
- ଜାତୀୟ ସ୍ତରରେ ଏକ ପରିଚୟ ସୃଷ୍ଟି କରିଲା “ମାଟିଖାଲ”
ବ୍ରହ୍ମପୁର : ଭାରତର ସ୍ୱଚ୍ଛ ଶକ୍ତିକୁ ଆପଣାଇବା ଦିଗରେ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ମାଟିଖାଲ ଗାଁ ଏ ଦିଗରେ ଆଉ ପାଦେ ଆଗକୁ ବଢ଼ିଛି । ଏଥିସହିତ ସୌର ଶକ୍ତି କ୍ଷେତ୍ରରେ ଏକ ମଡେଲ ଭାବରେ ଉଭା ହୋଇଛି । ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ୟୁଏଲ୍ଏ ମଡେଲ ଅଧୀନରେ ସମ୍ପୂର୍ଣ୍ଣ ଗାଁ ସୌର ଶକ୍ତି ଦ୍ୱାରା ପରିଚାଳିତ ହେଉଛି । ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ(ଟିପିଏସ୍ଓଡିଏଲ୍) ତରଫରୁ ଏହା କାର୍ଯ୍ୟକାରୀ ହୋଇଛି । ଏଥିସହିତ ଦେଶର ସ୍ଥାୟୀ ବିକାଶ ଦିଗରେ ବିକେନ୍ଦ୍ରୀକରଣ ଅକ୍ଷୟ ଶକ୍ତି କିଭଳି ଗ୍ରାମୀଣ ଜୀବନ ଓ ଜୀବିକାରେ ପରିବର୍ତ୍ତନ ଆଣିପାରେ ତାହା ଦର୍ଶାଇଛି ।
ଛତ୍ରପୁର ବ୍ଲକ ଅଧୀନ କଣମଣା ପଞ୍ଚାୟତର ଏହି ମାଟଖାଲ ଗାଁର ପ୍ରାୟ ୨୦୦ ଯୋଗ୍ୟ ପରିବାର ରୁଫଟପ୍ ସୋଲାର ସଂଯୋଗ ପାଇଛନ୍ତି । ଯୋଜନା ଅଧୀନରେ ପ୍ରତି ପରିବାରକୁ ୧କିଲୋୱାଟ କ୍ଷମତାର ସୋଲାର ସିଷ୍ଟମ ଯୋଗାଇ ଦିଆଯାଇଛି । ଯାହା ସେମାନଙ୍କୁ କେବଳ ବିଜୁଳି ଉପଭୋକ୍ତା ନୁହେଁ ବରଂ ବିଜୁଳି ଉତ୍ପାଦକାରୀ ଭାବେ ସକ୍ଷମ କରାଇବ । ଏଥିସହିତ ପାରମ୍ପରିକ ଶକ୍ତି ଉତ୍ସ ଉପରେ ନିର୍ଭରଶୀଳତା ହ୍ରାସ କରିବା ଏବଂ ମାସିକ ବିଦ୍ୟୁତ ଖର୍ଚ୍ଚ ହ୍ରାସ କରିବା ଦିଗରେ ଏହା ବିଶେଷ ଭାବରେ ସହାୟକ ହେବ ।
ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ୟୁଏଲ୍ଏ ମଡେଲ ଅଧୀନରେ ଜଣେ ଉପଭୋକ୍ତାଙ୍କୁ ମାତ୍ର ୫,୬୨୨ଟଙ୍କା ପୈଠ କରିବାକୁ ପଡ଼ିଥାଏ । ଯେଉଁଥିରେ ସୌର ପ୍ୟାନେଲ ସାଙ୍ଗକୁ ସୋଲାର ମିଟର ଅନ୍ତର୍ଭୁକ୍ତ । ଯେଉଁଥିପାଇଁ ଏହି ଯୋଜନା ଉଭୟ ସୁଗମ ଏବଂ ସୁଲଭ ଅଟେ । ୟୁଏଲ୍ଏ ମଡେଲ ଏକ ଦୀର୍ଘସ୍ଥାୟୀ ଲାଭକୁ ସୁନିଶ୍ଚିତ କରିଥାଏ । ଯୋଜନା ଅନ୍ତର୍ଗତ ସୌର ପ୍ୟାନେଲରୁ ୨୫ବର୍ଷ ପର୍ଯ୍ୟନ୍ତ ଭରସାଯୋଗ୍ୟ ବିଜୁଳି ଶକ୍ତିର ସହାୟତା ଉପଭୋକ୍ତାଙ୍କୁ ମିଳିଥାଏ । ଏହି ଯୋଜନା ଅଧୀନରେ ମାଟିଖାଲ ଗାଁର ସମସ୍ତ ଯୋଗ୍ୟ ଉପଭୋକ୍ତାଙ୍କୁ ନେଇ ଏବେ ଏହା ସମ୍ପୂର୍ଣ୍ଣ ରୂପେ ସୌର ଶକ୍ତି ଦ୍ୱାରା ପରିଚାଳିତ ହେଉଛି । ଏହି ସଫଳତା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ଆବଶ୍ୟକୀୟ ସମସ୍ତ ଆର୍ଥିକ ସହାୟତା ପ୍ରଦାନ କରିଛି ।
ଏହି ପ୍ରକଳ୍ପକୁ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ମାନ୍ୟବର ବିଧାୟକ, ଛତ୍ରପୁର ଉଦଘାଟନ କରିଛନ୍ତି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଶ୍ରୀ କୀର୍ତ୍ତି ଭାସନ ଭି, ଜିଲ୍ଲାପାଳ ଗଞ୍ଜାମ; ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍; ଶ୍ରୀ ସମ୍ବିତ ସଂଗ୍ରାମଜିତ ସାହୁ, ବ୍ଲକ ଉନ୍ନୟନ ଅଧିକାରୀ, ଛତ୍ରପୁରଙ୍କ ସମେତ ଗ୍ରାମବାସୀ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।
ଏହି ଅବସରରେ ଶ୍ରୀ କୃଷ୍ଣ ଚନ୍ଦ୍ର ନାୟକ, ମାନ୍ୟବର ବିଧାୟକ, ଛତ୍ରପୁର କହିଛନ୍ତି, “ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ୟୁଏଲ୍ଏ ମଡେଲ ମାଧ୍ୟମରେ ସରକାର ତୃଣମୂଳ ସ୍ତରରୁ ସ୍ୱଚ୍ଛ ଏବଂ ସବୁଜ ଶକ୍ତିକୁ ପ୍ରୋତ୍ସାହିତ କରିବା ପାଇଁ ପ୍ରତିଶ୍ରୁତିବଦ୍ଧ ଅଛନ୍ତି । ଏହି ପଦକ୍ଷେପ ଗ୍ରାମୀଣ ଉପଭୋକ୍ତାଙ୍କୁ ସୌର ଶକ୍ତି ଆପଣାଇବା ପାଇଁ ଉତ୍ସାହିତ କରିବ । ଯାହା ସେମାନଙ୍କର ବିଜୁଳି ଖର୍ଚ୍ଚ ହ୍ରାସ କରିବାରେ ଏବଂ ଶକ୍ତି କ୍ଷେତ୍ରରେ ଆତ୍ମ ନିର୍ଭର କରିବାରେ ସହାୟକ ହେବ । ଅକ୍ଷୟ ଶକ୍ତିକୁ ଆପଣାଇବା ପାଇଁ ଏବଂ ଏହାକୁ ଅଧିକ ବ୍ୟାପକ କରିବା ପାଇଁ ଆମେ ଆମର ସମସ୍ତ ସହଯୋଗ ଏବଂ ସମର୍ଥନ ଜାରି ରଖିବୁ” ।
ଏହି ଉଦ୍ୟମ ପଛରେ ଥିବା ପ୍ରଶାସନିକ ପ୍ରୋତ୍ସାହନ ସମ୍ପର୍କରେ ଶ୍ରୀ କୀର୍ତ୍ତି ଭାସନ ଭି, ଜିଲ୍ଲାପାଳ ଗଞ୍ଜାମ କହିଛନ୍ତି, “ପଞ୍ଚାୟତ ସ୍ତରରେ ସୌର ଶକ୍ତିକୁ ଆପଣାଇବା ପାଇଁ ଏବଂ ଏହାର ଗ୍ରହଣୀୟତା ବଢ଼ାଇବା ପାଇଁ ଜିଲ୍ଲା ପ୍ରଶାସନ ସମସ୍ତ ଅଂଶୀଦାରଙ୍କ ସହିତ ବହୁ ଅଭିନବ ପଦକ୍ଷେପମାନ ଗ୍ରହଣ କରୁଛି । ଟିପିଏସ୍ଓଡିଏଲ୍ ସହିତ ଉପଯୁକ୍ତ ଯୋଜନା ଏବଂ ସମନ୍ୱୟ ରକ୍ଷା କରିବା ସହିତ ଆମେ ନିଶ୍ଚିତ କରୁଛୁ ଯେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ଯେପରି ୟୁଏଲ୍ଏ ମଡେଲ ଅଧୀନରେ ଏହି ଯୋଜନାର ଲାଭ ପାଇ ପାରିବେ । ଏଥିପାଇଁ ଆମେ ପ୍ରତି ପଞ୍ଚାୟତରେ ୫୦ଜଣ ଉପଭୋକ୍ତାଙ୍କୁ ଏହି ଯୋଜନାରେ ସାମିଲ କରିବାର ଲକ୍ଷ୍ୟ ରଖିଛୁ । ସମଗ୍ର ଜିଲ୍ଲାରେ ଏହି ଯୋଜନାର ବିସ୍ତାର କରିବା, ଏସଏଚଜି ମହିଳାମାନଙ୍କୁ ପ୍ରୋତ୍ସାହିତ କରିବା ଯେପରି ସେମାନେ ମଧ୍ୟ ଏହି ଯୋଜନାର ଲାଭ ପାଇ ପାରିବେ । ଏଥିସହିତ ଗ୍ରାମୀଣ ଉପଭୋକ୍ତା ତଥା ସମୁଦାୟଙ୍କ ପାଖରେ ସ୍ୱଚ୍ଛ ଶକ୍ତିକୁ ପହଞ୍ଚାଇବାର ଲକ୍ଷ୍ୟ ରଖିଛୁ ।
ଟିପିଏସ୍ଓଡିଏଲର ସ୍ଥାୟୀ ଶକ୍ତି ପ୍ରତି ଥିବା ପ୍ରତିବଦ୍ଧତାକୁ ଦର୍ଶାଇ, ଶ୍ରୀ ଅମିତ କୁମାର ଗର୍ଗ, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ, ଟିପିଏସ୍ଓଡିଏଲ୍ କହିଛନ୍ତି, “ପିଏମ୍ ସୂର୍ଯ୍ୟ ଘର ମୁଫ୍ତ ବିଜୁଳି ଯୋଜନାର ୟୁଏଲ୍ଏ ମଡେଲ ଅଧୀନରେ ମାଟିଖାଲ ଗାଁକୁ ସୌରୀକରଣ କରାଯାଇଛି । ଗ୍ରାମୀଣ ଶକ୍ତିକୁ ଆତ୍ମନିର୍ଭର କରିବା ଦିଗରେ ଏହା ହେଉଛି ଏକ ବଡ଼ ପଦକ୍ଷେପ । ଏହା କେବଳ ବିଜୁଳି ବିଲ୍ ହ୍ରାସ କରିବ ତାହା ନୁହେଁ ଏଥିସହିତ ଏକ ଦୀର୍ଘସ୍ଥାୟୀ ଲାଭକୁ ପ୍ରୋତ୍ସାହିତ କରିବ । ଏକ ସ୍ୱଚ୍ଛ ଓ ସବୁଜ ପରିବେଶ ଗଠନ ଦିଗରେ ଆମେ ଏଭଳି ପଦକ୍ଷେପର ବିସ୍ତାର ଦିଗରେ ପ୍ରତିଶ୍ରୁତିବଦ୍ଧ” ।
ସମସ୍ତ ଯୋଗ୍ୟ ହିତାଧିକାରୀଙ୍କ ପାଖରେ ଏହି ଯୋଜନା ଯେପରି ସଫଳ ଭାବରେ ପହଞ୍ଚିବ ସେ ଦିଗରେ ଜିଲ୍ଲା ପ୍ରଶାସନ ପ୍ରମୁଖ ଭୂମିକା ନିର୍ବାହ କରିଛି । ଯୋଜନାକୁ କାର୍ଯ୍ୟକାରୀ କରିବାଠାରୁ ନେଇ ଉପଭୋକ୍ତାଙ୍କ ମଧ୍ୟରେ ନିରବଚ୍ଛିନ୍ନ ସମନ୍ୱୟ ସୁନିଶ୍ଚିତ କରିଛି ଜିଲ୍ଲା ପ୍ରଶାସନ । ଏହି ଉଦ୍ୟମ ମାଧ୍ୟମରେ ଭାରତ ସରକାରଙ୍କ ରୁଫ୍ ଟପ୍ ସୋଲାରକୁ ପ୍ରୋତ୍ସାହିତ କରିବା, ଏ ଦିଗରେ ପ୍ରତି ପରିବାରକୁ ଉତ୍ସାହିତ କରିବା ଏବଂ କାର୍ବନ ନିର୍ଗମନ ହ୍ରାସ କରିବା ଦିଗରେ ଥିବା ଲକ୍ଷ୍ୟକୁ ଏକୀକୃତ କରାଯାଇଛି ।
ୟୁଏଲ୍ଏ ମଡେଲ ଅଧୀନରେ ମାଟିଖାଲ ଗାଁର ସୌରୀକରଣ ଦର୍ଶାଏ ଯେ କିଭଳି ମିଳିତ ପ୍ରୟାସ ମାଧ୍ୟମରେ ଗ୍ରାମୀଣ ସ୍ତରରେ ବ୍ୟାପକ ଭାବରେ ଅକ୍ଷୟ ଶକ୍ତିକୁ ଅଧିକ ପ୍ରୋତ୍ସାହିତ କରାଯାଇପାରିବ । ଶକ୍ତି କ୍ଷେତ୍ରରେ ଆତ୍ମନିର୍ଭର ହେବା ପାଇଁ ଯେତେବେଳେ ଦେଶ ସ୍ୱଚ୍ଛ ଶକ୍ତି ଏବଂ ଏକ ସ୍ଥାୟୀ ଲକ୍ଷ୍ୟ ଦିଗରେ ଅଗ୍ରସର ହେଉଛି ସେତେବେଳେ ଏଭଳି ମଡେଲ ଏ ଦିଗରେ ବିଶେଷ ଭାବରେ ସହାୟକ ହେବ । ସବୁଜ ଶକ୍ତି କ୍ଷେତ୍ରରେ ମାଟିଖାଲ ଗାଁ ଏବେ ଜାତୀୟ ସ୍ତରରେ ଏକ ମଡେଲ ହୋଇପାରିଛି ।