
ଖଣି ଖନନକୁ ତୁରନ୍ତ ବାତିଲ ଦାବି
ବ୍ରହ୍ମପୁର : ବିଜେପି ସରକାରର କମ୍ପାନୀ ପ୍ରୀତି ନୀତିକୁ କାର୍ଯ୍ୟକାରୀ ପାଇଁ ନିରୀହ ଆଦିବାସି, ଦଳିତଙ୍କ ଉପରେ ଅମାନବୀୟ ଲାଠି ପ୍ରହାର ଓ ମିଥ୍ୟା କେସ ରେ ଗିରଫ ବିରୁଦ୍ଧରେ ଆଜି ଦକ୍ଷିଣାଞ୍ଚଳ ରାଜସ୍ବ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବୁଦ୍ଧିଜୀବୀ ଓ ବିଭିନ୍ନ ପାର୍ଟି ଓ ଗଣ ସଙ୍ଗଠନର ପ୍ରତିନିଧିଗଣଙ୍କ ପକ୍ଷରୁ ଏକ ଶାନ୍ତିପୂର୍ଣ୍ଣ ପ୍ରତୀକାତ୍ମକ ଗଣଧାରଣା ଆୟୋଜିତ ହୋଇଯାଇଅଛି l ପ୍ରକାଶ ଯୋଗ୍ୟ ଯେ, ଗତ ଅପ୍ରେଲ ୭ ତାରିଖ ରାୟଗଡ଼ା ଜିଲ୍ଲାର କାଶୀପୁର ବ୍ଲକ୍ ସିଜିମାଳି ପାହାଡ ଅଞ୍ଚଳରେ ବେଦାନ୍ତ କଂପାନୀ ଖଣି ଖନନ ଓ ଖଣିଜ ପଦାର୍ଥ ଚାଲାଣ ପାଇଁ ରାସ୍ତା ନିର୍ମାଣ ସମ୍ବନ୍ଧେ ସ୍ଥାନୀୟ ଆଦିବାସି ସମୁଦାୟ ଓ ପୋଲିସ୍ ପ୍ରଶାସନ ମଧ୍ୟରେ ମୁହାଁ ମୁହିଁ ପରିସ୍ଥିତି ସୃଷ୍ଟି ହେଲା l ବିନା ଆଲୋଚନାରେ କିପରି ଉକ୍ତ ଅଞ୍ଚଳରେ ଜବରଦସ୍ତଭାବେ ଖଣି ଖନନ ହେଉଛି ବୋଲି ପ୍ରଶ୍ନ କରିବାରୁ ସେମାନଙ୍କ ଉପରେ ରାୟଗଡ଼ା ପୋଲିସ୍ ନିର୍ମମ ଭାବେ ଲାଠି ପ୍ରହାର କଲା, ମଧ୍ୟ ରାତ୍ରୀରେ ପୋଲିସ ଫାୟରିଂ କରିବା ସହ ବହୁ ନିରୀହ ଅଞ୍ଚଳବାସୀଙ୍କୁ ମିଥ୍ୟା କେସ ରେ ଛନ୍ଦି ଗିରଫ କରାଗଲା l
ସୂଚିତ ଯେ, ଗତ ୨୦୨୩ ମସିହାରୁ ହିଁ ଉକ୍ତ ଅଞ୍ଚଳରେ ଖଣି ଖନନ ପାଇଁ ରାଜ୍ୟ ସରକାର ଓ ବେଦାନ୍ତ କଂପାନୀ ମଧ୍ୟରେ ଚୁକ୍ତି ହୋଇଥିଲା , ହେଲେ ସ୍ଥାନୀୟ ଅଧିବାସୀ ଏଥିରେ ଅରାଜି ଥିବାରୁ ଉକ୍ତ ଖଣି ଖନନ ପ୍ରସଙ୍ଗ ଆଗକୁ ବଢ଼ିନଥିଲା,କିନ୍ତ୍ ନୂତନ ବିଜେପି ସରକାର ସମସ୍ତ ପ୍ରକାର ନୀତି ନିୟମକୁ ଉଲ୍ଲଂଘନ କରି ଆଦିବାସି ଦଳିତ ବହୁଳ ଅଞ୍ଚଳରେ ନିଜ ଦମନ ଲୀଳା ଆରମ୍ଭ କରିଛନ୍ତି l ଅନୁସୂଚିତ ଧାରା ଅନୁସାରେ ଗ୍ରାମ ସଭା ମାଧ୍ୟମରେ ହିଁ ଯେ କୌଣସି ପ୍ରକାର ବିକାଶ ମୂଳକ କାର୍ଯ୍ୟ ଆଲୋଚନା ହେବ ଓ ଗ୍ରାମ ସଭାରେ ଅନୁମୋଦନ ପାଇଲେ ହିଁ କାମ ଆଗକୁ ବଢିବାର ନିୟମ ରହିଛି, ହେଲେ ରାଜ୍ୟ ସରକାର ସମ୍ପୂର୍ଣ ଭାବେ ଏହି ଆଇନକୁ ଉଲ୍ଲଂଘନ କରିଛନ୍ତି l ୨୦୦୬ ମସିହାର ଜଙ୍ଗଲ ଅଧିକାର ଆଇନ ବଳରେ କେହି ଆଦିବାସୀ ଓ ପାରମ୍ପରିକ ଅଧିବାସୀଙ୍କ ଠାରୁ ଜମି ଛଡାଇ ନେଇ ପାରିବେ ନାହିଁ, କିନ୍ତୁ ଏଠି ଉକ୍ତ ଆଇନକୁ ବି ରାଜ୍ୟ ସରକାର ହନନ କରି ନିଜ ଘରୋଇ କଂପାନୀ ପ୍ରୀତିକୁ ପ୍ରମାଣିତ କରିଛନ୍ତି l କଂପାନୀ ସ୍ବାର୍ଥ ପାଇଁ ସାଧାରଣ ଜନତାଙ୍କ ଉପରେ ବର୍ବରୋଚିତ ଲାଠି ପ୍ରହାର ଓ ଘରୁ ଉଠାଇ ନେଇ ମିଥ୍ୟା କେସ ଲଦି ନିରୀହ ସରଳ ଆଦିବାସୀ ମାନଙ୍କୁ ଗିରଫ କରିବା ନିହାତି ଭାବେ ରାଜ୍ୟ ସରକାରଙ୍କ ଅମାନବୀୟ ଚରିତ୍ର ପଦାରେ ପଢ଼ିଛି l ଭିଟାମାଟିର ସୁରକ୍ଷା ଓ ପ୍ରାକୃତିକ ସମ୍ପତ୍ତିର ଲୁଟ୍ ବିରୋଧରେ ଆନ୍ଦୋଳନ କରୁଥିବା ଉକ୍ତ ନିରୀହ ଆଦିବାସୀଙ୍କୁ ତୁରଂତ ନ୍ୟାୟ ପ୍ରଦାନ କରାଯିବାକୁ ଆଜି ବିଭିନ୍ନ ଗଣ ସଙ୍ଗଠନର ପ୍ରତିନିଧି ବୃନ୍ଦ ଓ ବୁଦ୍ଧିଜୀବିମାନେ ମିଳିତ ଭାବେ ଧାରଣାରେ ସାମିଲ୍ ହୋଇଛନ୍ତି l ଏତଦସହ ଗ୍ରାମ ସଭାକୁ ସର୍ବୋଚ୍ଚ ଅଗ୍ରାଧିକାର ଦିଆଯାଉ, ସିଜିମାଳି ଅଞ୍ଚଳର ବିଭିନ୍ନ ଗ୍ରାମରେ ପୋଲିସ ଜୁଲମକୁ ତୁରନ୍ତ ବନ୍ଦ କରାଯାଉ, ମିଥ୍ୟା ଆରୋପରେ ଗିରଫ ହୋଇଥିବା ଆନ୍ଦୋଳନକାରୀମାନଙ୍କୁ ନିଃଶର୍ତ୍ତ ମୁକ୍ତି ଦିଆଯାଉ, ପେସା ଆଇନ (ସିଡ୍ୟୁଲ-୫) ଓ ଜଙ୍ଗଲ ଅଧିକାର ଆଇନକୁ କଡାକଡି ଭାବେ କାର୍ଯ୍ୟକାରୀ କରି ଲୋକଙ୍କ ଜୀବନ ଓ ଜୀବିକାକୁ ସୁରକ୍ଷା ଦିଆଯାଉ, ନିୟମଗିରି, ଖଣ୍ଡୁଆଳମାଳି ଓ ସିଜିମାଳିରେ ପ୍ରସ୍ତାବିତ ଖଣି ଖନନକୁ ବାତିଲ କରାଯାଉ, ଜଳ, ଜମି, ଜଙ୍ଗଲ ଓ ପ୍ରକୃତି ପରିବେଶର ସୁରକ୍ଷା କରାଯାଉ, ସିଜିମାଳୀ ଅଂଚଳରେ ଲାଗୁକରାଯାଇଥିବା ବିଏନ୍ଏସ ର ଧାରା ୧୬୩ ଓ ୧୪୪ କୁ ପ୍ରତ୍ୟାହାର କରାଯାଉ ଓ ସିଜିମାଳୀ ରେ କମ୍ପାନୀ ସ୍ଵାର୍ଥରେ ରାସ୍ତା ନିର୍ମାଣ କାମ ତୁରନ୍ତ ବନ୍ଦ କରିବା ଆଦି ମୌଳିକ ଦାବି ସମ୍ମିଳିତ ଏକ ସ୍ମାରକ ପତ୍ର ଦକ୍ଷିଣାଞ୍ଚଳ ରାଜସ୍ବ କମିସନରଙ୍କ ମାଧ୍ୟମରେ ମହାମହିମ ରାଜ୍ୟପାଳଙ୍କୁ ଆଜି ଧାରଣା ପରେ ପ୍ରଦାନ କରାଯାଇଛି l

ଆଜିର ଏହି ଗଣଧାରଣାରେ ବିଶିଷ୍ଟ ପରିବେଶବିତ୍ ସୁଧୀର ରାଉତ,ସିପିଆଇ(ଏମଏଲ୍) ର ଆଇନଜୀବି ଅବନୀ ଗୟା, ଆପ୍ ର ସୁବାସ ଚନ୍ଦ୍ର ରାଉତ,ଆଦିତ୍ୟ ନାରାୟଣ ରଥ, କୈଳାସ ଚନ୍ଦ୍ର ସେଠୀ,ସେବା ନିବୃତ ଶିକ୍ଷକ ଓ କର୍ମଚାରୀ ସଂଘର ନେତା ଅଶୋକ କୁମାର ଦଳାଇ, ଏଆଇକେକେଏସ ର ଶଙ୍କର ଇନକିଲାବ, ସିପିଆଇ (ଏମଏଲ୍) ରେଡଷ୍ଟାର ର ପି.ପାର୍ବତୀ, ସିପିଆଇ (ଏମ ଏଲ୍) ନିଉ ଡେମୋକ୍ରସି ର ଭାଲଚନ୍ଦ୍ର ଷଡ଼ଙ୍ଗୀ, ମାନବ ଅଧିକାର ସୁରକ୍ଷା ମଞ୍ଚ ର ଗଗନ ଚନ୍ଦ୍ର ମଲ୍ଲିକ, ଆର୍.ସତ୍ୟ ନାରାୟଣ ରାଓ,ସମ ସମାଜ ତତ୍ତ୍ଵ ର ଆବାହକ ଗୁରୁ ଚରଣ ପାତ୍ର, ଋଷିକୂଲ୍ୟା ରୟତ ମହାସଭାର ସିମାଞ୍ଚଳ ନାହାକ, କିଶୋର ସ୍ୱାଇଁ,ଲଡୁ ଡାକୁଆ, ବରଗଛ ସଂରକ୍ଷଣ ସମିତି ର ଲୋକନାଥ ପରିଡ଼ା ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l