
ବ୍ରହ୍ମପୁର, ୧୭/୩ : ବ୍ରହ୍ମପୁର ମହାନଗରର ବହୁ ପୂରାତନ ପ୍ରସିଦ୍ଧ ମନ୍ଦିର ବାବା ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମହାଦେବଙ୍କ ଜୀର୍ଣ୍ଣଉଦ୍ଧାର ପ୍ରାସାଦ ବିସର୍ଜନ ସହିତ ନୂତନ ଭବ୍ୟ ପ୍ରାସାଦାର୍ଘ୍ୟ ମହା ସମାରୋହ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏହାସହ ମନ୍ଦିରର ମୁଖ୍ୟ ମୁଖଶାଳାର ଶୁଭ ଦିଆଯାଇଛି । ଏହି କାର୍ଯ୍ୟକ୍ରମରେ ବ୍ରହ୍ମପୁର ସହର ତଥା ଗଞ୍ଜାମ ଜିଲ୍ଲାର ବହୁ ବିଶିଷ୍ଟ ବ୍ୟକ୍ତି ଓ ଭକ୍ତଙ୍କ ଉପସ୍ଥିତିରେ ପୂଜାର୍ଚ୍ଚନା, ହୋମଯଜ୍ଞ ଏବଂ ପ୍ରସାଦ ସେବନ କାର୍ଯ୍ୟକ୍ରମ ମହାଆଡମ୍ବରରେ ଅନୁଷ୍ଠିତ ହୋଇଥିଲା । ମୁଖ୍ୟ ପଣ୍ଡିତ ଶ୍ରୀ ଅଶୋକ କୁମାର ପାଢ଼ୀ ଏବଂ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିର ପୂଜାରୀଙ୍କ ମିଳିତ ସହଯୋଗରେ ପୂଜାନୀତି ସମ୍ପନ୍ନ ହୋଇଥିଲା । ବାବା ଶ୍ରୀ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ମନ୍ଦିରର ଦଧିନଉତି ଓ ତ୍ରିଶୁଳ ବୃଷଭଙ୍କ ଦ୍ୱାରା ଭଗ୍ନ କରାଯାଇଥିଲା । ପଥରରେ ନିର୍ମାଣ ହେବାକୁ ଥିବା ନୂତନ ମନ୍ଦିର ପାଇଁ ବହୁ ଭକ୍ତ ସ୍ୱଇଚ୍ଛାରେ ଅର୍ଥରାଶି ଅନୁଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମ ପଥରରେ ମନ୍ଦିର ନିର୍ମାଣ କରିବାକୁ ଥିବା ଶିଳ୍ପୀ କାରିଗର, ମନ୍ଦିର ପରିଚାଳନା ଟ୍ରଷ୍ଟି ଓ କମିଟି ସଦସ୍ୟଙ୍କ ଦ୍ବାରା ସମସ୍ତ କାର୍ଯ୍ୟ ସଂପାଦିତ ହୋଇଥିଲା । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ,ପୂର୍ବତନ ବିଧାୟକ ଡ଼ା ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ,ବ୍ରହ୍ମପୁର ମେୟର ସଂଘମିତ୍ରା ଦଳେଇ,ପୂର୍ବତନ ବିଡ଼ିଏ ଅଧ୍ୟକ୍ଷ ସୁବାସ ମହାରଣା,ବିଜେଡ଼ି ନେତା ଦୁର୍ଗା ପ୍ରସାଦ ପଣ୍ଡା,ବିଜେପିର ବରିଷ୍ଠ ନେତା ସୁନିଲ କୁମାର ସାହୁ,ବିଜେପି ଜିଲ୍ଲା ଉପସଭାପତି ପ୍ରଭାତ କିରଣ ଷଡ଼ଙ୍ଗୀ,ସହରର ବହୁ କର୍ପୋରେଟରଙ୍କ ସମେତ ସହରର ବିଭିନ୍ନ ଅନୁଷ୍ଠାନର ସଦସ୍ୟ ସଦସ୍ୟାଙ୍କ ସହ ବହୁ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ ।