ଶିକ୍ଷାନୁଷ୍ଠାନରେ ଅଗଣତାନ୍ତ୍ରିକ ଆଚରଣ ସଂହିତାକୁ ବିରୋଧ : ବ୍ରହ୍ମପୁରରେ ଏଆଇଡିଏସଓ ପକ୍ଷରୁ ଛାତ୍ର ବିକ୍ଷୋଭ

add-all

ବ୍ରହ୍ମପୁର, ୧୫/୦୪/୨୦୨୬ : ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଲାଗୁ କରାଯାଇଥିବା ନୂତନ ‘ଆଦର୍ଶ ଆଚରଣ ସଂହିତା’କୁ ନେଇ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏହାକୁ ଅଗଣତାନ୍ତ୍ରିକ ଓ ଛାତ୍ର-ଶିକ୍ଷକ ବିରୋଧୀ ଦର୍ଶାଇ ଅଲ୍ ଇଣ୍ଡିଆ ଡେମୋକ୍ରାଟିକ୍ ଷ୍ଟୁଡେଣ୍ଟସ ଅର୍ଗାନାଇଜେସନ (ଏଆଇଡିଏସଓ) ଗଞ୍ଜାମ ଜିଲ୍ଲା କମିଟି ପକ୍ଷରୁ ଏକ ବିଶାଳ ଛାତ୍ର ବିକ୍ଷୋଭ ଅନୁଷ୍ଠିତ ହୋଇଯାଇଛି। ସଂଗଠନର ଅଭିଯୋଗ ଅନୁଯାୟୀ, ଏହି ନୂତନ ସଂହିତା ମାଧ୍ୟମରେ କ୍ୟାମ୍ପସ ମଧ୍ୟରେ ସଭା, ସମିତି ଓ ଆନ୍ଦୋଳନ ଉପରେ କଟକଣା ଜାରି କରି ସରକାର ଛାତ୍ରଛାତ୍ରୀଙ୍କ ମୌଳିକ ଗଣତାନ୍ତ୍ରିକ ଅଧିକାରକୁ କ୍ଷୁଣ୍ଣ କରୁଛନ୍ତି।

ବିକ୍ଷୋଭକାରୀମାନେ ଅଭିଯୋଗ କରିଛନ୍ତି ଯେ, ରାଜ୍ୟରେ ବିଜେପି ସରକାର କ୍ଷମତାକୁ ଆସିବା ପରେ ଉଚ୍ଚଶିକ୍ଷା ବ୍ୟବସ୍ଥା ଚରମ ଦୁର୍ଦ୍ଦଶା ମଧ୍ୟଦେଇ ଗତି କରୁଛି। ଜାତୀୟ ଶିକ୍ଷା ନୀତି-୨୦୨୦ର ପ୍ରୟୋଗ ଫଳରେ ପାଠପଢ଼ା ଓ ପରୀକ୍ଷା ପରିଚାଳନାରେ ବ୍ୟାପକ ଅବ୍ୟବସ୍ଥା ସୃଷ୍ଟି ହୋଇଛି। ହଜାର ହଜାର ଅଧ୍ୟାପକ ପଦବୀ ଖାଲି ପଡ଼ିଥିବା ବେଳେ ଫିସ୍ ବୃଦ୍ଧି, ହଷ୍ଟେଲ ସମସ୍ୟା ଓ ଗବେଷଣା ଅନୁଦାନ ହ୍ରାସ ଭଳି ବହୁବିଧ ସମସ୍ୟା ଶିକ୍ଷାଦାନ ବ୍ୟବସ୍ଥାକୁ ପଙ୍ଗୁ କରିଦେଇଛି। ଏହି ସମସ୍ୟା ବିରୁଦ୍ଧରେ ଉଠୁଥିବା ସ୍ୱରକୁ ଚାପି ଦେବା ପାଇଁ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ସହ ଏଭଳି ‘ଫାଶୀବାଦୀ’ ଆଚରଣ ସଂହିତା ଲାଗୁ କରିଛନ୍ତି ବୋଲି ଛାତ୍ର ନେତାମାନେ ପ୍ରକାଶ କରିଛନ୍ତି।

ସଂଗଠନ ପକ୍ଷରୁ କୁହାଯାଇଛି ଯେ, ପ୍ରତିବାଦ କରିବା ଓ ସଂଗଠନ ଗଢ଼ିବା ହେଉଛି ନାଗରିକଙ୍କ ସାମ୍ବିଧାନିକ ଅଧିକାର। ମାତ୍ର ସରକାର ଶିକ୍ଷାନୁଷ୍ଠାନଗୁଡ଼ିକୁ ସମ୍ପୂର୍ଣ୍ଣ ନିଜ ନିୟନ୍ତ୍ରଣକୁ ନେଇ ଛାତ୍ରସମାଜକୁ ଅନ୍ଧବିଶ୍ୱାସ ଓ କୂପମଣ୍ଡୁକତା ଆଡ଼କୁ ଠେଲି ଦେବାକୁ ଅପଚେଷ୍ଟା କରୁଛନ୍ତି। ଏହି ଶିକ୍ଷା-ସଭ୍ୟତା ବିରୋଧୀ ଆଚରଣ ସଂହିତାକୁ ତୁରନ୍ତ ପ୍ରତ୍ୟାହାର କରିବା ସହ ପ୍ରତ୍ୟକ୍ଷ ଛାତ୍ର ସଂସଦ ନିର୍ବାଚନ ପାଇଁ ସଂଗଠନ ଦୃଢ଼ ଦାବି କରିଛି।

ଏହି ବିକ୍ଷୋଭ ପ୍ରଦର୍ଶନରେ ଏଆଇଡିଏସଓ ଜିଲ୍ଲା ସଭାପତି ନିମାଇଁ ଚରଣ ସାହୁ, ଉପ-ସଭାପତି ପପୁନ୍ ସାହୁ, କୋଷାଧ୍ୟକ୍ଷ କିସାନ କୁମାର ସାହୁ, ଶୁଭସ୍ମିତା ପାଣିଗ୍ରାହୀ ଓ କାମରାଜ ସାହୁଙ୍କ ସମେତ ଶତାଧିକ ଛାତ୍ରଛାତ୍ରୀ ସାମିଲ ହୋଇ ସରକାରଙ୍କ ବିରୁଦ୍ଧରେ ଗର୍ଜିଥିଲେ।

Leave A Reply

Your email address will not be published.