ଭାରତ ରତ୍ନ ବାବା ସାହେବ ଡଃ ଭୀମରାଓ ରାମଜୀ ଆମ୍ବେଦକରଙ୍କ ୧୩୬ତମ ଜିଲ୍ଲା ସ୍ତରୀୟ ଜୟନ୍ତୀ ପାଳିତ

add-all

ସମ୍ବିଧାନ ଆମକୁ ସମସ୍ତ ପ୍ରକାର ସ୍ବାଧୀନତା ଓ ସମତା ପ୍ରଦାନ କରିଛି
ଅସମାନତା ଦୂର କରି ଏକ ସୁନ୍ଦର ଓ ସମତାପୂର୍ଣ୍ଣ ଦେଶ ଗଢିବା ପାଇଁ ଯୁବପିଢିଙ୍କୁ ଆହ୍ବାନ
ଛତ୍ରପୁର : ଭାରତୀୟ ସମ୍ବିଧାନର ମୁଖ୍ୟ ପ୍ରଣେତା, ସାମାଜିକ ସମାନତା ଓ ନ୍ୟାୟର ସଂଗ୍ରାମୀ, ଅବହେଳିତଙ୍କ ଅଧିକାରର ସ୍ବର, ଶିକ୍ଷାର ମହତ୍ତ୍ୱର ପ୍ରଚାରକ ଭାରତ ରତ୍ନ ବାବା ସାହେବ ଡଃ ଭୀମ ରାଓ ରାମଜୀ ଆମ୍ବେଦକରଙ୍କ ୧୩୬ ତମ ଜିଲ୍ଲାସ୍ତରୀୟ ଜୟନ୍ତୀ ଓ ଓଡିଆ ନବବର୍ଷ ଜିଲ୍ଲା ପ୍ରଶାସନ ପକ୍ଷରୁ ମହା ସମାରୋହରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ କାର୍ଯ୍ୟଳୟ ଠାରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବାବା ସାହେବ ଆମ୍ବେଦକରଙ୍କ ତୈଳଚିତ୍ରରେ ଅତିଥିମାନେ ପୁଷ୍ପମାଲ୍ୟ ଅର୍ପଣ ପୂର୍ବକ ପ୍ରଦୀପ ପ୍ରଜ୍ଜଳନ କରିଥିଲେ । ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ଗଞ୍ଜାମ ଡ. ପ୍ରମୋଦ କୁମାର ପୃଷ୍ଟି ଯୋଗଦେଇ କହିଥିଲେ ଯେ, ଡଃ ଆମ୍ବେଦକର ନିଜର ପ୍ରଗାଢ ପାଣ୍ଡିତ୍ଯ, ବିଚକ୍ଷଣ ବୁଦ୍ଧି ଓ ଅନ୍ୟ ଜ୍ଞାନୀଗୁଣି ବ୍ୟକ୍ତିଙ୍କ ସହଯୋଗରେ ବିଶ୍ବର ସର୍ବ ବୃହତ୍ ଲିଖିତ ସମ୍ବିଧାନ ପ୍ରସ୍ତୁତି କାର୍ଯ୍ୟ ସୂଚାରୁରୂପେ ସଂପାଦନ କରିଥିଲେ । ସେହି ସମ୍ବିଧାନ ଆମକୁ ସମସ୍ତ ପ୍ରକାର ସ୍ବାଧୀନତା ଓ ସମତା ପ୍ରଦାନ କରିଛି । ନିଜେ ବିକଶିତ ହେଲେ ପରିବାର ବିକଶିତ ହେବ, ପରେ ପରେ ଗାଁ, ସମାଜ, ରାଜ୍ୟ ଓ ଦେଶ ବିକଶିତ ହୋଇ ପାରିବ ବୋଲି କହିବା ସହିତ ଛାତ୍ରଛାତ୍ରୀ ମାନଙ୍କୁ ଜଣେ ଜଣେ ଭଲ ମଣିଷ ହେବା ପାଇଁ ପରାମର୍ଶ ଦେଇଥିଲେ ।

ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଦେବଦତ୍ତ ପଣ୍ଡା ସମ୍ମାନୀତ ଅତିଥି ଭାବେ ଯୋଗଦେଇ ତାଙ୍କ ବକ୍ତବ୍ଯରେ କହିଥିଲେଯେ, ଆମ ସମ୍ବିଧାନ ହେଉଛି ବିଶ୍ବର ସର୍ବଶ୍ରେଷ୍ଠ ସମ୍ବିଧାନ । ରାଜ୍ଯ ଓ କେନ୍ଦ୍ର, ଧନୀ ଓ ଗରିବ ମଧ୍ଯରେ କିପରି ସନ୍ତୁଳନ ରକ୍ଷାକରି ସାମ୍ବିଧାନିକ ଧାରା ଅନୁଯାୟୀ କିପରି ଶାସନ ପରିଚାଳନା କରାଯାଇପାରିବ ତାହା ସମ୍ବିଧାନରେ ଉଲ୍ଲେଖ ରହିଛି । ଆମ ସମ୍ବିଧାନ ହିଁ ଆମକୁ ଭାରତୀୟ ନାଗରିକ ରୂପେ ପରିଚୟ ଦେଇଥାଏ । ଆଜି ମଧ୍ୟ ସମାଜରେ ଅସମାନତା ରହିଛି, ତାହାକୁ ଆଜିର ଯୁବପିଢି ଦୂର କରି ଏକ ସୁନ୍ଦର ଓ ସମତାପୂର୍ଣ୍ଣ ଦେଶ ଗଢିବା ପାଇଁ ସେ ଯୁବପିଢିଙ୍କୁ ଆହ୍ବାନ କରିଥିଲେ । ଅନ୍ଯତମ ସମ୍ମାନୀତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ତଥା ପ୍ରକଳ୍ପ ନିର୍ଦ୍ଦେଶକ, ଡୁଡା ସୁନୀଲ କୁମାର କେର୍କେଟା ଯୋଗଦେଇ କହିଥିଲେ ଯେ, ସମ୍ବିଧାନ ଆମକୁ ଦେଇଛି ମୌଳିକ ଅଧିକାର ଓ ମୌଳିକ କର୍ତ୍ତବ୍ଯ । ସମାଜ ସବୁ ସମୟରେ ଅଧିକାର କଥା ଉଚ୍ଚସ୍ଵରରେ କହିଆସିଛି, ସାମ୍ପ୍ରତିକ ସମାଜକୁ ଏବେ କର୍ତ୍ତବ୍ୟ ବିଷୟରେ ଉଚ୍ଚସ୍ଵରରେ କହିବାକୁ ପଡିବ ତାହାହେଲେ ଯାଇ ଆମେ ଆମ୍ବେଦକରଙ୍କ ପରି ମହାମନୀଷୀଙ୍କ ସ୍ଵପ୍ନର ଭାରତ ଗଢିପାରିବା ।

ଅନ୍ଯତମ ଅତିଥି ଭାବେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ ଓ ଏନ୍. ନାରାୟଣ ରେଡ୍ଡୀ ଯୋଗଦେଇ ସମ୍ବିଧାନ ପ୍ରଣେତା ବାବା ସାହେବ ଆମ୍ବେଦକରଙ୍କ ସତୀର୍ଥ ସ୍ମୃତି ଚାରଣ କରିବା ସହିତ ୪୦ ବର୍ଷ ତଳର ସମାଜ ଓ ବର୍ତ୍ତମାନର ସମାଜର ଏକ ତୁଳନାତ୍ମକ ଚିତ୍ର, ବିବିଧତା ମଧ୍ୟରେ ବିକାଶ, ସମ୍ବିଧାନର ମୁଖବନ୍ଧରେ ଉଲ୍ଲେଖିତ ଭାବଧାରା ଆଦି ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ଯ ବକ୍ତା ଭାବେ ଶିକ୍ଷାବିତ୍ ତଥା ଆଇନଜୀବୀ ରଞ୍ଜନ ମହାପାତ୍ର ଯୋଗଦେଇ କହିଥିଲେ ଯେ, ସ୍ବାଧୀନ ଭାରତର ଗଣତନ୍ତ୍ର ଶାସନର ସମ୍ବିଧାନ ପ୍ରଣୟନ କରିବା ଥିଲା ସମଗ୍ର ଭାରତୀୟଙ୍କ ପାଇଁ ତାଙ୍କର ସର୍ବାଧିକ ଅବଦାନ । ଅଧିକାର ଓ ଦାବୀ ହାସଲ ଦିଗରେ ତାଙ୍କର ଶିକ୍ଷା ଓ ଦର୍ଶନ , ଆଜି ଲୋକ ମାନଙ୍କ ପାଇଁ ଏକ ମାର୍ଗ ଦର୍ଶିକା ଭାବେ କାର୍ଯ୍ୟ କରୁଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସୌରଭ ପ୍ରଧାନ ଡଃ ଆମ୍ବେଦକରଙ୍କ ଉପରେ ପ୍ରାରମ୍ଭିକ ସୂଚନା ପ୍ରଦାନ କରି କହିଥିଲେଯେ, ସ୍ବାଧୀନତା ପୂର୍ବରୁ ଏବଂ ସ୍ବାଧୀନୋତ୍ତର ଭାରତ ବର୍ଷରେ ଯେଉଁ କେତେ ଜଣ ମନୀଷୀ ନିଜର ସାଧନା, ନିଷ୍ଠା, ଅଧ୍ଯବସାୟ ଓ କଠୋର ତପସ୍ଯା ବଳରେ ସାମ୍ପ୍ରତିକ ସମାଜ ତଥା ରାଜନୈତିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି, ସେମାନଙ୍କ ମଧ୍ଯରେ ଭାରତ ରତ୍ନ ଡଃ ଆମ୍ବେଦକର ଥିଲେ ଅନ୍ଯତମ । ଆମ୍ବେଦକରଙ୍କ ଜୟନ୍ତୀ ସମାରୋହ ନିମନ୍ତେ ବିଭିନ୍ନ ବିଦ୍ଯାଳୟ ଓ ମହାବିଦ୍ଯାଳୟ ସ୍ତରରେ କରାଯାଇଥିବା ବକ୍ତୃତା ପ୍ରତିଯୋଗିତାର କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରିଣୀ ଅଦିତି ଆଚାର୍ଯ୍ୟ, ଜିଲ୍ଲା ପର୍ଯ୍ୟଟନ ଅଧିକାରୀ ଜନକ ତରାଇ, ଆଇନଜୀବୀ ଡ଼ଃ ପ୍ରଶାନ୍ତ ଶତପଥି, ସୟଦ ମୁକ୍ତାର, ଦିଲ୍ଲୀପ ପଲ୍ଲାଇଙ୍କ ସମେତ ବହୁ ବୁଦ୍ଧିଜୀବୀ, ସାମ୍ବାଦିକ ଏବଂ ଛାତ୍ର ଛାତ୍ରୀ ମାନେ ଉପସ୍ଥିତ ଥିଲେ l ଏହି ଅବସରରେ ଓଡ଼ିଆ ନବ ବର୍ଷ ଏବଂ ପଣା ସଂକ୍ରାନ୍ତି ମଧ୍ୟ ପାଳନ କରାଯାଇଛି । ସମସ୍ତଙ୍କୁ ପଣା ବଣ୍ଟନ କରାଯାଇଥିଲା । ଶେଷରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଧନ୍ଯବାଦ ଅର୍ପଣ କରିଥିଲେ ।

ad-week
Leave A Reply

Your email address will not be published.