ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଓଡ଼ିଆ ପକ୍ଷ ଉଦଯାପିତ

add-all

ବ୍ରହ୍ମପୁର : ଖଲ୍ଲିକୋଟ ଏକକ ବିଶ୍ୱବିଦ୍ୟାଳୟରେ ଚଉଦ ଦିନ ବ୍ୟାପୀ ପାଳିତ ହେଉଥିବା ଓଡ଼ିଆ ପକ୍ଷ ଚଳିତ ମହାବିଷୁବ ସଂକ୍ରାନ୍ତି ଦିନ ଉଦଯାପିତ ହୋଇଯାଇଛି। ସରକାରୀ ନିର୍ଦ୍ଦେଶନାମା ଅନୁଯାୟୀ ଓଡ଼ିଆ ପକ୍ଷର ପ୍ରତ୍ୟେକ ଦିବସରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଓଡ଼ିଆ ପକ୍ଷର ପ୍ରଥମ ଦିବସ ‘ଓଡ଼ିଶା ଦିବସ’ ର ଏକ ଭବ୍ୟ ସମାରୋହରେ ବିଶିଷ୍ଟ ବାଗ୍ମୀ ପ୍ରଫେସର ବିଷ୍ଣୁଚରଣ ଚୌଧୁରୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ଉପକୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର, ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥ ପ୍ରମୁଖ ମଂଚାସୀନ ଥିଲେ ।

କାର୍ଯ୍ୟକ୍ରମ ସଂଯୋଜନା ଡ. ମନୋରଞ୍ଜନ ବିଷୋୟୀ କରିଥିବା ବେଳେ କାର୍ଯ୍ୟକ୍ରମ ପରିଚାଳନାରେ ଡ. ବରୁଣ କୁମାର ବେହେରା, ଡ. ସୁସ୍ମିତା ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ l ଦ୍ୱିତୀୟ ଓ ତୃତୀୟ ଦିବସ ‘ପାରମ୍ପରିକ ପୋଷାକ ପରିଧାନ ଦିବସ’ ରେ ବିଶ୍ଵବିଦ୍ୟାଳୟର ସମସ୍ତ ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ଓଡ଼ିଶାର ହସ୍ତତନ୍ତ ବସ୍ତ୍ର ପରିଧାନ କରିଥିଲେ।ଏହା ସହ ‘ ଓଡ଼ିଆରେ ନାମ ଫଳକ ଲେଖା ଅଭିଯାନ ‘ ଚତୁର୍ଥ ଦିବସରେ ଓଡ଼ିଆରେ ନାମ ଫଳକ ଲେଖିବାକୁ ପ୍ରୋତ୍ସାହନ କରାଯାଇଥିଲା lପଞ୍ଚମ ଦିବସରେ ଜାତୀୟ ସମର ଶିକ୍ଷାର୍ଥୀ ବାହିନୀ (ଏନ୍.ସି.ସି ) ଛାତ୍ରଛାତ୍ରୀଙ୍କ ଦ୍ୱାରା କ୍ୟାପଟେନ ଡ. ଯତୀନ ବିଷୋୟୀଙ୍କ ନେତୃତ୍ୱରେ ‘ଐତିହ୍ୟ ଗଣଦୌଡ଼’ ଅନୁଷ୍ଠିତ ହୋଇଥିଲା। ଷଷ୍ଠ ଦିବସରେ ବିଶ୍ବବିଦ୍ୟାଳୟର ୟୁଥ ରେଡ଼କ୍ରସ ଓ ଜାତୀୟ ସେବା ଯୋଜନା ( ଏନ. ଏସ. ଏସ )ର ମିଳିତ ଆନୁକୂଲ୍ୟରେ ସ୍ୱଚ୍ଛତା ଅଭିଯାନ କରାଯାଇଥିଲା। ଅଷ୍ଟମ ଦିବସରେ ‘ରକ୍ତଦାନ ଶିବିର’ ୟୁଥ ରେଡ଼କ୍ରସ ସଂଯୋଜକ ଡ. ସୁଶୀଲ କୁମାର ରାଠୋର ଓ ଜାତୀୟ ସେବା ଯୋଜନାର ଅଧିକାରୀ ଡ. ପ୍ରଣତି କୁମାରୀ ରଥଙ୍କ ମିଳିତ ସହଯୋଗରେ ଆୟୋଜିତ ହୋଇଥିଲା। ଏଥିରେ ବହୁ ଅଧ୍ୟାପକ, ଅଧ୍ୟାପିକା,କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ରକ୍ତଦାନ ହେତୁ ପ୍ରାୟ ୪୦ ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା। ନବମ ଦିବସରେ ‘ଆସ ବହିଟିଏ କିଣିବା’ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାର ପ୍ରଖ୍ୟାତ ପ୍ରକାଶକ ଓ ବିକ୍ରେତା ‘ତାରା ତାରିଣୀ ପୁସ୍ତକାଳୟ’ ଆନୁକୂଲ୍ୟରେ ପୁସ୍ତକ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଥିଲା।

ଶତାଧିକ ଛାତ୍ରଛାତ୍ରୀ, ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ନିଜ ପସନ୍ଦର ଓଡ଼ିଆ ପୁସ୍ତକ କ୍ରୟ କରିଥିଲେ। ଦଶମ ଦିବସରେ ‘ଲୋକକଳା ପାଇଁ ଦିନଟିଏ’ ରେ ଛାତ୍ର କଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥଙ୍କ ପ୍ରତ୍ୟକ୍ଷ ତତ୍ତ୍ଵlବଧାନରେ ଛାତ୍ରଛାତ୍ରୀମାନେ ଲୋକନୃତ୍ୟ ପ୍ରଦର୍ଶନ କରିଥିଲେ। ଏକାଦଶ ଦିବସରେ ‘ଅମୃତ ପିଢ଼ି ସାରସ୍ୱତ ସମାରୋହ’ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନେ ‘ଓଡ଼ିଶା ଓ ଓଡ଼ିଆ’ ସମ୍ପର୍କିତ ସ୍ୱରଚିତ କବିତା ଆବୃତ୍ତି କରିଥିଲେ। ଦ୍ୱାଦଶ ଦିବସରେ ‘ବନ୍ଦନୀୟ ବରପୁତ୍ର’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ପ୍ରଫେସର ଅମୀୟ କୁମାର ପରିଚ୍ଛା ଓଡ଼ିଶାର ବନ୍ଦନୀୟ ବରପୁତ୍ରମାନଙ୍କ ସ୍ମୃତି ଚାରଣ କରିଥିଲେ। ଅଧ୍ୟାପକ କିଶୋର କୁମାର ବେହେରା, ଡ. ରାଜେନ୍ଦ୍ର କୁମାର ବିଷୋୟୀ ଓଡ଼ିଶାର ବରପୁତ୍ରଙ୍କ ସମ୍ପର୍କରେ କହିଥିଲେ। କାର୍ଯ୍ୟକ୍ରମ ସଂଯୋଜନା ଡ. ମନୋରଞ୍ଜନ ବିଷୋୟୀ କରିଥିବା ବେଳେ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର, ଡ. ଉଷାରାଣୀ ରଥ ପ୍ରମୁଖ ମଂଚାସୀନ ରହି ବନ୍ଦନୀୟ ବରପୁତ୍ର ମାନଙ୍କ ସ୍ମୃତିଚାରଣ କରିଥିଲେ l କାର୍ଯ୍ୟକ୍ରମ ଅବସରରେ ବହୁ ଛାତ୍ରଛାତ୍ରୀ ମଧ୍ୟ ଓଡ଼ିଶାର ବରପୁତ୍ରମାନଙ୍କ ସମ୍ପର୍କରେ ସ୍ୱରଚିତ ପ୍ରବନ୍ଧ ଉପସ୍ଥାପନ କରିଥିଲେ।

ତ୍ରୟୋଦଶ ଦିବସରେ ‘ଆମରୁଚି ଆମ ଖାଦ୍ୟ’ କାର୍ଯ୍ୟକ୍ରମରେ ଦଶ ପ୍ରକାରର ପାରମ୍ପରିକ ପିଠାର ପ୍ରଦର୍ଶନୀ ହୋଇଥିଲା ଏବଂ ଓଡ଼ିଆ ପକ୍ଷର ଅନ୍ତିମ ଦିବସ ‘ଓଡ଼ିଆ ନବବର୍ଷ’ ଉପଲକ୍ଷେ ଛାତ୍ରଛାତ୍ରୀଙ୍କ ଦ୍ୱାରା ପାରମ୍ପରିକ ଝୋଟି, ମୁରୁଜ ଅଙ୍କନ କରାଯାଇଥିଲା l ଶେଷରେ ଚଉଦଦିନ ବ୍ୟାପୀ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ଉଦଯାପିତ ହୋଇଥିଲା। ଏଥିରେ ବିଶ୍ୱବିଦ୍ୟାଳୟର ନବନିଯୁକ୍ତ କୁଳପତି ପ୍ରଫେସର ଅସୀମା ସାହୁଙ୍କ ସମେତ ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ପଟ୍ଟନାୟକ , କୁଳସଚିବ ଶ୍ରୀମତୀ ମହାଳିକ ପ୍ରମୁଖ ଯୋଗ ଦେଇ ସନ୍ତୋଷ ବ୍ୟକ୍ତ କରିଥିଲେ।

Leave A Reply

Your email address will not be published.