ଶ୍ରୀ ହନୁମାନ ବାଲାଜୀ ରାମାୟଣ ପ୍ରଚାର ସମିତି ତରଫରୁ ଆଧ୍ୟାତ୍ମ କଳା ପ୍ରଦର୍ଶନ

newyr25

(ବ୍ରହ୍ମପୁର) : ସ୍ଥାନୀୟ ଅଗ୍ରଣୀ ଆଧ୍ୟାତ୍ମିକ ପ୍ରତିଷ୍ଠାନ “ଶ୍ରୀ ହନୁମାନ ବାଲାଜୀ ରାମାୟଣ ପ୍ରଚାର ସମିତି” ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ସହିତ ବିଶ୍ବ ନାଟ୍ୟ ଦିବସ ଡମ୍ବୁରୁ କଲ୍ୟାଣ ମଣ୍ଡପ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ଉଦଘୋଷକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ ଆୟୋଜିତ ସାଂସ୍କୃତିକ ସଭାରେ ପ୍ରାକ୍ତନ ବାର୍ କାଉନ୍ସିଲ୍ ସଭାପତି ପି. ନରସିଂହ ପାତ୍ର ମୂଖ୍ୟ ଅତିଥି, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ମୂଖ୍ୟ ବକ୍ତା ଏବଂ ପ୍ରଥିତଯଶା ଚିତ୍ରଶିଳ୍ପୀ ଅମର ନାୟକ ଓ ସୁନାମଧନ୍ୟ ତବଲାବିତ୍ ମାଧବ ଜେନା ସମ୍ମାନିତ ଅତିଥି ଭାବେ ଯୋଗଦେଇ ଈଶ୍ବରଙ୍କ କାର୍ଯ୍ୟ ସମ୍ପାଦନ ଅର୍ଥାତ ସମାଜକୁ ସୁନ୍ଦର ସୃଷ୍ଠୁ ଭାବେ ଗଢି ତୋଳିବାରେ ଆପଣା କର୍ତ୍ତବ୍ୟବୋଧ ଜ୍ଞାନରେ ସହାୟତା କରି ଆସୁଥିବା ହେତୁ କଳାକାରମାନେ ଧନ୍ୟଵାଦାର୍ହ ବୋଲି ମତବ୍ୟକ୍ତ କରିବା ସହିତ ଉଭୟ ଶ୍ରୀରାମ ନବମୀ ଓ ବିଶ୍ୱ ନାଟ୍ୟ ଦିବସ ଅବସରରେ କଳାକାର ସମାଜ, ସର୍ବୋପରି ଜଗତର କଲ୍ୟାଣ କାମନା କରିଥିଲେ।

କାର୍ଯ୍ୟକ୍ରମର ପ୍ରମୁଖ ଆୟୋଜକ ପ୍ରକାଶ ରାମଜୀ ମଂଚାସୀନ ଥିଲେ। ଏହି ଅବସରରେ ଅତିଥିମାନଙ୍କ ଦ୍ୱାରା କେତେକ ପ୍ରଥିତଯଶା କଳାକାରଙ୍କୁ ସମିତି ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭଗବାନ ଜେନା ଏବଂ ସାଥୀଙ୍କ ଦ୍ୱାରା ଶ୍ରୀରାମ ଭଜନ ପରିବେଷଣ ଏବଂ ସମିତି ପକ୍ଷରୁ ବିଧିବତ ପୂଜା ଓ ହୋମ କାର୍ଯ୍ୟ ସମ୍ପାଦିତ ହୋଇଥିଲା। ସଭା ପରେ ଗୁରୁ ଏଲ୍. ଗଙ୍ଗୋତ୍ରୀଙ୍କ ତତ୍ତ୍ଵାବଧାନରେ ଗଙ୍ଗୋତ୍ରୀ କଳା ନିକେତନର ଛାତ୍ର-ଛାତ୍ରୀମାନେ ଓଡିଶୀ ନୃତ୍ୟ ପ୍ରଦର୍ଶନ କରିଥିଲେ। ସାମୁହିକ ହନୁମାନ ଚାଳିଶା ପାଠ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଗୌରହରି ମହାରଣା, ବଂଶୀଧର ପଣ୍ଡା, ପ୍ରସନ୍ନ କୁମାର ରଥ, ମହେନ୍ଦ୍ର କୁମାର ସାହୁ, ବିଜୟ ସାହୁ, ପ୍ରଦୀପ କୁମାର ସାହୁ ପ୍ରମୁଖ ସହଯୋଗ କରିଥିଲେ। ପରିଶେଷରେ ପଦ୍ମିନୀ ମିଶ୍ର ସମିତି ପକ୍ଷରୁ ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମ ସୁଚାରୁ ସମ୍ପାଦନରେ ସହାୟତା କରିଥିବା ହେତୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.