
ନୂଆଦିଲ୍ଲୀ : ଭାରତରେ ଏଲପିଜି ସଙ୍କଟ ବଢୁଥିବା ମଧ୍ୟରେ ଏକ ବଡ଼ ଆଶ୍ବସ୍ତି ଖବର ସାମ୍ନାକୁ ଆସିଛି । ଏହି ସଙ୍କଟକୁ ଦୂର କରିବା ପାଇଁ ପ୍ରଧାନମନ୍ତ୍ରୀ ମୋଦି ଏବଂ ଇରାନ ରାଷ୍ଟ୍ରପତି ମାସୁଦ ପେଜେଶକିୟାନଙ୍କ ମଧ୍ୟରେ ଆଲୋଚନା ହୋଇଥିବା ଜଣାପଡିଛି । ଯାହା ପରେ ଇରାନ ୨ଟି ଭାରତୀୟ ଏଲପିଜି ଜାହାଜକୁ ହର୍ମୁଜ ଦେଇ ଆସିବାକୁ ଅନୁମତି ଦେଇଛି । ଏହି ପଦକ୍ଷେପ ଭାରତ ପାଇଁ ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ । କାହିଁକିନା ଗତ କିଛି ଦିନ ତଳେ ମଧ୍ୟପ୍ରାଚ୍ୟର ଯୁଦ୍ଧ ଯୋଗୁଁ ବାଣିଜ୍ୟିକ ଏଲପିଜିର ଘୋର ସଙ୍କଟ ଦେଖାଦେଇଥିଲା । ଫଳରେ ଅନେକ ଅଞ୍ଚଳରେ ହୋଟେଲ ଏବଂ ରେଷ୍ଟୁରାଣ୍ଟରେ ତାଲା ପଡିବା ପରିସ୍ଥିତିରେ ପହଞ୍ଚିଛି ।
ସୂଚନାନୁଯାୟୀ, ଯୁଦ୍ଧ ଭିତରେ ଭାରତକୁ ଆସୁଛି ଦୁଇଟ ବଡ଼ ତୈଳ ଟ୍ୟାଙ୍କର । ପ୍ରଧାନମନ୍ତ୍ରୀଙ୍କ ହସ୍ତକ୍ଷେପ ଏବଂ ୪ ଥର ଫୋନ୍ କଲ୍ ପରେ ଭାରତ ଅଭିମୁଖେ ଆସୁଥିବା ୨ଟି ଜାହାଜ ହର୍ମୁଜ ଅତିକ୍ରମ କରିଛି । ଭାରତୀୟ ପତାକା ଲାଗିଥିବା ଦୁଇଟି LPG ଟ୍ୟାଙ୍କର ହେଲା ଶିବାଲିକ ଏବଂ ନନ୍ଦା ଦେବୀ । ସଫଳତାର ସହ ହର୍ମୁଜ ଅତିକ୍ରମ କରିଛନ୍ତି ।
ଅନ୍ୟପଟେ ମାର୍ଚ୍ଚ ୧୨ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇରାନ ରାଷ୍ଟ୍ରପତି ମାସୁଦ ପେଜେସକିଆନଙ୍କ ସହ ସିଧାସଳଖ କଥା ହୋଇଥିଲେ । ୪ ଥର ଫୋନ୍ କଲ୍ କରିଥିଲେ ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର । ତାଙ୍କ ଇରାନ ପ୍ରତିପକ୍ଷ ସୟଦ ଅବାସ ଆରାଘଚିଙ୍କ ସହ ଆଲୋଚନା କରିଥିଲେ । ଏହା ପରେ ସୁରକ୍ଷିତ ଭାବେ ଭାରତ ଆସିଛି ଦୁଇ ଏଲପିଜି ଟ୍ୟାଙ୍କର । ଏହି ଜାହାଜରେ ପ୍ରାୟ ୪୦,୦୦୦ ରୁ ୫୫,୦୦୦ ମେଟ୍ରିକ ଟନ LPG ରହିଛି । ଭାରତୀୟ ନୌସେନାର ଏକ ଯୁଦ୍ଧ ଜାହାଜ ସୁରକ୍ଷା ବଳୟ ମଧ୍ୟରେ ଏହି ଟ୍ୟାଙ୍କରଗୁଡ଼ିକୁ ଅତିକ୍ରମ କରାଯାଇଛି । ଏହି ଜାହାଜଗୁଡ଼ିକ ଆସନ୍ତା ସୋମବାର ରାତି ସୁଦ୍ଧା ଭାରତୀୟ ବନ୍ଦରରେ ପହଞ୍ଚିବାର ସମ୍ଭାବନା ରହିଛି । ଭାରତରେ ଦେଖାଦେଇଥିବା ଗ୍ୟାସ ଅଭାବ ପରିସ୍ଥିତିରେ ସୁଧାର ଆସିବ ।