ପ୍ରଶାସନିକ ଅବହେଳାର ନଗ୍ନ ଚିତ୍ର: ୨ ବର୍ଷ ହେଲା ଅସମ୍ପୂର୍ଣ୍ଣ ଅଙ୍ଗନବାଡି କୋଠା, ବିପଦସଙ୍କୁଳ ଅବସ୍ଥାରେ ଶିଶୁଙ୍କ ପ୍ରାକଶିକ୍ଷା…

add-all

କୋଟପାଡ଼/କୋରାପୁଟ: କୋରାପୁଟ ଜିଲ୍ଲା ସୀମାନ୍ତବର୍ତ୍ତୀ କୋଟପାଡ଼ ବ୍ଲକରେ ସମ୍ମନ୍ୱିତ ଶିଶୁ ବିକାଶ ବିଭାଗର ଏକ ଦୁର୍ଦ୍ଦଶାଗ୍ରସ୍ତ ଚିତ୍ର ସାମ୍ନାକୁ ଆସିଛି। ବର୍ଷ ବର୍ଷ ଧରି ଅନେକ ଅଙ୍ଗନବାଡି କେନ୍ଦ୍ର ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ି ରହିଥିବା ବେଳେ, ନୂତନ କୋଠାଗୃହ ନିର୍ମାଣ କାର୍ଯ୍ୟ ସରିବାର ନାଁ ଧରୁନାହିଁ। ବିଶେଷ କରି ମୁର୍ତାହାଣ୍ଡି ପଞ୍ଚାୟତର ଜିରାଗାଁ ସ୍ଥିତ ନୂତନ ଅଙ୍ଗନବାଡି କେନ୍ଦ୍ରଟି ଦୀର୍ଘ ଦୁଇ ବର୍ଷରୁ ଅଧିକ ସମୟ ଧରି ଅସମ୍ପୂର୍ଣ୍ଣ ଅବସ୍ଥାରେ ପଡ଼ି ରହିବା ପ୍ରଶାସନିକ ଉଦାସୀନତାକୁ ସ୍ପଷ୍ଟ କରୁଛି।
ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ଗାଁରେ ଥିବା ପୁରୁଣା କେନ୍ଦ୍ରଟି ଅତ୍ୟନ୍ତ ବିପଦସଙ୍କୁଳ ଅବସ୍ଥାରେ ରହିଛି। ଏଭଳି ଏକ ଜରାଜୀର୍ଣ୍ଣ ଗୃହ ମଧ୍ୟରେ କୋମଳମତି ଶିଶୁମାନଙ୍କୁ ପ୍ରାକଶିକ୍ଷା ପ୍ରଦାନ କରାଯାଉଛି, ଯାହା ଯେକୌଣସି ମୁହୂର୍ତ୍ତରେ ଏକ ବଡ଼ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି। ବିଭାଗୀୟ କର୍ତ୍ତୃପକ୍ଷଙ୍କ ଏଭଳି ଅବହେଳିତ ମନୋଭାବକୁ ନେଇ ସ୍ଥାନୀୟ ଅଞ୍ଚଳରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ୱାର୍ଡ ମେମ୍ବର ଶୁକଦେବ ଭତ୍ରା, ଦାଉଦ ଧାନଫୁଲ, ସୋନା ମାଝୀ ଓ ଅନ୍ୟ ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ଯେ, ଏହି ସମସ୍ୟା ନେଇ ଦୁଇଥର ଜନଶୁଣାଣି ଶିବିରରେ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କୌଣସି ସୁଫଳ ମିଳିନାହିଁ। ୱାର୍ଡ ମେମ୍ବର ସମ୍ପୃକ୍ତ ଜେ.ଇ. (JE) ଏବଂ ଠିକାଦାରଙ୍କୁ ବାରମ୍ବାର କାର୍ଯ୍ୟ ଶେଷ କରିବାକୁ ନେହୁରା ହେଉଥିଲେ ମଧ୍ୟ ସେମାନେ ଏହାକୁ କର୍ଣ୍ଣପାତ କରୁନାହାନ୍ତି।
ଏହି ସମ୍ପର୍କରେ ବିଭିନ୍ନ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶିତ ହେବା ସତ୍ତ୍ୱେ ପ୍ରଶାସନ ନିଦାବିଷ୍ଣୁ ସାଜିଛି। ଏ ସମ୍ପର୍କରେ କୋଟପାଡ଼ ସି.ଡି.ପି.ଓ.ଙ୍କୁ ପଚାରିବାରୁ ସେ ସବୁଥର ଭଳି “ଉପରିସ୍ଥ ଅଧିକାରୀଙ୍କୁ ଜଣାଇଛୁ” କହି ନିଜ ଦାୟିତ୍ୱ ସାରି ଦେଇଛନ୍ତି।
କୋମଳମତି ଶିଶୁଙ୍କ ଭବିଷ୍ୟତ ଓ ଜୀବନ ସହ ଖେଳ ଖେଳୁଥିବା ଏହି ଅଧାପନ୍ତରିଆ କୋଠାକୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଗ୍ରାମବାସୀମାନେ ଜିଲ୍ଲାସ୍ତରୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଦାବି କରିଛନ୍ତି। ଯଦି ଶୀଘ୍ର ପଦକ୍ଷେପ ନିଆନଯାଏ, ତେବେ ଆଗାମୀ ଦିନରେ ଆନ୍ଦୋଳନ ପାଇଁ ଗ୍ରାମବାସୀ ସଜବାଜ ହେଉଛନ୍ତି।

ରିପୋର୍ଟ: ବସନ୍ତ ପେଗଡ଼ (ସ୍ୱତନ୍ତ୍ର ପ୍ରତିନିଧି)

ad-week
Leave A Reply

Your email address will not be published.