ବରକିଭଟ୍ଟା ଗ୍ରାମବାସୀଙ୍କ ମଦ ବିରୋଧୀ ହୁଙ୍କାର: ମଦ ବିକ୍ରି କଲେ ୧ ଲକ୍ଷ ଓ ପିଇଲେ ୫ ହଜାର ଟଙ୍କା ଜରିମାନା

add-all

ଉମରକୋଟ (ରସିକ ସରକାର): ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚାକଲାପଦର ପଞ୍ଚାୟତର ବରକିଭଟ୍ଟା ଗାଁ ଆଜି ଏକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ପାଲଟିଛି। ଗାଁରେ ବଢ଼ୁଥିବା ଅବାଧ ନିଶା କାରବାର ଓ ଏହାର କୁପ୍ରଭାବକୁ ରୋକିବା ପାଇଁ ଶତାଧିକ ଗ୍ରାମବାସୀ ଏକଜୁଟ ହୋଇ ଏକ ବିଶାଳ ଗ୍ରାମସଭାରେ ମଦ ବିରୋଧୀ ଶପଥ ଗ୍ରହଣ କରିଛନ୍ତି। ଗ୍ରାମରେ ଥିବା ୯୧ଟି ପରିବାର ମଧ୍ୟରୁ ମାତ୍ର କେଇଟି ପରିବାରର ମଦ୍ୟ କାରବାର ଯୋଗୁଁ ସମଗ୍ର ଗାଁର ଶାନ୍ତିଶୃଙ୍ଖଳା ବିପନ୍ନ ହେଉଥିବା ଅଭିଯୋଗ କରି ଗ୍ରାମବାସୀମାନେ ଏହି କଠୋର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବିଶେଷ କରି ଯୁବପିଢ଼ି ନିଶାଗ୍ରସ୍ତ ହୋଇ ରାସନ ଚାଉଳ ବିକ୍ରି କରିବା ସହ ଘରର ସୁନା ଗହଣା ଓ ଜମି ବାଡ଼ି ବନ୍ଧକ ରଖିବା ଭଳି ଘଟଣା ସାମ୍ନାକୁ ଆସିବା ପରେ ଗ୍ରାମର ବୟସ୍କମାନେ ଗଭୀର ଉଦବେଗ ପ୍ରକାଶ କରିଛନ୍ତି।

ଏହି ଗୁରୁତ୍ୱପୂର୍ଣ୍ଣ ବୈଠକରେ ନିଷ୍ପତ୍ତି ହୋଇଛି କି, ଯଦି ଗାଁରେ କେହି ମଦ ବିକ୍ରି କରନ୍ତି, ତେବେ ତାଙ୍କ ଉପରେ ୧ ଲକ୍ଷ ଟଙ୍କା ଜରିମାନା ଲାଗୁ କରାଯିବା ସହ ଗ୍ରାମରୁ ବାସନ୍ଦ କରାଯିବ। ସେହିପରି ଗାଁ ବାହାରୁ ମଦ୍ୟପାନ କରି ଆସି ଗାଁରେ ଅଶାନ୍ତି ସୃଷ୍ଟି କରୁଥିବା ବ୍ୟକ୍ତିଙ୍କ ଉପରେ ୫ ହଜାର ଟଙ୍କା ଜରିମାନା ସହ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ, ପଞ୍ଜିକୃତ ମଦ ଦୋକାନମାନଙ୍କରୁ ଅବାଧରେ ମଦ ଆସି ଗାଁରେ ବିକ୍ରି ହେଉଥିଲେ ହେଁ ଅବକାରୀ ବିଭାଗ କୌଣସି ଠୋସ ପଦକ୍ଷେପ ନେଉନାହିଁ। ଏହି ବୈଠକରେ କମଲୋଚନ ପୂଜାରୀ, ଘାସିରାମ ପୂଜାରୀ, ଅନାମ ଗୌଡ଼, କମଳୁ ଗୌଡ଼, ମନବୋଧ ପୂଜାରୀ, ବୀଣା ଗୌଡ଼, ସମାଜସେବୀ ବୈକୁଣ୍ଠ ପୂଜାରୀ ଓ ଥବିର ପୂଜାରୀଙ୍କ ସମେତ ଗ୍ରାମର ସମସ୍ତ ପୁରୁଷ ଓ ମହିଳା ଉପସ୍ଥିତ ରହି ଏକ ସୁସ୍ଥ ଓ ଶାନ୍ତିପୂର୍ଣ୍ଣ ସମାଜ ଗଠନ ପାଇଁ ସଂକଳ୍ପବଦ୍ଧ ହୋଇଛନ୍ତି। ଗ୍ରାମବାସୀଙ୍କ ଏହି ସାହସିକ ପଦକ୍ଷେପକୁ ବିଭିନ୍ନ ମହଲରେ ଉଚ୍ଚ ପ୍ରଶଂସା କରାଯାଉଛି।

Leave A Reply

Your email address will not be published.