
ନୟାଗଡ଼ ୦୪/୦୪(ନିସର୍ତ୍ତ) : ଶହୀଦ ରଘୁ-ଦିବାକର ଆଞ୍ଚଳିକ ସ୍ମୃତି କମିଟି ଲୋଧାଚୁଆ ତରଫରୁ ଶନିବାର ଦିନ ଶହୀଦ ରଘୁ-ଦିବାକରଙ୍କ ବଳିଦାନ ଦିବସ ଲୋଧାଚୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ଓ ଦହିଖାଇ ଯୁବକ ସଂଘ ପ୍ରାଙ୍ଗଣରେ ମହା ସମାରୋହରେ ପାଳିତ ହୋଇ ଯାଇଛି। ଏହି ପରିପ୍ରେକ୍ଷୀରେ ଦିନ ୮ ଘଟିକାରେ ଲୋଧାଚୁଆ ବଜାର ଠାରେ ଥିବା ଶହୀଦଙ୍କ ପ୍ରତିମୂର୍ତ୍ତିରେ ଉପସ୍ଥିତ ସମସ୍ତ ଅତିଥି, ନିର୍ବାଚିତ ପ୍ରତିନିଧି ଓ ଉପସ୍ଥିତ ସମସ୍ତ ଜନ ଗଣ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜଣାଇଥିଲେ।
ସମ୍ମିଳିତ ଜନଗଣ ଏକ ଶୋଭାଯାତ୍ରା ବାହାରି ଲୋଧାଚୁଆ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ସଭାକକ୍ଷରେ ଆୟୋଜିତ ସ୍ମୃତି ଚାରଣ ସଭାରେ ସାମିଲ ହୋଇଥିଲେ। ଶରତ ଚନ୍ଦ୍ର ପରିଡ଼ାଙ୍କ ସଭାପତିତ୍ବରେ ଅନୁଷ୍ଠିତ ସ୍ମୃତି ଚାରଣ ସଭାରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଦେବାଶିଷ ପଟ୍ଟନାୟକ, ସମ୍ମାନିତ ଅତିଥି ଭାବେ ପୂର୍ବତନ ବିଧାୟକ ସତ୍ୟନାରାୟଣ ପ୍ରଧାନ, ସରପଞ୍ଚ ସ୍ମିତା ରାଉତରାୟ, ସମ୍ପାଦକ ନେତ୍ରାନନ୍ଦ ମହାନ୍ତି,ଲେଖକ ଦେବୀ ପ୍ରସାଦ ସାମନ୍ତରାୟ , ସମାଜ ସେବୀ ପ୍ରଫୁଲ ନାୟକ ଓ ସୁରେଶ ସ୍ବାଇଁ, ସମିତି ସଭ୍ୟ ମୀନକେତନ ନାୟକ, ପ୍ରଫୁଲ୍ଲ ସାହୁ, ସୂର୍ଯ୍ୟ ନାରାୟଣ ପ୍ରଧାନ ଓ ରବିନ୍ଦ୍ର କୁମାର ନାୟକ ପ୍ରମୁଖ ସ୍ମୃତି ଚାରଣ କରିଥିଲେ। ଶହୀଦ ପରିବାର ତରଫରୁ ଶହୀଦଙ୍କ ଦାୟାଦ ଭାବେ ଡାକ୍ତର ଦେବାଶିଷ ପରିଡ଼ା, ଗିରିଜା ମହାନ୍ତି ଓ ଦିବାକର ପୃଷ୍ଟିଙ୍କୁ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ପଞ୍ଚାୟତର ବିଭିନ୍ନ ଉଚ୍ଚ ବିଦ୍ୟାଳୟରୁ ୯ ଜଣ ଛାତ୍ର ଛାତ୍ରୀ ବକ୍ତୃତା ପ୍ରତିଯୋଗିତାରେ ଯୋଗ ନେଇଥିଲେ । ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପ୍ରତିଭା ସମ୍ମାନ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏହି ଅବସରରେ ଦହିଖାଇ ଯୁବକ ସଂଘ ପ୍ରାଙ୍ଗଣରେ ଏକ ସ୍ବେଚ୍ଛାକୃତ ରକ୍ତ ଦାନ ଶିବିରକୁ ଡାକ୍ତର ଦେବାଶିଷ ପରିଡ଼ା ଉଦ୍ଘାଟନ କରିଥିଲେ । ନୟାଗଡ଼ ବ୍ଲଡ ବ୍ୟାଙ୍କ ଜରୀଆରେ ୧୬ ୟୁନିଟ ରକ୍ତ ସଂଗ୍ରହ କରାଯାଇଥିଲା। ଏହା ସହିତ ରମେଶ ଚନ୍ଦ୍ର ସ୍ବାଇଁଙ୍କ ଲୋୟେଲା ୱେଲ୍ ଫେୟାର ଫାଉଣ୍ଡେସନ ଆନୁକୁଲ୍ୟରେ ବହୁ ଅଭିଜ୍ଞ ସମ୍ପର୍ଣ୍ଣ ଡାକ୍ତରଙ୍କ ଦ୍ବାରା ପ୍ରାୟ ୫୦ ଜଣ ବିଭିନ୍ନ ବର୍ଗର ରୋଗୀଙ୍କ ମାଗଣା ପରୀକ୍ଷା ଓ ଚିକିତ୍ସା କରାଯାଇଥିଲା। ପୁରୁଣା ଆଣ୍ଠୁ ଗଣ୍ଠି ଜନୀତ ରୋଗର ଆଧୁନିକ ଥେରାପି ପ୍ରଣାଳୀରେ ଲକ୍ଷ୍ମୀକାନ୍ତ ଜୟସିଂହଙ୍କ ଦ୍ଵାରା ପ୍ରାୟ ୧୦ ଜଣ ରୋଗୀ ଚିକିତ୍ସିତ ହୋଇଥିଲେ । ରାଜସୁନାଖଳା ଠାରୁ ଚାନ୍ଦପୁର ରାସ୍ତା କୁ ଶହିଦ ରଘୁ – ଦିବାକରଙ୍କ ନାମରେ ନାମିତ କରିବା ପାଇଁ ସ୍ମୃତି କମିଟି ପକ୍ଷରୁ ଦାବୀ କରିବା ସହ ସରକାରଙ୍କ ନିକଟରେ ବିଧିବଦ୍ଧ ଭାବେ ଉପସ୍ଥାପନ କରାଯିବ ବୋଲି ଘୋଷଣା କରାଯାଇଛି ।