
ପୁରୁଷୋତ୍ତମପୁର : ଆଜି ପୁରୁଷୋତ୍ତମପୁର ବ୍ଲକ ସ୍ଵପ୍ନେଶ୍ଵର ମନ୍ଦିର ପ୍ରାଙ୍ଗଣରେ ଥିବା କଲ୍ୟାଣ ମଣ୍ଡପ ଠାରେ ରାଜ୍ୟ ମହିଳା କମିଶନ, ଜିଲ୍ଲା ପ୍ରଶାସନ ଓ ପୁରୁଷୋତ୍ତମପୁର ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପର ମିଳିତ ଆନୁକୂଲ୍ୟରେ ବ୍ଲକସ୍ତରୀୟ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ଓଡିଶା ରାଜ୍ୟ ମହିଳା କମିଶନର ସଦସ୍ୟା ଉର୍ମିଳା ମହାପାତ୍ର ଯୋଗଦେଇ ମହିଳା ମାନଙ୍କ ସୁବିଧା ଓ ସହଯୋଗ ପାଇଁ ଉଦ୍ଦିଷ୍ଟ ରାଜ୍ୟ ସରକାର ଓ କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନହିତୈଷୀ ଯୋଜନା ଓ ସମ୍ବିଧାନ ପ୍ରଦତ୍ତ ଅଧିକାର ଓ ବିଭିନ୍ନ ଆଇନ କାନୁନ ସମ୍ପର୍କରେ ସମ୍ପର୍କରେ ଅବଗତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିବା ଅଙ୍ଗନବାଡି କର୍ମୀ , ଆଶା କର୍ମୀ, ସହାୟିକା , ସ୍ୱୟଂ ସହାୟକ ଗୋଷ୍ଟିର ମା’ମାନେ ବିଶେଷକରି ଗ୍ରାମାଞ୍ଚଳର ମହିଳାମାନଙ୍କୁ ସରକାର ସେମାନଙ୍କ ପାଇଁ କରିଥିବା ସୁବିଧା ଓ ସୁଯୋଗ ସମ୍ପର୍କରେ ସଚେତନ କରିବା ସହିତ ମହିଳା ଓ ବାଳିକାମାନଙ୍କ ଜୀବନରେ ଦେଖାଯାଉଥିବା ସାମାଜିକ ଓ ସୁରକ୍ଷା ଜନିତ ସମସ୍ୟାକୁ ସାହସ ଓ ଧୈର୍ଯ୍ୟର ସହିତ ମୁକାବିଲା କରିବା ପାଇଁ ପରାମର୍ଶ ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ବିଜୟଲକ୍ଷ୍ମୀ ବେହେରା, ସମାଜସେବୀ ପୂର୍ଣ୍ଣିମା ଦାସ, ସମାଜ ମଙ୍ଗଳ ଅଧିକାରୀ ପାର୍ବତୀ ସୋରେନ, ବରିଷ୍ଟ ଆଇନଜୀବୀ ଉପେନ୍ଦ୍ର ପଣ୍ଡା , ପଞ୍ଚାୟତ ସମିତି ଅଧ୍ୟକ୍ଷା ପିଙ୍କି ବେହେରା, ଏନ .ଏ. ସି ଚେୟାରମ୍ୟାନ କୃଷ୍ଣଚନ୍ଦ୍ର ପଣ୍ଡା , ମହିଳା ସୁରକ୍ଷା ଅଧିକାରୀ ଡି . ନାଗୁ ରତ୍ନମ, ସମନ୍ୱିତ ଶିଶୁବିକାଶ ପ୍ରକଳ୍ପ ଅଧିକାରୀ ଲଳିତା ମଲ୍ଲିକ ଏବଂ ଏସ ଡି ପି ଓ ସୁଜିତ ନାୟକ ପ୍ରମୁଖ ଉପସ୍ଥିତ ରହି ମହିଳା ମାନଙ୍କ ସୁରକ୍ଷା ଓ ସଚେତନତା ଉଦ୍ଦେଶ୍ୟରେ ନିଜର ମତାମତ ରଖିଥିଲେ । ପରିଶେଷରେ ମହିଳା ମାନଙ୍କ ସୁରକ୍ଷା ଏବଂ ଅଧିକାର ସୁନିଶ୍ଚିତ କରିବା ପାଇଁ ସମସ୍ତେ ଶପଥ ନେଇଥିଲେ ।