ଆଗକୁ କୁଟୁମ୍ବ ଯାତ୍ରା, ପରିମଳ ବ୍ୟବସ୍ଥା ସୁଧୁରୁନି, କୁମ୍ଭକର୍ଣ୍ଣ ନିଦରେ ପରିଷଦ କର୍ତ୍ତୃପକ୍ଷ

newyr25

କୋଟପାଡ଼ /କୋରାପୁଟ : କୋରାପୁଟ ଜ଼ିଲ୍ଲା କୋଟପାଡ଼ ବିଜ୍ଞାପିତ ଅଞ୍ଚଳ ପରିଷଦରେ ରହିଥିବା ତେରଗୋଟି ୱାର୍ଡର ଗୋଷ୍ଠୀରେ ଥିବା ଶୌଚାଳୟ ଗୁଡିକର ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳୁଛି l ଆସନ୍ତା ତେଇଶି ତାରିଖରୁ ଆରମ୍ଭ ହେବାକୁ ଯାଉଛି କୋଟପାଡ଼ର ଅଧିଷ୍ଠାତ୍ରୀ ଦେବୀ ଶ୍ରୀ ଶ୍ରୀ ଶ୍ରୀ ମା ଶୀତଳା ଠାକୁରାଣୀଙ୍କ ତ୍ରୟ ବାର୍ଷିକ କୁଟୁମ୍ବ ଯାତ୍ରା, ଯାହା ନ’ ଦିନ ପର୍ଯ୍ୟନ୍ତ ମହା ଆଡମ୍ବାରରେ ତିନି ବର୍ଷକୁ ଥରେ ଆୟୋଜିତ କରାଯାଇଥାଏ l ଆନ୍ଧ୍ର ପ୍ରଦେଶ, ଛତିଶଗଡ ଏବଂ ବିଭିନ୍ନ ଅଞ୍ଚଳରୁ ହଜାର ହଜାର ଭକ୍ତଙ୍କ ଜନ ସମାବେଶ ହେବ l ହେଲେ ଏଠାରେ ରହିଥିବା ଶୌଚାଳୟ ଗୁଡିକ ଦୟନୀୟ ହୋଇ ପଡି ରହିଛି l
କୋଟପାଡ଼ ଗାନ୍ଧୀ ଛକ ନିକଟରେ ଗୋଟିଏ ପରିସ୍ରାଗାର, ବିଲେଇ ମାତା ମନ୍ଦିର ଗଳିରେ ଗୋଟିଏ ଶୌଚାଳୟ ରହିଛି l ଯାହା ଅତି ଦୁର୍ଗନ୍ଧ ମୟ ପରିସ୍ଥିତିରେ l କେତେବେଳେ କେମିତି କିଛିମାତ୍ରାରେ ବ୍ଲିଚିଙ୍ଗ ପାଉଡର ପକାଯାଏ, ଫିନାଇଲ ପକାଇବା ଦୂରର କଥା, ସରକାରୀ ସ୍ତରରେ ଯୋଗାଣ ହେଉଛି କି ନାହିଁ ସନ୍ଦେହ l ଅନ୍ୟ ପକ୍ଷରେ ଦୀର୍ଘ ସମୟ ଧରି ଶିଶୁ ଉଦ୍ୟାନ ଭିତରେ ଶୌଚାଳୟଟି ନିର୍ମିତ ହୋଇ ପଡିରହିଛ, ହେଲେ ସେଠାରେ ବର୍ତମାନ ପର୍ଯ୍ୟନ୍ତ ପାଣିର ସୁବିଧା ହୋଇନାହିଁ l କିନ୍ତୁ ପାଣି ଟାଙ୍କି ରହିଛି l ଏହିପରି ବିଭିନ୍ନ ୱାର୍ଡରେ ନିର୍ମାଣ କରାଯାଇଥିବା ଗୋଷ୍ଠୀ ଶୌଚାଳୟ ଶୋଚନୀୟ ସ୍ଥିତିରେ ରହିଛି l
ପରିଷଦ ଅଧ୍ୟକ୍ଷ, କର୍ତ୍ତୃପକ୍ଷଙ୍କୁ ମୌଖିକ ଭାବେ ବାରମ୍ବାର ଅବଗତ କରାଯିବା ସତ୍ୱେ କୁମ୍ଭ କର୍ଣ ନିଦ୍ରାରେ ରହିଛନ୍ତି ବଡବାବୁ ମାନେ l ଅନ୍ୟପକ୍ଷରେ କେତେକ ଜନପ୍ରତିନିଧି ସକ୍ରିୟ ରହିଥିବା ବେଳେ ଆଉ କିଛି ନ କହିବା ଭଲ l ଶୀଘ୍ର ଗୋଷ୍ଠୀ ଶୌଚାଳୟ ଗୁଡିକୁ ମରାମତି, ରକ୍ଷଣା ବେକ୍ଷଣାର ବ୍ୟବସ୍ଥା କରାଯିବାକୁ ବୁଦ୍ଧିଜୀବି, ଜନସାଧାରଣ ଦାବୀ କରୁଛନ୍ତି l ହେଲେ ପରିଷଦ କର୍ତ୍ତୃପକ୍ଷ, ଅଧ୍ୟକ୍ଷ, ଜନ ପ୍ରତିନିଧି ଆଗକୁ ଏହାର କିଭଳି ଭାବେ ପ୍ରତିକାର କରୁଛନ୍ତି, ଦେଖିବାକୁ ବାକି l

Leave A Reply

Your email address will not be published.