
ନୟାଗଡ଼,୨୭/୩(ନିସର୍ତ୍ତ) : ନୟାଗଡ଼ ଜିଲ୍ଲା ରଣପୁର ଥାନା ରାଜସୁନାଖଳା ଫାଣ୍ଡି ଅଧୀନସ୍ଥ କୁଳାସର ଗ୍ରାମରେ ମଙ୍ଗଳବାର ଦିନ ବିଳମ୍ବିତ ରାତିରେ ଦୋକାନ ନ ଖୋଲିବାରୁ ଦୋକାନ ମାଲିକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ କୁଳାସର ଗ୍ରାମର ପ୍ରଶାନ୍ତ କୁମାର ସାହୁ( ୬୪) ବର୍ଷ ନିଜ ଘରେ ଛୋଟିଆ ପାନଦୋକାନ କରି ପରିବାର ପ୍ରତିପୋଷଣ କରିଆସୁଅଛନ୍ତି ,ହେଲେ ଗତକାଲି ବିଳମ୍ବିତ ରାତିରେ ଦୋକାନୀ ପ୍ରଶାନ୍ତ କୁମାର ସାହୁ ଦୋକାନ ବନ୍ଦ କରି ଖାଇସାରି ଶୋଇଥିଲେ । କୁଳାସର ଗ୍ରାମର ଅରକ୍ଷିତ ନାୟକଙ୍କ ପୁତ୍ର ମିଥୁନ ନାୟକ (୩୪) ଦୋକାନ ଫିଟାଇବାକୁ ପ୍ରଶାନ୍ତ କୁମାର ସାହୁଙ୍କୁ କହିଥିଲେ କିନ୍ତୁ ରାତ୍ର ବିଳମ୍ବିତ ଥିବାରୁ ପ୍ରଶାନ୍ତ ଦୋକାନ ଫିଟାଇବାକୁ ମନା କରିଥିଲେ । ଏଥିରେ ମିଥୁନ ନାୟକ, ପ୍ରଶାନ୍ତଙ୍କ ଘର କବାଟ ବାଡେଇ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ ।
ମିଥୁନ ନାୟକଙ୍କ ଏଭଳି କାର୍ଯ୍ୟକୁ ବାରମ୍ବାର ବାରଣ କରି ପରିଶେଷରେ କବାଟ ଖୋଲିଥିଲେ । ସେହି ସମୟରେ ମିଥୁନ ନାୟକ ହାତରେ ଏକ ଇଟା ଧରିଥିବା ଦେଖି ଭୟଭୀତ ହୋଇ ପ୍ରଶାନ୍ତ ଘରଭିତରକୁ ପ୍ରବେଶ କରୁଥିବାବେଳେ ମିଥୁନ ହାତରେ ଧରିଥିବା ଇଟାରେ ପ୍ରଶାନ୍ତଙ୍କ ମୁଣ୍ଡକୁ ପିଟିପିଟି ରକ୍ତାକ୍ତ କରି ତଳେ ପକାଇ ଦୌଡ଼ି ପଳାଇଥିଲେ । ଏହା ଦେଖି ପ୍ରଶାନ୍ତଙ୍କ ସ୍ତ୍ରୀ ସରୋଜିନୀ ସାହୁ ଗ୍ରାମବାସୀମାନଙ୍କୁ ଡାକ ପକାଇଥିଲେ । ଗ୍ରାମସଭାପତି ସୁରେଶ କୁମାର ମହାରଣା, ଓ ଅନ୍ୟମାନେ ଘଟଣାସ୍ଥଳରେ ପହଞ୍ଚ ରକ୍ତ ଜୁଡୁବୁଡୁ ଅବସ୍ଥାରେ ତାଙ୍କର ଚିକିତ୍ସା ପାଇଁ ରାଜସୁନାଖଳା ଗୋଷ୍ଠୀ ସ୍ୱସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ । ଖବର ପାଇ ରାଜସୁନାଖଳା ଫାଣ୍ଡି ପୋଲିସ ସେହି ସ୍ଥାନରେ ପହଞ୍ଚିଥିଲେ । ସେଠାରେ ଡାକ୍ତର ପ୍ରଶାନ୍ତଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଗୁରୁତର ଥିବାରୁ ତାଙ୍କୁ ପ୍ରାଥମିକ ଚିକିତ୍ସା କରି ଭୁବନେଶ୍ୱର ସରକାରୀ ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ । ଏନେଇ ପ୍ରଶାନ୍ତଙ୍କ ସ୍ତ୍ରୀ ସରୋଜିନୀ ସାହୁ ରାଜସୁନାଖଳା ଫାଣ୍ଡିରେ ଲିଖିତ ଅଭିଯୋଗ କରି ଆକ୍ରମଣ କରିଥିବା ମିଥୁନ ନାୟକଙ୍କୁ ଗିରଫ କରିବାକୁ ଦାବୀ କରିଛନ୍ତି ।