
କୋରାପୁଟ : ୦୪/୦୩/୨୦୨୬ (ବସନ୍ତ ପେଗଡ଼) : ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଏପ୍ରିଲ ୧ ତାରିଖ ‘ଓଡ଼ିଶା ଦିବସ’ଠାରୁ ଏପ୍ରିଲ ୧୪ ‘ମହାବିଷୁବ ସଂକ୍ରାନ୍ତି’ ପର୍ଯ୍ୟନ୍ତ “ଓଡ଼ିଆ ପକ୍ଷ” ପାଳନ କରାଯାଉଛି। ଏହି ପରିପ୍ରେକ୍ଷୀରେ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ବିଭାଗର ନିର୍ଦ୍ଦେଶ ଅନୁସାରେ କୋରାପୁଟ ଜିଲ୍ଲା ପ୍ରଶାସନ ଏବଂ ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ମିଳିତ ଆନୁକୂଲ୍ୟରେ ଏକ ବିଶାଳ ସଚେତନତା ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ସମସ୍ତ ଦୋକାନ ଓ ବାଣିଜ୍ୟିକ ପ୍ରତିଷ୍ଠାନଗୁଡ଼ିକରେ ଓଡ଼ିଆ ଭାଷାରେ ସ୍ପଷ୍ଟ ଭାବେ ନାମଫଳକ ଲେଖିବା ପାଇଁ ଏହି ଅଭିଯାନ ମାଧ୍ୟମରେ ସଚେତନ କରାଯାଇଛି।
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ, ଅତିରିକ୍ତ ଜିଲ୍ଲାପାଳ ନରେଶ ଚନ୍ଦ୍ର ଶବର ଏବଂ ଆଇ.ଟି.ଡି.ଏ. ପ୍ରକଳ୍ପ ପରିଚାଳକ (କୋରାପୁଟ ଓ ଜୟପୁର ଉପଖଣ୍ଡ) ତୃପ୍ତି ବରାଇଙ୍କ ଉପସ୍ଥିତିରେ ଜୟପୁରଠାରେ ସବୁଜ ପତାକା ଦେଖାଇ ଏହି ପଦଯାତ୍ରାର ଶୁଭାରମ୍ଭ କରାଯାଇଥିଲା।
ଏହି ସଚେତନତା ଶୋଭାଯାତ୍ରା କୋରାପୁଟ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ସହରର ମୁଖ୍ୟ ବଜାର ପରିକ୍ରମା କରିବା ପରେ ପୁଣି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ସମାପ୍ତ ହୋଇଥିଲା। ସେହିପରି ଜୟପୁରଠାରେ ଯୁଗ୍ମ ଶ୍ରମ ଆୟୁକ୍ତଙ୍କ କାର୍ଯ୍ୟାଳୟରୁ ବାହାରି ପୌରପରିଷଦ ଅଧୀନରେ ଥିବା ସମସ୍ତ ବଜାର ଅତିକ୍ରମ କରି ଶ୍ରମ କାର୍ଯ୍ୟାଳୟଠାରେ ଶେଷ ହୋଇଥିଲା।
ଏହି କାର୍ଯ୍ୟକ୍ରମରେ ଜୟପୁର ପ୍ରଭାଗୀୟ ଶ୍ରମ ଆୟୁକ୍ତ, ଜିଲ୍ଲା ଶ୍ରମ ଅଧିକାରୀ, ଜିଲ୍ଲା ଶିକ୍ଷା ଅଧିକାରୀ, ଅତିରିକ୍ତ ଶିକ୍ଷା ଅଧିକାରୀ, କୋରାପୁଟ ଓ ଜୟପୁର ପୌରପାଳିକାର ନିର୍ବାହୀ ଅଧିକାରୀ, ଜିଲ୍ଲା ସଂସ୍କୃତି ଅଧିକାରୀ (ଭାରପ୍ରାପ୍ତ) ଏବଂ ସହକାରୀ ଶ୍ରମ ଅଧିକାରୀମାନେ ଯୋଗ ଦେଇଥିଲେ। ଏଥିସହ ଶ୍ରମ କାର୍ଯ୍ୟାଳୟର ସମସ୍ତ କର୍ମଚାରୀ, ବିଭିନ୍ନ ଶ୍ରମିକ ସଂଘର କର୍ମକର୍ତ୍ତା, ବାଣିଜ୍ୟ ସଂଘର ସଭାପତି ଏବଂ ସ୍କୁଲ ଛାତ୍ରଛାତ୍ରୀମାନେ ଏଥିରେ ସାମିଲ ହୋଇଥିଲେ।
ପଦଯାତ୍ରା ସମୟରେ ଡାକବାଜି ଯନ୍ତ୍ର ମାଧ୍ୟମରେ ସମସ୍ତ ବ୍ୟବସାୟିକ ପ୍ରତିଷ୍ଠାନକୁ ଓଡ଼ିଆରେ ନାମଫଳକ ଲେଖିବା ପାଇଁ ଅନୁରୋଧ ଓ ସଚେତନ କରାଯାଇଥିଲା। କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳାର ସହ ସମାପନ କରିବା ପାଇଁ କୋରାପୁଟ ଓ ଜୟପୁର ପୋଲିସ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା।