
ବିରମିତ୍ରପୁର : ସୁନ୍ଦରଗଡ ଜିଲ୍ଲାର କୁଆଁରମୁଣ୍ଡା ବ୍ଲକ ଅନ୍ତର୍ଗତ କୃଷ୍ଣ ଗଡତିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରାଏବଗାଁରେ ଆଜି ପ୍ରବେଶ ଓ ଖଡ଼ିଛୁଆଁ ୨୦୨୬ ଉତ୍ସାହ ଓ ଆନନ୍ଦମୟ ପରିବେଶରେ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଡାକ୍ତର ବିକାଶ କୁମାର ବେକ ଯୋଗ ଦେଇଥିଲେ ।
ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ବିଭୀଷଣ ତନ୍ତୀ ଓ ଅନନ୍ୟ ଗଣ୍ୟମାନ୍ୟ ବ୍ୟକ୍ତିଗଣ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ନବଭର୍ତ୍ତୀ ଛାତ୍ରଛାତ୍ରୀମାନଙ୍କ ପାଇଁ ଖ଼ଡ଼ିଛୁଆଁ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା, ଶିକ୍ଷାର ପ୍ରଥମ ପଦକ୍ଷେପକୁ ସ୍ମରଣୀୟ କରାଯାଇଥିଲା | ଛୋଟଛୋଟ ଶିଶୁ ମାନେ ଆନନ୍ଦର ସହ ଏହି ଶୁଭ ମୁହୁର୍ତରେ ଅଂଶଗ୍ରହଣ କରିଥିଲେ ।
ଏହା ସହିତ ଶିଶୁବାଟିକାର ପିଲା ମାନଙ୍କୁ ଖଡ଼ି, ଶ୍ଲେଟ ବଣ୍ଟନ କରାଯାଇଥିଲା | ସମସ୍ତ ଛାତ୍ରଛାତ୍ରୀଙ୍କୁ ମିଷ୍ଠାନ ବଣ୍ଟନ କରିଥିଲେ । ଯାହା ଛାତ୍ରଛାତ୍ରୀ ମାନଙ୍କୁ ଖୁସି କରିଥିଲା | ଅତିଥି ତାଙ୍କ ଅଭି ଭାଷଣରେ ଶିକ୍ଷାର ଗୁରୁତ୍ୱ ଉପରେ ଆଲୋକ ପାତ କରି ଛୋଟ ଛୋଟ ପିଲାମାନଙ୍କୁ ନିୟମିତ ଭାବେ ପାଠପଢାରେ ଲାଗିରହିବାକୁ ପ୍ରେରିତ କରିଥିଲେ । ଏହି ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ବିଦ୍ୟାଳୟ ଓ ଅଞ୍ଚଳରେ ଶିକ୍ଷା ପ୍ରତି ଆଗ୍ରହ ବଢ଼ାଇବାରେ ଏକ ସଫଳ ପଦକ୍ଷେପ ବୋଲି ମନ୍ତବ୍ୟ ଦେଇଛନ୍ତି ସ୍ଥାନୀୟ ଅଭିଭାବକ ମାନେ ।