ବ୍ରହ୍ମପୁରରେ ଆଶା ଓ ମହିଳା ଆରୋଗ୍ୟ ସମିତି ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ: ଉଲ୍ଲେଖନୀୟ ସେବା ପାଇଁ ସ୍ୱାସ୍ଥ୍ୟକର୍ମୀ ସମ୍ମାନିତ

ବ୍ରହ୍ମପୁର: ଜାତୀୟ ସହରାଞ୍ଚଳ ସ୍ୱାସ୍ଥ୍ୟ ମିଶନ (NUHM) ଆନୁକୂଲ୍ୟରେ ବ୍ରହ୍ମପୁର ମହାନଗର ନିଗମ ଅଡିଟୋରିଅମ୍ ହଲ୍ଠାରେ ମହିଳା ଆରୋଗ୍ୟ ସମିତି (MAS) ସମ୍ମିଳନୀ ୨୦୨୫-୨୬ ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ମହାନଗର ନିଗମର କମିଶନର ସୁଶ୍ରୀ ଏ. ଶସ୍ୟା ରେଡ୍ଡୀ (IAS) ଏହି ସଭାରେ ସଭାପତିତ୍ୱ କରିଥିଲେ।
ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ବ୍ରହ୍ମପୁର ମେୟର ଶ୍ରୀମତୀ ସଂଘମିତ୍ରା ଦଳାଇ ଯୋଗ ଦେଇଥିବା ବେଳେ, ସମ୍ମାନିତ ଅତିଥି ଭାବେ ମାନ୍ୟବର ବିଧାୟକଙ୍କ ପ୍ରତିନିଧି ଶ୍ରୀଯୁକ୍ତ ଅଶୋକ ଶୁକ୍ଳ, ଓଡ଼ିଶା ନଗର ସ୍ୱାସ୍ଥ୍ୟ ଅତିରିକ୍ତ ନିର୍ଦ୍ଦେଶିକା ଡ଼ଃ ପୁଷ୍ପିତା ମହାନ୍ତି, ଏନଏଚଏମ ଓଡ଼ିଶାର ସହରାଞ୍ଚଳ କାର୍ଯ୍ୟ ପରିଚାଳକ ଶ୍ରୀଯୁକ୍ତ ସୁକାନ୍ତ ମିଶ୍ର ଏବଂ ବିଏମସି ଡେପୁଟି କମିଶନର ଶ୍ରୀଯୁକ୍ତ ଆଶୀର୍ବାଦ ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ମିଳନୀରେ ବ୍ରହ୍ମପୁର ସହରର ୧୭୦ଟି ମହିଳା ଆରୋଗ୍ୟ ସମିତି ଏବଂ ୧୦୯ ଜଣ ଆଶାକର୍ମୀଙ୍କ କାର୍ଯ୍ୟକଳାପ ସମ୍ପର୍କରେ ସମୀକ୍ଷା କରାଯାଇଥିଲା। ସହରାଞ୍ଚଳରେ ଟୀକାକରଣ, ସ୍ୱାସ୍ଥ୍ୟ ଓ ପରିମଳ ଦିବସ ପାଳନ, ସଂକ୍ରାମକ ଓ ଅଣ-ସଂକ୍ରାମକ ରୋଗର ନିରାକରଣ ଏବଂ ପ୍ରସୂତି ସେବା କ୍ଷେତ୍ରରେ ସେମାନଙ୍କର ଗୁରୁତ୍ୱପୂର୍ଣ୍ଣ ଅବଦାନକୁ ଅତିଥିମାନେ ପ୍ରଶଂସା କରିଥିଲେ। ସୂଚନାଯୋଗ୍ୟ ଯେ, ପ୍ରତି ମହିଳା ଆରୋଗ୍ୟ ସମିତିକୁ ବାର୍ଷିକ ୫,୦୦୦ ଟଙ୍କାର ପାଣ୍ଠି ପ୍ରଦାନ କରାଯାଉଛି, ଯାହା ମାଧ୍ୟମରେ ସେମାନେ ସ୍ଥାନୀୟ ଅଞ୍ଚଳରେ ସ୍ୱାସ୍ଥ୍ୟ ସଚେତନତା ସୃଷ୍ଟି କରୁଛନ୍ତି।
ସମ୍ମାନ ଓ ପୁରସ୍କାର ବିତରଣ:
ଏହି ଅବସରରେ ଜାତୀୟ ଗୁଣାତ୍ମକ ମାନକ (NQAS) ଏବଂ ‘କାୟାକଳ୍ପ’ରେ ଉତ୍ତୀର୍ଣ୍ଣ ହୋଇଥିବା ବ୍ରହ୍ମପୁରର ୮ଟି ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ଆଗା ସାହି, ଆସ୍କା ରୋଡ, ଆମ୍ବପୁଆ, ବୈକୁଣ୍ଠ ନଗର, ଖୋଡାସିଙ୍ଗି, ଗୁଡସେଡ ରୋଡ, ରେଡକ୍ରସ ଓ ଉତ୍ତରାମୁଖୀ) କୁ ସମ୍ମାନିତ କରାଯାଇଥିଲା। ଏହାସହ ଉତ୍ତମ ସେବା ପାଇଁ ୭ଟି ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ମଧ୍ୟ ପୁରସ୍କୃତ କରାଯାଇଥିଲା।
ଶ୍ରେଷ୍ଠ ସେବା ପାଇଁ ୮ ଜଣ ଆଶାକର୍ମୀ: ପ୍ରତିମା ବେହେରା, ସସ୍ମିତା ପଣ୍ଡା, ସସ୍ମିତା ସାହୁ, ମାଣିକ ସାହୁ, ସୁନିତା ସାହୁ, ପି. ଭେଙ୍କଟେଶ୍ୱରୀ, ଆରତୀ ପ୍ରତିହାରୀ ଓ ମମତାମୟୀ ସ୍ୱାଇଁ ଏବଂ ଶ୍ରେଷ୍ଠ ମହିଳା ଆରୋଗ୍ୟ ସମିତି ସଭାପତି ଭାବେ ଶ୍ରୀମତୀ ରାଜଲକ୍ଷ୍ମୀ ଖାଡଙ୍ଗାଙ୍କୁ ସମ୍ମାନିତ କରାଯାଇଥିଲା। ମୋଟ ୪୮ ଜଣ ସ୍ୱାସ୍ଥ୍ୟକର୍ମୀ ଓ ଅଧିକାରୀଙ୍କୁ ‘ସ୍ୱାସ୍ଥ୍ୟ ସେବା ସମ୍ମାନ’ରେ ଭୂଷିତ କରାଯାଇଛି।
କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା ଜନସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ବାଲୁଙ୍କେଶ୍ୱର ଷଡଙ୍ଗୀ, ଏଡିୟୁ-ପିଏଚଓ ଡ଼ଃ ଶରତ କୁମାର ସାମଲ ଓ ନଗର ସ୍ୱାସ୍ଥ୍ୟ ଅଧିକାରୀ ଡ଼ଃ ମାନସ ରଞ୍ଜନ ପଣ୍ଡା ପ୍ରମୁଖ ଯୋଗ ଦେଇଥିଲେ। ବ୍ରହ୍ମପୁର ନଗର କାର୍ଯ୍ୟ ପରିଚାଳକ ଶ୍ରୀଯୁକ୍ତ ଲମ୍ବୋଦର ଦିଗଲ କାର୍ଯ୍ୟକ୍ରମ ସଂଯୋଜନା କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।