
ସ୍ୱାଧିନତ୍ତୋର ଦେଶମାତୃକା ପାଇଁ ଦେଖିଥିବା ସ୍ବପ୍ନ ପୁରଣ କରିବା ଆମର ଉତ୍ତରଦାୟିତ୍ୱ : ଗଞ୍ଜାମ ଜିଲ୍ଲପାଳ
ବ୍ରହ୍ମପୁର : ଭାରତୀୟ ସ୍ୱାଧୀନତା ସଂଗ୍ରାମରେ ଜନଜାତି ସାହସ ଓ ସ୍ୱାଭିମାନର ଅନନ୍ୟ ଓ ଅନବଦ୍ୟ ପ୍ରତୀକ ବୀର ଶହୀଦ ଲକ୍ଷ୍ମଣ ନାୟକଙ୍କ ୮୪ ତମ ଶହୀଦ ଦିବସ ଆଜି ସ୍ଥାନୀୟ ମଣ୍ଡଳ କାରାଗାର ମଧ୍ୟରେ ଓ ବାହାରେ ଥିବା ପ୍ରତିମୂର୍ତ୍ତି ଓ ପଟ୍ଟଚିତ୍ରରେ ମାଲ୍ୟାର୍ପଣ ଓ ସ୍ମୃତି ଚାରଣ ପୂର୍ବକ ପାଳନ କରାଯାଇଛି ।
ଭାରତ ସ୍ୱାଧୀନତା ସଂଗ୍ରାମରେ ଆତ୍ମଝାସ ଦେଇ ଯେଉଁ ବୀର ପୁରୁଷମାନେ ସ୍ୱାଧୀନତାର ଇତିହାସ ପୃଷ୍ଠାକୁ ଋଦ୍ଧିମନ୍ତ କରିଯାଇଛନ୍ତି ସେମାନଙ୍କମଧ୍ୟରେ ଲକ୍ଷ୍ମଣ ନାୟକ ଅନ୍ୟତମ । ତାଙ୍କର ସଂଗ୍ରାମମୟ ଜୀବନ ଓ ବଳିଦାନ ଓଡ଼ିଆ ଜାତି ପାଇଁ ସବୁଦିନ ସ୍ମରଣୀୟ ହୋଇ ରହିବ । ସେ ସ୍ୱାଧିନତ୍ତୋର ଦେଶମାତୃକା ପାଇଁ ଯେଉଁ ସବୁ ସ୍ବପ୍ନ ଦେଖିଯାଇଛନ୍ତି ସେଗୁଡିକୁ ପୁରଣ କରିବା ଆମମାନଙ୍କର ଉତ୍ତରଦାୟିତ୍ୱ ବୋଲି ଗଞ୍ଜାମ ଜିଲ୍ଲପାଳ ଭି କୀର୍ତ୍ତି ଭାସନ ଓ ଅନ୍ୟ ଅତିଥିମାନେ ପ୍ରକାଶ କରିଥିଲେ ।
ବ୍ରହ୍ମପୁର ମହାନଗର ନିଗମର ମେୟର ସଂଘମିତ୍ରା ଦଳେଇ, ବ୍ରହ୍ମପୁର ଉପଜିଲ୍ଲାପାଳ ଅବିନାଶ କୁମାର, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରଶ୍ମିରାଣୀ ନିମାକା, କାରାପାଳ ଲକ୍ଷ୍ମୀକାନ୍ତ ଧାଙ୍ଗଢା ମାଝୀ , ମାନ୍ୟଗଣ୍ୟ ବ୍ୟକ୍ତି, ସାମାଜିକ ସଂଗଠନର ପ୍ରତିନିଧି, କାରାଗାରର ଅଧିକାରୀ, କର୍ମଚାରୀ ଓ ଗଣମାଧ୍ୟମର ପ୍ରତିନିଧିମାନେ ଏହି ଅବସରରେ ଉପସ୍ଥିତ ଥିଲେ ।