
ଉମରକୋଟ/ଝୋରୀଗାଁ, (୦୪/୦୪/୨୦୨୬):
ନବରଙ୍ଗପୁର ଜିଲ୍ଲାର ଝୋରୀଗାଁ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, କରମରୀରେ ଆଜି ପ୍ରବେଶ ଉତ୍ସବ ଓ ଖଡିଛୁଆଁ ୨୦୨୬ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଛି। ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ଏସ୍.ଏନ୍. ଦାସ ଯୋଗ ଦେଇଥିବା ବେଳେ, ଝୋରୀଗାଁ ବିଡିଓ, ବେଲଗାଁ ସରପଞ୍ଚ, ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ନିରୁପମା ସ୍ୱାଇଁ ଓ ଅନ୍ୟାନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିବର୍ଗ ଉପସ୍ଥିତ ରହିଥିଲେ।
କାର୍ଯ୍ୟକ୍ରମରେ ନବଭର୍ତ୍ତି ଛାତ୍ରଛାତ୍ରୀମାନଙ୍କ ପାଇଁ ଖଡିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇ, ଶିକ୍ଷାର ପ୍ରଥମ ପଦକ୍ଷେପକୁ ସ୍ମରଣୀୟ କରାଯାଇଥିଲା। ଛୋଟ ଛୋଟ ଶିଶୁମାନେ ଆନନ୍ଦର ସହ ଏହି ଶୁଭ ମୁହୂର୍ତ୍ତରେ ଅଂଶଗ୍ରହଣ କରିଥିଲେ।

ଏହା ସହିତ ଶିଶୁବାଟିକାର ପିଲାମାନଙ୍କୁ ବ୍ୟାଗ୍, ଖଡି, ସ୍ଲେଟ୍, ବହି ଓ ଖାତା ବଣ୍ଟନ କରାଯାଇଥିଲା। ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ୍ନ ବଣ୍ଟନ ସହ ପାଣି ବୋତଲ ମଧ୍ୟ ପ୍ରଦାନ କରାଯାଇଥିଲା, ଯାହା ଛାତ୍ରଛାତ୍ରୀମାନଙ୍କ ମନରେ ଖୁସିର ଅନୁଭୂତି ଜନ୍ମାଇଥିଲା।
ଅତିଥିମାନେ ତାଙ୍କ ଅଭିଭାଷଣରେ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକପାତ କରି ଛୋଟ ଛୋଟ ପିଲାମାନଙ୍କୁ ନିୟମିତ ଭାବେ ପାଠପଢ଼ାରେ ଲାଗି ରହିବାକୁ ପ୍ରେରିତ କରିଥିଲେ।
ଏହି ପ୍ରବେଶ ଉତ୍ସବ ଓ ଖଡିଛୁଆଁ କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଅଞ୍ଚଳରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବାରେ ଏକ ସଫଳ ପଦକ୍ଷେପ ବୋଲି ମନ୍ତବ୍ୟ ଦେଇଛନ୍ତି ବୁଦ୍ଧିଜୀବୀ l