ରୋଗୀ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ହନ୍ତସନ୍ତ : ଶହେ ଶଯ୍ୟା ବିଶିଷ୍ଟ କୋଠାରେ ସମସ୍ତ ଏସି ଅଚଳ

add-all

ନୟାଗଡ଼: ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ବର୍ତ୍ତମାନ ଭଗବାନଙ୍କ ଦୟାରେ ଚାଲୁଛି ।ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପଦ ଖାଲି ରହିଥିବା ବେଳେ ଭାରାପ୍ରାପ୍ତ ଅଧିକାରୀ କାମ ଚଳାଉଛନ୍ତି। ସେହିପରି ଅତିରିକ୍ତ ଜନସ୍ବାସ୍ଥ୍ୟ ଅଧିକାରୀ ନିଜ ଇଚ୍ଛା ମୁତାବକ ଛୁଟି ନେଉଛନ୍ତି ।ଡାକ୍ତରଖାନାର ବିଭିନ୍ନ ସମସ୍ୟାକୁ ନେଇ ଅଧିକାରୀ କିମ୍ବା କର୍ମଚାରୀଙ୍କ କୌଣସି ନିଘା ନାହିଁ । ଛୋଟ ଛୋଟ ସମସ୍ୟା ଦୂର କରିବାକୁ ଫାଇଲ ଚାଷ କରିବାକୁ ମାସମାସ ସମୟ ଲାଗୁଛି।ଚିକିତ୍ସାଳୟରେ ନୂତନ ଭାବରେ ନିର୍ମାଣ ହୋଇଥିବା ଶହେ ଶଯ୍ୟା ବିଶିଷ୍ଟ କୋଠାରେ ଲାଗିଥିବା ୫୦ରୁ ଉର୍ଦ୍ଧ୍ବ ଏସି ଲାଗିଛି ।ମାତ୍ର ଏଗୁଡ଼ିକ ଦୀର୍ଘ ଦିନ ଧରି ଅଚଳ ହୋଇ ରହିଛି ।କିଛି ଦିନ ପୂର୍ବେ ସ୍ଥାନୀୟ ଜିଲ୍ଲାପାଳ ମଧୁମିତା ରଥ ଡାକ୍ତରଖାନା ପରିଦର୍ଶନ କରିବା ସମୟରେ ଏହା ଦୃଷ୍ଟି ଗୋଚର ହେବାରୁ ତୁରନ୍ତ ସମସ୍ତ ଏସିକୁ କାର୍ଯ୍ୟକ୍ଷମ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ମାତ୍ର ଏବେ ସୁଦ୍ଧା ସେଗୁଡ଼ିକର ମରାମତି କରାନଯିବାରୁ ରୋଗୀ, ରୋଗୀଙ୍କ ସଂପର୍କୀୟ, ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ ଗରମରେ ଛଟପଟ ହେଉଛନ୍ତି ।
ଏହି ନୂତନ ଭାବରେ ତିଆରି ହୋଇଥିବା ଶହେ ଶଯ୍ୟା ବିଶିଷ୍ଟ କୋଠାରେ ଇସିଜି, ଥାଇରଏଡ ପରୀକ୍ଷା, ବିଭିନ୍ନ ଡାକ୍ତରଙ୍କ କୋଠରୀ, ମେଡିସିନ ୱାର୍ଡ, ସର୍ଜରୀ ୱାର୍ଡ ପରି ବହୁ ଗୁରୁତ୍ୱପୂର୍ଣ୍ଣ ବିଭାଗ ରହିଛି ।ପ୍ରତ୍ୟେକ ଦିନ ହଜାର ହଜାର ଲୋକଙ୍କ ଚଳପ୍ରଚଳ ହେଉଛି। ବର୍ତମାନ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ହେବା ଏବଂ ଏସି ଗୁଡ଼ିକ ଅଚଳ ହୋଇ ପଡିବା ଯୋଗୁଁ ବିଷମ ପରିସ୍ଥିତି ସୃଷ୍ଟି ହେଉଛି ।ଏହି ଅସୁବିଧା ବିଷୟରେ ଡାକ୍ତରଖାନା ପରିଚାଳକଙ୍କ ପ୍ରତିକ୍ରିୟା ନେବାରେ ସେ କହିଛନ୍ତି ଯେ ଏଗୁଡ଼ିକୁ କାର୍ଯ୍ୟକ୍ଷମ କରିବା ପାଇଁ ଆସିଷ୍ଟାଣ୍ଟ ଇଞ୍ଜିନିୟରଙ୍କୁ କୁହାଯାଇଛି ।ସେଗୁଡ଼ିକ ଖୁବ ଶୀଘ୍ର କାର୍ଯ୍ୟକ୍ଷମ ହେବ ବୋଲି ସୂଚନା ଦେଇଛନ୍ତି।ସେହିପରି କେତେକ କୋଠରୀରେ ଲାଗିଥିବା ଫ୍ୟାନ ଗୁଡ଼ିକର ରେଗୁଲେଟର ନାହିଁ ତ କେତେକ ସ୍ଥାନରେ ୱାରିଂ ମଧ୍ୟ ଖରାପ ଥିବା ରୋଗୀ ଓ ସ୍ବାସ୍ଥ୍ୟକର୍ମୀ ଅଭିଯୋଗ କରିଛନ୍ତି। କଟକ ବଡ଼ ଡ଼ାକ୍ତରଖାନାର ଅଗ୍ନିକାଣ୍ଡ ଘଟଣା ଲୋକଙ୍କ ମନରୁ ଲିଭି ନଥିବା ବେଳେ ନୟାଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଏହି ଦାୟିତ୍ବହୀନତା କାର୍ଯ୍ୟ ଦୁର୍ଘଟଣାକୁ ଆମନ୍ତ୍ରଣ କରୁଛି ବୋଲି ମତ ପ୍ରକାଶ ପାଇଛି।

Leave A Reply

Your email address will not be published.