
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲା ବିରମିତ୍ରପୁର ସହରର ମାରୱାଡି ପଞ୍ଚାୟତ ଧର୍ମଶାଳା ପରିସରରେ ଯୋଗ ମହୋତ୍ସବ ସମିତି ପକ୍ଷରୁ ‘ଉତ୍କଳ ଦିବସ’ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହକାରେ ପାଳିତ ହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବିରମିତ୍ରପୁର ପୌରପାଳିକାର ଉପାଧ୍ୟକ୍ଷା ନିବେଦିତା ବାଗେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ବିକେ ଶୁକ୍ଲା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ସମ୍ମାନିତ ଅତିଥି ଭାବେ ମୋହନ ଦୁଦ୍ରଜକା ଉପସ୍ଥିତ ଥିଲେ। ପ୍ରାରମ୍ଭରେ ଅତିଥିମାନଙ୍କ ଦ୍ୱାରା ଓଡ଼ିଶାର ବରେଣ୍ୟ ପୁତ୍ର ଉତ୍କଳମଣି ଗୋପବନ୍ଧୁ ଦାସ, ଉତ୍କଳ ଗୌରବ ମଧୁସୂଦନ ଦାସ ଏବଂ ବ୍ୟାସକବି ଫକୀର ମୋହନ ସେନାପତିଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ ପୂର୍ବକ ଗଭୀର ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଥିଲା।

ଏହି ଅବସରରେ ସମାଜର ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସେବା ପାଇଁ ଖୁସ୍ବୁ ମିତ୍ତଲ, ସିଏ ଅମିଷା ମିତ୍ତଲ, ଜଗଦୀଶ ଅଗ୍ରୱାଲ ଏବଂ ଦୀପିକା ଭୌଣିଙ୍କୁ ମୁଖ୍ୟ ଅତିଥିଙ୍କ ଦ୍ୱାରା ଶାଲ ପ୍ରଦାନ କରି ସମ୍ମାନିତ କରାଯାଇଥିଲା। ସଭାରେ ଉପସ୍ଥିତ ବିଜେପି ନେତା ସୁନୀଲ ତିୱାରୀ, ହେମନ୍ତ ତିୱାରୀ, କଂଗ୍ରେସ ନେତା ବିକ୍ରମ ପଟ୍ଟନାୟକ, କାଉନସିଲର କମଲେଶ ସିଂହ, ଅବୁଲ ଖୈରୁ, ଦିଲୀପ ଅଗ୍ରୱାଲ ଏବଂ ବିନ୍ଦୁ ରାୟ ପ୍ରମୁଖ ବକ୍ତବ୍ୟ ପ୍ରଦାନ କରି ଓଡ଼ିଶାର ସଂସ୍କୃତି ଓ ଗୌରବମୟ ଇତିହାସ ଉପରେ ଆଲୋକପାତ କରିଥିଲେ। ଏଥିସହ ଜୟରାଜ ଠାକୁର, ବ୍ରଜ ଲାଲ କେଶରୀ ଏବଂ ମହେଶ ଅଗ୍ରୱାଲ ମଧ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମର ଶୋଭା ବର୍ଦ୍ଧନ କରିଥିଲେ।
ଅନ୍ୟପଟେ ବିରମିତ୍ରପୁର ପୌରପାଳିକା ପକ୍ଷରୁ ମଧ୍ୟ ସ୍ୱତନ୍ତ୍ର ଭାବେ ଉତ୍କଳ ଦିବସ ପାଳନ କରାଯାଇଥିଲା। ପୌରାଧ୍ୟକ୍ଷ ସନ୍ଦୀପ ମିଶ୍ର ଏବଂ ଅନ୍ୟାନ୍ୟ ସମ୍ମାନିତ ବ୍ୟକ୍ତିବିଶେଷ ଓଡ଼ିଶାର ମହାପୁରୁଷମାନଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଶେଷରେ ମୋହନ ଦୋଦ୍ରଜକା ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।