
ନୂଆଦିଲ୍ଲୀ: ଭାରତୀୟ ବିମାନ କମ୍ପାନୀ ଆକାସା ଏୟାର୍ ବିମାନର ଟିକେଟ୍ ମୂଲ୍ୟ ବୃଦ୍ଧି ଘୋଷଣା କରିଛି । ସମସ୍ତ ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ପ୍ରତ୍ୟେକ ସିଟ୍ ପାଇଁ ଯାତ୍ରୀଙ୍କଠାରୁ ୧୯୯ଟଙ୍କାରୁ ୧୩୦୦ଟଙ୍କା ପର୍ଯ୍ୟନ୍ତ ଫୁଏଲ ସରଚାର୍ଜ ଆଦାୟ କରିବ ବୋଲି ଆକାସା ଏୟାର୍ କହିଛି । ଏୟାରଲାଇନ୍ସ କମ୍ପାନୀ କହିଛି ଯେ, ୧୫ ମାର୍ଚ୍ଚ ୧୨.୦୧ରୁ ବୁକିଂ ହୋଇଥିବା ସମସ୍ତ ବିମାନ ଟିକେଟରୁ ଫୁଏଲ ସରଚାର୍ଜ ନିଆଯିବ । ଆପଣଙ୍କୁ ଜଣାଇ ରଖୁଛୁ ଯେ, ମଧ୍ୟପୂର୍ବରେ ଜାରି ହୋଇ ରହିଥିବା ଯୁଦ୍ଧ ଯୋଗୁଁ ଏଭିଏସନ୍ ଟର୍ବାଇନ୍ ଫ୍ଲୁର ମୂଲ୍ୟ ବୃଦ୍ଧି ପାଉଛି । ଯେଉଁଥିପାଇଁ ଏୟାରଲାଇନ୍ସ କମ୍ପାନୀ ଭଡ଼ାରେ ଫୁଏଲ ସରଚାର୍ଜ ସାମିଲ କରିବାକୁ ନିଷ୍ପତ୍ତି ନେଇଛି ।
ଯେକୌଣସି ଏୟାରଲାଇନ୍ସ କମ୍ପାନୀର ଅପରେଟିଂ ଖର୍ଚ୍ଚରେ ଫୁଏଲର ଅଂଶ ଖୁବ୍ ଗୁରୁତ୍ବପୂର୍ଣ୍ଣ । ଏମିତିରେ ଏଟିଏଫର ମୂଲ୍ୟ ବଢିବାରୁ ଏୟାରଲାଇନ୍ କମ୍ପାନୀଗୁଡିକ ଖୁବ୍ ଚାପ ପକାଉଛି । ଆକାସା ଏୟାର ପୂର୍ବରୁ ଦୁଇଟି ପ୍ରମୁଖ ଏୟାର ଲାଇନ୍ କମ୍ପାନୀ ଏୟାର ଇଣ୍ଡିଆ ଏବଂ ଇଣ୍ଡିଗୋ ମଧ୍ୟ ଯାତ୍ରୀମାନଙ୍କଠାରୁ ଫୁଏଲ ସରଚାର୍ଜ ଆଦାୟ କରୁଥିଲେ । ଏୟାର ଇଣ୍ଡିଆ ପ୍ରଥମେ ଫୁଏଲ ସରଚାର୍ଜ ଆଦାୟ ଘୋଷଣା କରିଥିଲା । ଏହାପରେ ଗତକାଲି ଇଣ୍ଡିଗୋ ସରଚାର୍ଜ ଆଦାୟ ଘୋଷଣା କରିଥିଲା । ମାର୍ଚ୍ଚ ୧୨ ତାରିଖରୁ ଏୟାର ଇଣ୍ଡିଆ ବିମାନ ଟିକେଟରେ ୩୯୯ରୁ ୯୦ ଟଙ୍କା ପାର୍ଯ୍ୟନ୍ତ ଫୁଏଲ ସରଚାର୍ଜ ଆଦାୟ କରୁଛି । ସେହିପରି ଆଜି ଇଣ୍ଡିଗୋ ବିମାନ ଟିକେଟରେ ୪୨୫ ରୁ ୨୩୦୦ ଟଙ୍କା ପର୍ଯ୍ୟନ୍ତ ଫୁଏଲ ସରଚାର୍ଜ ଆଦାୟ କରୁଛି ।
ଅନ୍ୟପଟେ ବିମାନକୁ ଚଲାଇବା ପାଇଁ ବ୍ୟବହୃତ ATF ମଧ୍ୟ ଅଶୋଧିତ ତୈଳ ବିଶୋଧନ କରି ତିଆରି କରାଯାଏ ଏବଂ ଅଶୋଧିତ ତୈଳ ମୂଲ୍ୟ ବ୍ୟାରେଲ ପ୍ରତି ୧୦୦ ଡଲାର ପାଖାପାଖି ପହଞ୍ଚିଛି । ‘IATAର ଜେଟ୍ ଫୁଏଲ୍ ମନିଟର’ ଅନୁଯାୟୀ, ଏହି କ୍ଷେତ୍ରରେ ଇନ୍ଧନର ମୂଲ୍ୟ ୮୫% ରୁ ଅଧିକ ବୃଦ୍ଧି ପାଇଛି ବୋଲି ଗତକାଲି ଇଣ୍ଡିଗୋ ଏକ ପ୍ରେସ୍ ରିଲିଜରେ କହିଛି । ଏହାର ହଠାତ୍ ବୃଦ୍ଧି ହେବାରୁ ସମସ୍ତ ଏୟାରଲାଇନ୍ସର ଖର୍ଚ୍ଚ ଏବଂ ନେଟୱାର୍କକୁ ପ୍ରଭାବିତ କରୁଛି ।