
ନୟାଗଡ଼ ,୧୯/୩ (ନିସର୍ତ୍ତ) : ଇଣ୍ଡିୟାନ ଅଏଲ କର୍ପୋରେସନ ଲିମିଟେଡ଼, ପାଇପ ଲାଇନ ବିଭାଗ ଓ ଜିଲ୍ଲା ପ୍ରଶାସନ ମିଳିତ ସହଯୋଗରେ ଗୁରୁବାର ନୟାଗଡ ଜିଲ୍ଲା ରଣପୁର ବ୍ଲକ ଦର୍ପନାରାୟଣ ପୁର କାକଲମା ପଡ଼ିଆରେ ବିପର୍ଯ୍ୟୟ ମୁକାବିଲା ପାଇଁ ମକଡ୍ରିଲ ଅନୁଷ୍ଠିତ ହୋଇଯାଇଛି । ତେବେ ଏହା ଗ୍ରାମାଞ୍ଚଳରେ ଜନସାଧାରଣ ମାନଙ୍କୁ ସଚେତନ କରାଇବା ଏହି ମକ୍ ଡ୍ରିଲର ଲକ୍ଷ୍ୟ ବୋଲି ଆଇଓସିଏଲ କମ୍ପାନୀ ପକ୍ଷରୁ କୁହାଯାଇଛି । ଆଇଓସିଏଲ୍ ପକ୍ଷରୁ ବିଭିନ୍ନ ସ୍ଥାନରେ ପାଇପ ଲାଇନ ବିଛା ଯାଇଛି । ତେବେ ଯଦି ସେହି ପାଇପ ଲାଇନ କୌଣସି ସ୍ଥାନରେ ଲିକେଜ କରେ ବା ନିଆଁ ଲାଗେ ତେବେ ସେସବୁକୁ କିପରି ଆୟତ୍ତ କରାଯାଇ ପାରିବ ଓ କୌଣସି ଧନଜୀବନ ନଷ୍ଟ ନହେବ ସେଥିପାଇଁ ଆଇଓସିଏଲ ଓ ଜିଲ୍ଲା ପ୍ରଶାସନର ମିଳିତ ଆନୁକୂଲ୍ୟରେ ଏହି ମକ୍ ଡ୍ରିଲ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଅଗ୍ନିଶମ ବିଭାଗ, ଓଡ୍ରାଫ୍ ଓ ଆଇଓସିଏଲ କର୍ମଚାରୀ ମାନେ ଅଂଶ ଗ୍ରହଣ କରିବା ସହିତ ମକ୍ ଡ୍ରିଲ ମାଧ୍ୟମରେ ଲୋକମାନଙ୍କୁ ସଚେତନ କରିଥିଲେ । ତେବେ ଯେ କୌଣସି ସ୍ଥାନରେ ଯଦି କୌଣସି ଅସୁବିଧା ହୁଏ ପାଇପ ଚୋରି, ତେଲ ଲିକ ବା ପାଇପ କ୍ଷତି ହୁଏ ତେବେ ତୁରନ୍ତ କମ୍ପାନୀକୁ ଖବର ଦେବା ସହିତ ନିଜେ ସତର୍କ ରହିବାକୁ କମ୍ପାନୀ ପକ୍ଷରୁ ପରାମର୍ଶ ଦେଇଥିଲେ । ଏହା ସହିତ ଗ୍ରାମାଞ୍ଚଳ ଜନସାଧାରଣ ମାନଙ୍କୁ ସଚେତନ କରାଇବା ଏବଂ ପ୍ରଶାସନ ଓ କମ୍ପାନୀର କର୍ମଚାରୀ ପ୍ରସ୍ତୁତ ରହିବା ଏହି ମକଡ୍ରିଲର ମୁଖ୍ୟ ଲକ୍ଷ୍ୟ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଯାହାଦ୍ୱାରା ବିପଦ ସମୟରେ କ୍ଷୟକ୍ଷତି କୁ ରୋକାଯାଇ ପାରିବ l
ଏଥିରେ ମୁଖ୍ୟ ଅତିଥି ଭାବେ ଡେପୁଟି କଲେକ୍ଟର ନୟାଗଡ,ଡିପିଓ ନୟାଗଡ, ଡାକ୍ତର ଦେବାଶିଷ ପରିଡା, ରଣପୁର ଅଗ୍ନିଶମ ବିଭାଗର କର୍ମଚାରୀ ସୋମ୍ୟରଞ୍ଜନ ସେଠି, ଗଦାଧର ନାୟକ, ସ୍ଥାନୀୟ ସରପଞ୍ଚ ଓ ସମିତି ସଭ୍ୟ, ମୁଖ୍ୟ କାର୍ଯ୍ୟ ନିର୍ବାହୀ ପରିଚାଳକ ଭି ସୁଧାକର ଭେଉରୀ, ପୋଲିସ୍ ଅଧିକାରୀ ଦୁର୍ଯ୍ୟୋଧନ ପଲେଇ ଉପସ୍ଥିତ ରହି ଥିଲେ ।