
ମାଲକାନଗିରି : ସାମାଜିକ ଗଣମାଧ୍ୟମରେ ମିଥ୍ୟା ଗୁଜବ ପ୍ରସାରଣ କରିବା ଜଣେ ଯୁବକଙ୍କ ପାଇଁ ମହଙ୍ଗା ପଡ଼ିଛି। ମାଲକାନଗିରି ଜିଲ୍ଲା ପଡ଼ିଆ ବ୍ଲକ ଅନ୍ତର୍ଗତ ତେଲାମଗୁଡ଼ା ଗ୍ରାମରେ ଏକ ମହିଳାଙ୍କ ମୃତଦେହ ଗୋପନରେ ପୋତି ଦିଆଯାଇଥିବା ନେଇ ହୋଇଥିବା ପୋଷ୍ଟକୁ ଭିତ୍ତିହୀନ ଦର୍ଶାଇ ଗ୍ରାମବାସୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି।
ସୂଚନା ଅନୁଯାୟୀ, କିଛି ଦିନ ପୂର୍ବେ ଇରାଲଗୁଣ୍ଡି ଅଞ୍ଚଳର ଜଣେ ଯୁବକ ଫେସବୁକରେ ଏକ ପୋଷ୍ଟ କରିଥିଲେ ଯେ, ମାଟେରୁ ପଞ୍ଚାୟତର ତେଲାମଗୁଡ଼ା ଗ୍ରାମରେ ଜଣେ ଅଜଣା ମହିଳାଙ୍କ ଶବ ଠାବ ହୋଇଛି ଏବଂ ଗ୍ରାମବାସୀ କାହାକୁ କିଛି ନଜଣାଇ ତାହାକୁ ପୋତି ଦେଇଛନ୍ତି। ଏହି ଖବର ପ୍ରସାରିତ ହେବା ପରେ ଗ୍ରାମରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଥିଲା। ଏହି ପୋଷ୍ଟ ସମ୍ପୂର୍ଣ୍ଣ ମିଥ୍ୟା ଓ ମନଗଢ଼ା ବୋଲି ଗ୍ରାମବାସୀ କହିଛନ୍ତି।
ଆଜି ମାଟେରୁ ପଞ୍ଚାୟତର ସରପଞ୍ଚ ଲଛମନ ମାଡକାମିଙ୍କ ନେତୃତ୍ୱରେ ୪୦ରୁ ଅଧିକ ଗ୍ରାମବାସୀ ପଡ଼ିଆ ଥାନାରେ ପହଞ୍ଚି ଉକ୍ତ ଯୁବକଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଛନ୍ତି। ଏଭଳି ଅଭିଯୋଗ ଗ୍ରାମର ଭାବମୂର୍ତ୍ତି କ୍ଷୁର୍ଣ୍ଣ କରିବା ସହ ସମସ୍ତଙ୍କ ଭାବନାକୁ ଆଘାତ ଦେଇଛି ବୋଲି ସେମାନେ ଦର୍ଶାଇଛନ୍ତି। ସୋସିଆଲ ମିଡ଼ିଆର ଅପବ୍ୟବହାର କରି ଗୁଜବ ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସରପଞ୍ଚ ଓ ଗ୍ରାମବାସୀ ଦାବି କରିଛନ୍ତି। ପଡ଼ିଆ ଥାନା ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।