ବ୍ଲକସ୍ତରୀୟ କଳାକାର ସମାବେଶ ନିମନ୍ତେ ପ୍ରସ୍ତୁତି ବୈଠକ

add-all

ଗୋବରା (ବେଲଗୁଣ୍ଠା) : କଳା ଓ କଳାକାର ହିତୈଷୀ ମହାମଞ୍ଚ “ବେଲଗୁଣ୍ଠା ବ୍ଲକ ବରିଷ୍ଠ କଳାକାର ସଂଘ” ପକ୍ଷରୁ ଏକ କଳାକାର ସମାବେଶ ଆୟୋଜନ ନିମନ୍ତେ ପ୍ରସ୍ତୁତି ବୈଠକ ସ୍ଥାନୀୟ ନୃସିଂହ ମନ୍ଦିର ପରିସରରେ ସଭାପତି ସୁରେନ୍ଦ୍ର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ସମ୍ପାଦକ ରଞ୍ଜିତ କୁମାର ପାତ୍ର ସ୍ୱାଗତ ଭାଷଣ କ୍ରମରେ ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଏହି ଅବସରରେ ଚଳିତ ମାର୍ଚ୍ଚ ୨୫ ତାରିଖରେ ସମାବେଶ ବେଲଗୁଣ୍ଠା ଠାରେ ଅନୁଷ୍ଠାନ ନିମନ୍ତେ ସ୍ଥିର କରାଯାଇଥିଲା। ତଦନୁସାରେ ଉକ୍ତ ଦିନ ପୂର୍ବାହ୍ନ ନଅ ଘଟିକା ସମୟରେ ବ୍ଲକ ଛକ ଠାରୁ କଳାକାର ଶୋଭାଯାତ୍ରା ବାହାରି ବ୍ଲକ ଅଭିମୁଖେ ଯାତ୍ରା ସହ ସେଠାରେ ଉଭୟ କଳା ଓ କଳାକାରଙ୍କ ହିତ ନିମନ୍ତେ ନଅ ଦଫା ସମ୍ବଳିତ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ପ୍ରଦାନ କରାଯିବ। ତତ୍ପରେ ନେଟଗାଁ ସ୍ଥିତ ଗୁପ୍ତେଶ୍ଵର ମନ୍ଦିର ପରିସରରେ ଏକ ସାଂସ୍କୃତିକ ସଭା ଅନୁଷ୍ଠିତ ହେବ। କଳାକାର ଶୋଭାଯାତ୍ରାରେ ବେଲଗୁଣ୍ଠା ଏବଂ ନିକଟବର୍ତ୍ତୀ ବ୍ଲକର କଳାକାରମାନେ ବିଭିନ୍ନ ବେଶଭୁଶାରେ ସଜ୍ଜିତ ହୋଇ ଶୋଭାଯାତ୍ରାରେ ଅଂଶ ଗ୍ରହଣ ନିମନ୍ତେ ସଂଘ ତରଫରୁ ଆହ୍ୱାନ ଦିଆଯାଇଛି। ସର୍ବଶ୍ରୀ ଶିବ ରାଉତ, ରାଜେନ୍ଦ୍ର ଗୌଡ଼, ଗନ୍ଦି ସ୍ବାଇଁ, ନାରାୟଣ ଗୌଡ଼, ପ୍ରଫୁଲ୍ଲ ଭୂୟାଁ, ରମେଶ ଗୌଡ଼, କାହ୍ନୁ ଚରଣ ଷଡ଼ଙ୍ଗୀ ପ୍ରମୁଖ ସମସ୍ତ କର୍ମକର୍ତ୍ତା ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ। ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁ ଏବଂ ସମ୍ପାଦକ ସୁବାସ ଚନ୍ଦ୍ର ସାହୁ ରୋଶନ୍ ଭିଡିଓ କନଫରେନ୍ସ ଯୋଗେ ଶୁଭେଚ୍ଛା ଜ୍ଞାପନ ସହ କଳାକାରମାନଙ୍କ ମଧ୍ୟରେ ଭାଇଚାରା ବଜାୟ ରଖିବା ନିମନ୍ତେ ପରାମର୍ଶ ଦେଇଥିଲେ। ପରିଶେଷରେ ବ୍ଲକ ସଂଯୋଜକ ଈଶ୍ବର ଗୌଡ଼ ଆନୁଷ୍ଠାନିକ ଧନ୍ୟଵାଦ ଅର୍ପଣ କରିଥିଲେ।

ad-week
Leave A Reply

Your email address will not be published.