ଆନ୍ତଃ ଜିଲ୍ଲା କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ : ନବରଙ୍ଗପୁର ୧୬ ବର୍ଷରୁ କମ୍ ଦଳ ଘୋଷଣା, ଅଙ୍କୁଶ ରାଓଙ୍କୁ ଅଧିନାୟକ ଦାୟିତ୍ୱ

ଉମରକୋଟ : (ରିପୋର୍ଟ – ରସିକ ସରକାର) : ଓଡ଼ିଶା ରାଜ୍ୟ କ୍ରିକେଟ ସଂଘ ଏବଂ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘର ମିଳିତ ଆନୁକୂଲ୍ୟରେ ୧୬ ବର୍ଷରୁ କମ୍ ଆନ୍ତଃ ଜିଲ୍ଲା କ୍ରିକେଟ ଟୁର୍ଣ୍ଣାମେଣ୍ଟ ପାଇଁ ନବରଙ୍ଗପୁର ଜିଲ୍ଲା ଦଳ ଘୋଷଣା କରାଯାଇଛି। ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆୟୋଜିତ ଖେଳାଳି ଚୟନ ଶିବିର ସଫଳତାର ସହ ସମାପ୍ତ ହେବା ପରେ ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ଏହି ୧୬ ଜଣିଆ ଦଳର ନାମ ଘୋଷଣା କରିଛନ୍ତି।
ଏହି ଚୟନ ଶିବିରରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ୭୦ରୁ ଅଧିକ କ୍ରିକେଟର ଯୋଗ ଦେଇଥିଲେ। ସେମାନଙ୍କୁ ୪ଟି ଦଳରେ ବିଭକ୍ତ କରି ମ୍ୟାଚ୍ ଖେଳାଯିବା ପରେ ଖେଳାଳିଙ୍କ ଦକ୍ଷତା ଓ ପ୍ରଦର୍ଶନ ଆଧାରରେ ଚୂଡ଼ାନ୍ତ ଦଳ ଗଠନ କରାଯାଇଛି। ଯୁବ ପ୍ରତିଭା ଅଙ୍କୁଶ ରାଓଙ୍କୁ ଏହି ଦଳର ଅଧିନାୟକ ଭାବେ ମନୋନୀତ କରାଯାଇଛି। ଦଳର ଅନ୍ୟ ସଦସ୍ୟମାନେ ହେଲେ ସ୍ୱାଧୀନ ପଟ୍ଟନାୟକ, ରିତ୍ ହରିଜନ, ନିକ୍ଲେଶ ବୈଶାକ, ସାହିଲ ହରିଜନ, ରଘୁବୀର ପଟ୍ଟନାୟକ, ରୋହିତ୍ ରେଡ୍ଡୀ, ସାହିଲ କୁଜ୍ଜର, ବିବେକ ବାନୁଆ, ଶାଶ୍ୱତ ତ୍ରିପାଠୀ, ସାଇ ଦୁର୍ଗା ବେହେରା, ଏମ୍.ଡି.ଏ ଲାଠିଆ, ନମନ୍ ଷୌରା, ଆଶୁତୋଷ ଗନ୍ତାୟତ, ୟୁ.ଦୀପ ଏବଂ ସାହିଲ ହଲ୍ଵା।
ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକଙ୍କ ସୂଚନା ଅନୁଯାୟୀ, ଶଶାଙ୍କ ଶେଖର ବେହେରାଙ୍କୁ ଦଳର ମ୍ୟାନେଜର ଏବଂ ଲାଲ ମହମ୍ମଦ ଖାନଙ୍କୁ କୋଚ୍ ଦାୟିତ୍ୱ ଅର୍ପଣ କରାଯାଇଛି। କଟକରେ ଆୟୋଜିତ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ ନବରଙ୍ଗପୁର ଜିଲ୍ଲା ଗ୍ରୁପ୍-ଡି’ରେ ସ୍ଥାନ ପାଇଛି। ଏହି ପର୍ଯ୍ୟାୟରେ ଦଳ ଜାଜପୁର, କୋରାପୁଟ, ବୌଦ୍ଧ ଓ ମାଲକାନଗିରି ସହିତ ଲିଗ୍ ମ୍ୟାଚ୍ ଖେଳିବ।
ଏହି ଚୟନ ପ୍ରକ୍ରିୟା ସମୟରେ ଦୁର୍ଯ୍ୟ ହରିଜନ, ଜି. ଚନ୍ଦ୍ରଶେଖର, ସୁବ୍ରତ ଗଣ୍ଡ ଏବଂ ବରିଷ୍ଠ ମହିଳା କ୍ରିକେଟର ଅଜିତା ଦାସଙ୍କ ସମେତ ଅନ୍ୟାନ୍ୟ କ୍ରୀଡ଼ାବିତ୍ ଉପସ୍ଥିତ ରହି ଖେଳାଳିମାନଙ୍କୁ ଉତ୍ସାହିତ କରିଥିଲେ। ସଂଘର ସଦସ୍ୟ ଏମ୍. ବାଲା କ୍ରୀଷ୍ଣା ରାଓ ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନେ ଚୟିତ ଦଳକୁ ଶୁଭେଚ୍ଛା ଜଣାଇବା ସହ ଟୁର୍ଣ୍ଣାମେଣ୍ଟରେ ଦଳର ସଫଳତା କାମନା କରିଛନ୍ତି।