାସ ପାଇବ ବୋଲି ଆଶଙ୍କା କରାଯାଉଛି । ଆକାଶମାର୍ଗ ବନ୍ଦ ଓ ସୀମିତ କ୍ଷମତା କାରଣରୁ ଏସିଆ ଓ ୟୁରୋପ ମଧ୍ୟରେ ବିମାନ ଭଡ଼ା ଆକାଶଛୁଆଁ ସ୍ତରରେ ପହଞ୍ଚିଛି । ହଂକଂ ଏୟାରଲାଇନ୍ସ ମଧ୍ୟ ତେଲର ବର୍ଦ୍ଧିତ ଦରକୁ ନେଇ ଚିନ୍ତା ପ୍ରକଟ କରିଛି । ଏହା ହଂକଂ, ମାଳଦ୍ବୀପ, ବାଂଲାଦେଶ ଓ ନେପାଳ ମଧ୍ୟରେ ଯାତ୍ରାକୁ ପ୍ରଭାବିତ କରିବ ବୋଲି କମ୍ପାନି ଆଶଙ୍କା କରୁଛି ।

Leave A Reply

Your email address will not be published.