ବରିଷ୍ଠ ନାଗରିକଙ୍କ ସୁରକ୍ଷା ପାଇଁ ରାଉରକେଲା ପୋଲିସର ବଡ଼ ପଦକ୍ଷେପ: ୫୬୨ ଜଣଙ୍କୁ ପ୍ରଦାନ କରାଗଲା ସ୍ୱତନ୍ତ୍ର ପରିଚୟ ପତ୍ର

add-all

 ବିରମିତ୍ରପୁର (ନିସର୍ତ୍ତ ନ୍ୟୁଜ) : ସହରର ବରିଷ୍ଠ ନାଗରିକମାନଙ୍କ ସୁରକ୍ଷା, ସମ୍ମାନ ଏବଂ ସାମାଜିକ ନିରାପତ୍ତାକୁ ସର୍ବୋଚ୍ଚ ପ୍ରାଥମିକତା ଦେଇଛି ରାଉରକେଲା ପୋଲିସ। ଏହି ପରିପ୍ରେକ୍ଷୀରେ ଆଜି ଜିଲ୍ଲା ପୋଲିସ ମୁଖ୍ୟ କାର୍ଯ୍ୟାଳୟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି, ଯେଉଁଠାରେ ବରିଷ୍ଠ ନାଗରିକମାନଙ୍କୁ ସ୍ୱତନ୍ତ୍ର ପରିଚୟ ପତ୍ର (Identity Card) ବଣ୍ଟନ କରାଯାଇଛି।
ଏହି ଅବସରରେ ସହରର ବିଭିନ୍ନ ଅଞ୍ଚଳରୁ ଆସିଥିବା ପ୍ରାୟ ୫୬୨ ଜଣ ବରିଷ୍ଠ ନାଗରିକଙ୍କୁ ପୋଲିସ ପକ୍ଷରୁ ଏହି ପରିଚୟ ପତ୍ର ପ୍ରଦାନ କରାଯାଇଛି। ଏହି କାର୍ଡର ମୂଳ ଉଦ୍ଦେଶ୍ୟ ହେଉଛି କୌଣସି ଜରୁରୀକାଳୀନ ପରିସ୍ଥିତି କିମ୍ବା ଅଘଟଣ ସମୟରେ ବରିଷ୍ଠ ନାଗରିକମାନଙ୍କୁ ତୁରନ୍ତ ଚିହ୍ନଟ କରି ସେମାନଙ୍କ ପରିବାର ସହ ଯୋଗାଯୋଗ କରିବା ଏବଂ ପୋଲିସ ସହାୟତା ଯୋଗାଇଦେବା।
କେବଳ ପରିଚୟ ପତ୍ର ନୁହେଁ, ବରଂ ପୋଲିସ ପ୍ରଶାସନ ପକ୍ଷରୁ ‘ବରିଷ୍ଠ ନାଗରିକ ସେଲ୍’କୁ ପୂର୍ବାପେକ୍ଷା ଅଧିକ ଶକ୍ତିଶାଳୀ କରାଯାଇଛି। ବରିଷ୍ଠ ନାଗରିକମାନଙ୍କ ସହ ନିରନ୍ତର ସମ୍ପର୍କ ରଖିବା ପାଇଁ ୮୬ ଜଣ ବିଟ୍ ଅଫିସରଙ୍କୁ ସ୍ୱତନ୍ତ୍ର ଭାବେ ଦାୟିତ୍ୱ ଦିଆଯାଇଛି। ଏହି ଅଧିକାରୀମାନେ ନିୟମିତ ବ୍ୟବଧାନରେ ବରିଷ୍ଠ ନାଗରିକମାନଙ୍କ ସହ ଆଲୋଚନା କରିବା ସହ ସେମାନଙ୍କ ସୁବିଧା-ଅସୁବିଧାର ପଚାରି ବୁଝିବେ।
ଆଜିକାଲି ବଢ଼ୁଥିବା ସାଇବର ଅପରାଧକୁ ଦୃଷ୍ଟିରେ ରଖି ଏହି ବିଟ୍ ଅଫିସରମାନେ ବରିଷ୍ଠ ନାଗରିକମାନଙ୍କୁ ସାଇବର ଠକେଇରୁ ବର୍ତ୍ତିବାର ଉପାୟ ବତାଇବେ। ଏହାସହ ସେମାନଙ୍କ ଆଇନଗତ ଅଧିକାର ଏବଂ ସାଧାରଣ ଅପରାଧ ନିୟନ୍ତ୍ରଣ ବାବଦରେ ସଚେତନ କରାଇବେ। ସାମାଜିକ ପୋଲିସ ବ୍ୟବସ୍ଥାକୁ ସୁଦୃଢ଼ କରି ବରିଷ୍ଠ ନାଗରିକଙ୍କ ପାଇଁ ଏକ ଭୟମୁକ୍ତ ଏବଂ ନିରାପଦ ପରିବେଶ ସୃଷ୍ଟି କରିବା ହିଁ ରାଉରକେଲା ପୋଲିସର ମୂଳ ଲକ୍ଷ୍ୟ ବୋଲି ପ୍ରଶାସନ ପକ୍ଷରୁ କୁହାଯାଇଛି।

ad-week
Leave A Reply

Your email address will not be published.