
ଗଞ୍ଜାମ ଲୋକକଳା, ଲୋକ ସଂଗୀତ ବଞ୍ଚାଇବାକୁ ହେଲେ ଉତ୍ତରପିଢ଼ି ସୃଷ୍ଟିକରିବାକୁ ପଡିବ
ଛତ୍ରପୁର : ଓଡ଼ିଆ ପକ୍ଷ ଅବସରରେ ଆଜି ଜିଲ୍ଲା ସଂସ୍କୃତି ଭବନଠାରେ ଲୋକକଳା ପାଇଁ ଦିନଟିଏ ଓ ପାରମ୍ପରିକ କଳାକାରମାନଙ୍କୁ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବାହ୍ନ ସାଂସ୍କୃତିକ ଶୋଭାଯାତ୍ରାକୁ ଜିଲ୍ଲପାଳ ଭି କୀର୍ତ୍ତି ଭାସନ, ଜିଲ୍ଲାପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ସମୀର କୁମାର ଜେନା ପ୍ରମୁଖ ଉଦ୍ଘାଟନ କରିଥିଲେ । ଏହି ଶୋଭାଯାତ୍ରା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରି ଗଞ୍ଜାମର ସମୃଦ୍ଧ ଓ ପୁରାତନ ଲୋକ କଳା ଓ ଲୋକ ସଙ୍ଗୀତର ପ୍ରସାର ପ୍ରଚାର କରିବା ପୂର୍ବକ ଜିଲ୍ଲା ସଂସ୍କୃତି ଭବନ, ଛତ୍ରପୁର ଠାରେ ପହଞ୍ଚିଥିଲା ।
ଏହାପରେ ସଂସ୍କୃତି ଭବନରେ ଲୋକକଳା ଉପରେ ଆଲୋଚନା ଚକ୍ର ଓ ଜିଲ୍ଲାର ବରିଷ୍ଠ କଳାକାରମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା । ଆଲୋଚନା ଚକ୍ରରେ ଅତିରିକ୍ତ ଜିଲ୍ଲାପାଳ ସୁନୀଲ କୁମାର କେର୍କେଟା ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଗଂଜାମର ଲୋକକଳା, ଲୋକ ସଂଗୀତ, ଲୋକସଂସ୍କୃତି ସର୍ବଜନବିଦିତ । ଏହା ଦ୍ୱାରା ଗଞ୍ଜାମ ଏକ ସ୍ୱତନ୍ତ୍ର ପରିଚୟ ପାଇପାରିଛି । ଏସବୁକୁ ବଞ୍ଚାଇବାକୁ ହେଲେ ଆମକୁ ଉତ୍ତରପିଢ଼ି ସୃଷ୍ଟିକରିବାକୁ ପଡିବ ବୋଲି ସେ କହିଥିଲେ ।
ସମ୍ବର୍ଦ୍ଧିତ କଳାକାର ମାନେ ହେଲେ ରାମଲୀଳା ଶ୍ୟାମସୁନ୍ଦର ପାଣିଗ୍ରାହୀ, ପାଲାଗାୟକ ବାଳକୃଷ୍ଣ ନାୟକ, ଗାହଣା ସୁବାସ ଚନ୍ଦ୍ର ଚୌଧୁରୀ, କୃଷ୍ଣଲୀଳା ଜି ହରିବନ୍ଧୁ, ପଶୁମୁଖା ବାଞ୍ଛାନିଧି ଜେନା, ସୂତାକଣ୍ଢେଇ ବୀଭତ୍ସ ସ୍ୱାଇଁ, ଦାସକାଠିଆ ରବିନାରାୟଣ ଶତପଥୀ, ପ୍ରହ୍ଲାଦ ନାଟକ ବୃନ୍ଦାବନ ଜେନା ଓ ଜନାର୍ଦ୍ଧନ ପ୍ରଧାନ, ଦାଶକାଟିଆ ବାଳକୃଷ୍ଣ ମିଶ୍ର, ଭାରତ ଲୀଳା ସୁରେନ୍ଦ୍ର ସାହୁ ।

ଆଜିର କାର୍ଯ୍ୟକ୍ରମରେ ଅତିରିକ୍ତ ଉପଜିଲ୍ଲାପାଳ ପାର୍ଥସାରଥୀ ହାଁସଦା, ବିଡ଼ିଓ ବେଗୁନିଆପଡା ସୁନୀଲ ସାମନ୍ତରାୟ, ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ଜିଲ୍ଲା କଳା ସଂସ୍କୃତି ସଂଘର ଉପସଭାପତି ସନ୍ତୋଷ କୁମାର ପାଢ଼ୀ, ବରିଷ୍ଠ ଲୋକ କଳାକାର, ବିଭାଗୀୟ କର୍ମଚାରୀମାନେ ଉପସ୍ଥିତ ଥିଲେ । ବେଗୁନିଆପଡା କଳା ସଂସ୍କୃତି ସଂଘର ଉପସଭାପତି ମହେଶ୍ୱର ବରାଡ଼ ସଂଯୋଜନା କରିଥିଲେ ।