ମାଲକାନଗିରିରେ ଶ୍ରୀରାମ ବନଗମନ ପଥ ଯାତ୍ରା—ସାଧୁସନ୍ଥଙ୍କ ଆଗମନ, ପବିତ୍ର ସ୍ଥଳୀ ମାନଙ୍କର ଉନ୍ନତି ପାଇଁ ଦାବି

add-all

ମାଲକାନଗିରି : ଅଯୋଧ୍ୟା ଠାରୁ ରାମେଶ୍ୱର ପର୍ଯ୍ୟନ୍ତ ଚାଲୁଥିବା ଶ୍ରୀରାମ ବନଗମନ ପଥ ଯାତ୍ରା ସନ୍ଦର୍ଭରେ ଆଜି ମାଲକାନଗିରି ଜିଲ୍ଲାରେ ସାଧୁସନ୍ଥମାନଙ୍କ ଆଗମନ ହୋଇଥିଲା। ଏହି ଯାତ୍ରା ଭଗବାନ ଶ୍ରୀରାମଙ୍କ ୧୪ ବର୍ଷର ବନବାସ ସମୟରେ ଯେଉଁ ପଥରୁ ସେ ଗତି କରିଥିଲେ, ସେହି ପୌରାଣିକ ଓ ଐତିହ୍ୟମୟ ପଥକୁ ପୁନର୍ଜୀବିତ କରିବା ଓ ଲୋକମାନଙ୍କ ମଧ୍ୟରେ ଧାର୍ମିକ ସଚେତନତା ସୃଷ୍ଟି କରିବାକୁ ଉଦ୍ଦିଷ୍ଟ।
ଏହି ପବିତ୍ର ଯାତ୍ରା ମାଧ୍ୟମରେ ସନ୍ତମାନେ ଭଗବାନ ଶ୍ରୀରାମଙ୍କ ଆଦର୍ଶ, ଧର୍ମ, ନୀତି ଓ ସେବାଭାବର ସନ୍ଦେଶ ସାରା ଦେଶରେ ପ୍ରଚାର କରୁଛନ୍ତି। ସେହିପରି, ଭାରତର ବିଭିନ୍ନ ସ୍ଥାନରେ ଥିବା ରାମାୟଣ ସଂପୃକ୍ତ ପବିତ୍ର ସ୍ଥଳୀମାନଙ୍କର ଗୁରୁତ୍ୱକୁ ଉଜାଗର କରିବା ଓ ସେଗୁଡ଼ିକୁ ଧାର୍ମିକ ପର୍ଯ୍ୟଟନ କେନ୍ଦ୍ର ଭାବେ ଉନ୍ନତ କରିବା ମଧ୍ୟ ଏହାର ଲକ୍ଷ୍ୟ।
ଯାତ୍ରା ସମୟରେ ସେମାନେ ଓଡ଼ିଶାର କୋରାପୁଟ ଜିଲ୍ଲାର ପ୍ରସିଦ୍ଧ ଗୁପ୍ତେଶ୍ୱର ଧାମ ସହିତ ମାଲକାନଗିରି ଜିଲ୍ଲାର ଆମାକୁଣ୍ଡ, ଖଇରପୁଟ ବ୍ଲକର ମୁଦୁଲିପଡ଼ା ସ୍ଥିତ ସୀତାକୁଣ୍ଡ, ମାଲକାନଗିରି ନଗରର ମଲିକେଶ୍ୱର ଶିବମନ୍ଦିର ଦର୍ଶନ କରିଥିଲେ। ପରେ ସେମାନେ ମୋଟୁ ଏବଂ ସିଲେରୁ-ସାବେରୀ ସଙ୍ଗମରେ ପବିତ୍ର ସ୍ନାନ କରି ତେଲେଙ୍ଗାନା ରାଜ୍ୟ ଦେଇ ନିଜ ଆଗାମୀ ଯାତ୍ରା ଜାରି ରଖିଥିଲେ।
ଏହି ଯାତ୍ରା ଅଞ୍ଚଳର ଧାର୍ମିକ ଓ ଐତିହ୍ୟମୂଳକ ମହତ୍ତ୍ୱକୁ ଆଲୋକିତ କରୁଥିବାବେଳେ ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ଭକ୍ତିଭାବ ଓ ଉତ୍ସାହର ପରିବେଶ ସୃଷ୍ଟି କରିଛି।
ସ୍ଥାନୀୟ ଶ୍ରଦ୍ଧାଳୁମାନେ ଓ ମନ୍ଦିର କାର୍ଯ୍ୟକର୍ତ୍ତାମାନେ ମାଲକାନଗିରି ଜିଲ୍ଲାର ପବିତ୍ର ସ୍ଥାନମାନଙ୍କର ଉନ୍ନତି ପାଇଁ ପ୍ରଶାସନଙ୍କୁ ଦୃଷ୍ଟିଆକର୍ଷଣ କରିଛନ୍ତି। ପିଇବା ପାଣି, ବିଦ୍ୟୁତ୍ ବ୍ୟବସ୍ଥା, ପୂଜକମାନଙ୍କ ଯଥୋଚିତ ଦରମା ଏବଂ ଭୋଗ ପାଇଁ ଆବଶ୍ୟକ ଅର୍ଥ ବ୍ୟବସ୍ଥା ସହ ସ୍ଥାନମାନଙ୍କର ପ୍ରଚାର-ପ୍ରସାର ଜରୁରୀ ବୋଲି ସେମାନେ ମତ ପ୍ରକାଶ କରିଛନ୍ତି। ଏହା ଦ୍ୱାରା ଆଗାମୀ ପିଢ଼ୀ ଆମର ସମୃଦ୍ଧ ଇତିହାସ ଓ ପରମ୍ପରା ବିଷୟରେ ଅବଗତ ହେବେ।
ଏହି ଅବସରରେ ପଶ୍ଚିମ ବଙ୍ଗର ସିଲିଗୁଡ଼ିର ରାମାନନ୍ଦ ସ୍ୱାମୀଜୀ, ବିହାରର ମୁଜାଫରପୁରର ଅମୀୟ ଭୂଷଣଙ୍କ ସହ ସ୍ଥାନୀୟ କାର୍ଯ୍ୟକର୍ତ୍ତାମାନେ ଉପସ୍ଥିତ ଥିଲେ।

Leave A Reply

Your email address will not be published.