
କୋରାପୁଟ: ୦୪/୦୩/୨୦୨୬ (ବସନ୍ତ ପେଗଡ଼) : ଶିକ୍ଷା ହିଁ ଦେଶର ଭବିଷ୍ୟତ। ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତିର ପ୍ରଚାର ପ୍ରସାର ପାଇଁ ରାଜ୍ୟବ୍ୟାପୀ ପାଳିତ ହେଉଥିବା ‘ଓଡ଼ିଆ ପକ୍ଷ-୨୦୨୬’ ଅବସରରେ କୋରାପୁଟ ଜିଲ୍ଲାରେ ଏକ ନିଆରା କାର୍ଯ୍ୟକ୍ରମ ଦେଖିବାକୁ ମିଳିଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ବିଦ୍ୟାଳୟରେ ‘ପ୍ରବେଶ ଉତ୍ସବ’ ଓ ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମ ଅତ୍ୟନ୍ତ ଉତ୍ସାହ ଓ ଆଡମ୍ବର ସହକାରେ ଅନୁଷ୍ଠିତ ହୋଇଯାଇଛି।
କୋରାପୁଟ ଜିଲ୍ଲାପାଳ ମନୋଜ ସତ୍ୟୱାନ ମହାଜନ ପଡ଼ିଆଗୁଡା ବିଦ୍ୟାଳୟରେ ଉପସ୍ଥିତ ରହି ‘ଖଡ଼ିଛୁଆଁ’ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ସେ ନିଜେ ନୂତନ ଭାବେ ନାମ ଲେଖାଇଥିବା ଶିଶୁମାନଙ୍କୁ ଖଡ଼ି ଧରାଇ ସେମାନଙ୍କ ଶିକ୍ଷା ଯାତ୍ରାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଅଭିଭାବକମାନଙ୍କୁ ପରାମର୍ଶ ଦେଇ କହିଥିଲେ ଯେ, ଶିଶୁର ସର୍ବାଙ୍ଗୀନ ବିକାଶ ପାଇଁ ଶିକ୍ଷା ଅପରିହାର୍ଯ୍ୟ, ତେଣୁ ପିଲାଙ୍କୁ ନିୟମିତ ଭାବେ ବିଦ୍ୟାଳୟକୁ ପଠାନ୍ତୁ। ଶିଶୁମାନଙ୍କୁ ଶିକ୍ଷା ପ୍ରତି ଆକର୍ଷିତ କରିବା ଏବଂ ସେମାନଙ୍କ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବା ଏହି ଅଭିଯାନର ମୂଳ ଲକ୍ଷ୍ୟ ବୋଲି ସେ ପ୍ରକାଶ କରିଥିଲେ।
ଅନ୍ୟପଟେ, କୋରାପୁଟ ବିଧାୟକ ରଘୁରାମ ମାଛ ବଡ଼ ଚିନ୍ଦ୍ରି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ‘ପ୍ରବେଶ ଉତ୍ସବ’ରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ। ସେ ନୂତନ ଛାତ୍ରଛାତ୍ରୀମାନଙ୍କୁ ସ୍ୱାଗତ କରିବା ସହ ସେମାନଙ୍କୁ ପାଠ୍ୟପୁସ୍ତକ, ସ୍କୁଲ ବ୍ୟାଗ ଓ ଅନ୍ୟାନ୍ୟ ଶିକ୍ଷା ସାମଗ୍ରୀ ବିତରଣ କରିଥିଲେ। ଶିକ୍ଷା କ୍ଷେତ୍ରରେ ଅଭିଭାବକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଦର୍ଶାଇ ସେ ମଧ୍ୟ ପିଲାଙ୍କୁ ପ୍ରତିଦିନ ସ୍କୁଲ ପଠାଇବାକୁ ଆହ୍ୱାନ ଦେଇଥିଲେ।
ଏହି କାର୍ଯ୍ୟକ୍ରମରେ ବିଭିନ୍ନ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟିତ୍ରୀ, ଅଭିଭାବକ ଏବଂ ସ୍ଥାନୀୟ ଜନସାଧାରଣ ବହୁ ସଂଖ୍ୟାରେ ଉପସ୍ଥିତ ଥିଲେ। ନୂତନ ଶିକ୍ଷାବର୍ଷର ପ୍ରଥମ ଦିନରେ ବିଦ୍ୟାଳୟ ପରିସର ଶିଶୁମାନଙ୍କ ହସ ଓ ଉତ୍ସାହରେ ପରିପୂର୍ଣ୍ଣ ହୋଇଉଠିଥିଲା। ‘ଓଡ଼ିଆ ପକ୍ଷ’ ଅବସରରେ ଏଭଳି ପ୍ରୟାସ ନୂତନ ପିଢ଼ୀ ମଧ୍ୟରେ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ସହ ଓଡ଼ିଆ ଭାଷା ଓ ସଂସ୍କୃତି ପ୍ରତି ମଧ୍ୟ ସମ୍ମାନବୋଧ ଜାଗ୍ରତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।