
ବ୍ରହ୍ମପୁର : ଦକ୍ଷିଣ ଓଡ଼ିଶାର ଦୁର୍ଗମ ତଥା ଜନଜାତି ବହୁଳ ଅଞ୍ଚଳରେ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଏକ ବ୍ୟାପକ ପରିବର୍ତ୍ତନ ଆଣିଛି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ (ଟିପିଏସ୍ଓଡିଏଲ୍)ର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ସେବା (ଏମ୍ଏଚଡି)। କୋରାପୁଟ, ମାଲକାନଗିରି, କନ୍ଧମାଳ ଏବଂ ରାୟଗଡ଼ା ଜିଲ୍ଲାର ଅପହଞ୍ଚ ଅଞ୍ଚଳରେ ଅତ୍ୟାବଶ୍ୟକ ସ୍ୱାସ୍ଥ୍ୟ ସେବା ପହଞ୍ଚାଇବା ଦିଗରେ ଏହି ସେବା ଏକ ସଂଯୋଜକ ଭାବେ କାର୍ଯ୍ୟ କରୁଛି। ଗୁଣାତ୍ମକ ସ୍ୱାସ୍ଥ୍ୟ ସେବା ଯେ କେବଳ ସହରରେ ସୀମିତ ନୁହେଁ, ବରଂ ଜଙ୍ଗଲ ଘେରା ଦୁର୍ଗମ ଗାଁରେ ମଧ୍ୟ ଉପଲବ୍ଧ ହୋଇପାରିବ, ତାହା କମ୍ପାନୀ ସୁନିଶ୍ଚିତ କରିଛି।
ଏହି ଭ୍ରାମ୍ୟମାଣ ସ୍ୱାସ୍ଥ୍ୟ ୟୁନିଟରେ ଜଣେ ଏମବିବିଏସ୍ ଡାକ୍ତରଙ୍କ ସମେତ ନର୍ସ, ଫାର୍ମାସିଷ୍ଟ ଏବଂ ସଚେତକ ରହି ସିଧାସଳଖ ଲୋକଙ୍କ ପାଖରେ ପହଞ୍ଚୁଛନ୍ତି। ବର୍ତ୍ତମାନ ସୁଦ୍ଧା ଚାରିଟି ଜିଲ୍ଲାର ପ୍ରାୟ ୩,୨୩,୬୭୫ ହିତାଧିକାରୀ ଏହି ସେବା ଦ୍ୱାରା ଉପକୃତ ହୋଇଛନ୍ତି। ଜିଲ୍ଲାୱାରୀ ପରିସଂଖ୍ୟାନ ଅନୁଯାୟୀ, କୋରାପୁଟରେ ୧,୦୧,୭୭୭ ଜଣ, ମାଲକାନଗିରିରେ ୧,୦୬,୧୫୫, ରାୟଗଡ଼ାରେ ୫୩,୧୫୭ ଏବଂ କନ୍ଧମାଳରେ ୬୨,୫୮୬ ଲୋକଙ୍କ ପାଖରେ ମାଗଣା ଚିକିତ୍ସା ଓ ଔଷଧ ପହଞ୍ଚି ପାରିଛି।
ତୃଣମୂଳ ସ୍ତରରେ ଏହି ଅଭିଯାନକୁ ସୁଦୃଢ଼ କରିବା ପାଇଁ ୧,୨୧୩ଟି ସ୍ୱାସ୍ଥ୍ୟ ପରୀକ୍ଷା ଶିବିର ଓ ୮୪୩ଟି ସଚେତନତା ଅଧିବେଶନ ଆୟୋଜନ କରାଯାଇଛି। ବିଶେଷ କରି କୋରାପୁଟର ତାଳୁ ଓ ଚିକିମା, ମାଲକାନଗିରିର ବଣ୍ଡା ଘାଟି ଅନ୍ତର୍ଗତ ବଡଦୁରାଲ ଓ ମୁଦୁଲିପଡ଼ା, କନ୍ଧମାଳର ଶ୍ରୀରାମପୁର ଏବଂ ରାୟଗଡ଼ାର ଜି. ଦେଫାଗୁଡ଼ା ଭଳି ଅତି ଦୁର୍ଗମ ଅଞ୍ଚଳରେ ୬ଟି ବୃହତ୍ ସ୍ୱାସ୍ଥ୍ୟ ଶିବିର ଜରିଆରେ ୫,୧୯୭ ଜଣଙ୍କୁ ଚିକିତ୍ସା ଯୋଗାଇ ଦିଆଯାଇଛି। ଏହି ଶିବିରଗୁଡ଼ିକରେ ସାଧାରଣ ପରାମର୍ଶ ସହ ଦନ୍ତ, ଚକ୍ଷୁ, ମାତୃ ଓ ଶିଶୁ ଯତ୍ନ ଏବଂ ରକ୍ତ ପରୀକ୍ଷା ଭଳି ସୁବିଧା ପ୍ରଦାନ କରାଯାଉଛି। କୋରାପୁଟରେ ‘ଲ୍ୟାବ-ଅନ୍-ହ୍ୱିଲ’ ସୁବିଧା ରୋଗର ଶୀଘ୍ର ନିରାକରଣରେ ସହାୟକ ହେଉଛି।
ଟିପିଏସ୍ଓଡିଏଲର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀ ଅମିତ କୁମାର ଗର୍ଗ କହିଛନ୍ତି, “ଆମର ଏମ୍ଏଚଡି ସେବା ମାଧ୍ୟମରେ ଦୁର୍ଗମ ଅଞ୍ଚଳର ଜନଜାତିଙ୍କ ନିକଟରେ ପହଞ୍ଚିବା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ସୁଗମ ଓ ପ୍ରତିଷେଧକ ସ୍ୱାସ୍ଥ୍ୟ ସେବା ମାଧ୍ୟମରେ ଏକ ସୁସ୍ଥ ଓ ସୁଦୃଢ଼ ସମାଜ ଗଠନ ଆମର ଲକ୍ଷ୍ୟ।” ଟିପିଏସ୍ଓଡିଏଲର ଏହି ମାନବୀୟ ପ୍ରୟାସ ଦକ୍ଷିଣ ଓଡ଼ିଶାର ଜନଜାତି ବହୁଳ ଅଞ୍ଚଳରେ ଏକ ସ୍ଥାୟୀ ଓ ସକାରାତ୍ମକ ପ୍ରଭାବ ସୃଷ୍ଟି କରିବାରେ ସଫଳ ହୋଇଛି।